ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ଦ୍ଵାରା ଦେଓଗାଁ ଠାରେ ୨ ହଜାର ଲିଟର କ୍ଷମତା ବିଶିଷ୍ଟ ଦୁଗ୍ଧ ଶିତଳୀକରଣ ପ୍ଳାଣ୍ଟ ଉଦଘାଟିତ

ଦେଓଗାଁ, (ମନିଷ କୁମାର ସାହୁ) : ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀଙ୍କ ଦ୍ଵାରା ଦେଓଗାଁ ସ୍ଥିତ ପ୍ରାଣୀ ସମ୍ପଦ ଚିକିତ୍ସା କେନ୍ଦ୍ର ପରିସରରେ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ନିର୍ମିତ ଗୋ-ଉନ୍ନୟନ ପ୍ରକଳ୍ପ ଅନ୍ତର୍ଗତ ୨ ହଜାର ଲିଟର କ୍ଷମତା ବିଶିଷ୍ଟ ଦୁଗ୍ଧ ଶିତଳୀକରଣ ପ୍ଳାଣ୍ଟ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ଦୁଗ୍ଧ ଚାଷୀ ସଚେତନତା କାର୍ୟ୍ୟକ୍ରମରେ ଉଦବୋଧନ ଦେଇ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ କହିଥିଲେ ଯେ ଅଞ୍ଚଳର ଚାଷୀ ମାନେ ଯେପରି ସ୍ୱାବଲମ୍ବୀ ହୋଇପାରିବେ ସେଥିପ୍ରତି ରାଜ୍ୟ ସରକାର ବିଭିନ୍ନ ଯୋଜନା ମାନ କାର୍ୟ୍ୟକାରୀ କରୁଛନ୍ତି । ଏହାର ସୁଯୋଗ ନେବା ସହ ଚାଷୀମାନେ ସଚେତନ ହେବାକୁ ସେ ପରାମର୍ଶ ଦେଇଥିଲେ । ଦେଓଗାଁ ଠାରେ ଏହି ଦୁଗ୍ଧ ଶିତଳୀକରଣ ପ୍ଳାଣ୍ଟ ପ୍ରତିଷ୍ଠା ହେବା ଦ୍ଵାରା ଅଞ୍ଚଳର ଚାଷୀ ମାନେ ବିଶେଷ ଭାବେ ଉପକୃତ ହୋଇପାରିବେ ଓ ସେମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ଘଟିବ । ଚାଷୀ ମାନେ ଉତ୍ସାହିତ ହେଲେ ସରକାର ସମସ୍ତ ପ୍ରକାର ଆନୁସାଙ୍ଗିକ ସୁବିଧା ସୁଯୋଗ ଯୋଗାଇଦେବେ । ଦୁଗ୍ଧ ଚାଷ ପ୍ରତି ଚାଷୀମାନେ ଆକୃଷ୍ଟ ହେଲେ ସେମାନଙ୍କର ଆୟବୃଦ୍ଧି ସହ ଜୀବନ ଜୀବିକାର ମାନ ଉନ୍ନତ ହୋଇପାରିବ ବୋଲି ମଧ୍ୟ ସେ ପ୍ରକାଶ କରିଥିଲେ । ସଚେତନତା ସଭାରେ ଜିଲ୍ଲାପାଳ ଚଞ୍ଚଳ ରାଣା କହିଛନ୍ତି ଯେ ଦୁଗ୍ଧ ଚାଷୀମାନଙ୍କ ଉଦ୍ୟମ ଓ ସହଯୋଗ ଦ୍ଵାରା ଜିଲ୍ଲାରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଛି । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯାଉଛି । ଗୋପାଳନ ଦ୍ଵାରା ଚାଷୀ ମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ଘଟିପାରିବ ବୋଲି ସେ ପ୍ରକାଶ କରିଥିଲେ । ସଚେତନତା ସଭାରେ ଓମଫେଡର ସଭାପତି କିଶୋର ଚନ୍ଦ୍ର ପଧାନୀ ଯୋଗଦେଇ ଦୁଗ୍ଧ ଚାଷୀ ମାନଙ୍କ ଉନ୍ନତି ନିମନ୍ତେ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ସଭାରେ ବଲାଙ୍ଗିର, କଳାହାଣ୍ଡି, ନୂଆପଡା ଆଞ୍ଚଳିକ ଦୁଗ୍ଧ ଉତ୍ପାଦନ ସମବାୟ ସଂଘର ସଭାପତି ସୀମା ପଟେଲ ଦୁଗ୍ଧ ଚାଷକୁ ଆହୁରି କ୍ରିୟାଶୀଳ କରିବା ନିମନ୍ତେ ଗ୍ରହଣ କରାଯାଉଥିବା ପଦକ୍ଷେପ ଉପରେ ସୂଚନା ପ୍ରଦାନ କରିଥିଲେ । ସମବାୟ ସଂଘର ସାଧାରଣ ପରିଚାଳକ ଡ.ରଜନୀକାନ୍ତ ପଣ୍ଡା ବଲାଙ୍ଗିର ଜିଲ୍ଲାରେ ଦୁଗ୍ଧ ଚାଷର ସ୍ଥିତି ଓ ଚାଷୀମାନଙ୍କ ଉନ୍ନତି ନିମନ୍ତେ ସଂଘ ତରଫରୁ ଗ୍ରହଣ କରାଯାଉଥିବା କାର୍ୟ୍ୟକ୍ରମ ସମ୍ପର୍କରେ ସବିଶେଷ ବିବରଣୀ ଉପସ୍ଥାପନ କରିଥିଲେ । ଏହି ସଭାରେ ଦୁଗ୍ଧ ଚାଷୀ କହ୍ନେଇ ଥାନାପତି,ସୂର୍ୟ୍ୟକାନ୍ତି ରାଉତ ଓ ଯାଜ୍ଞସେନୀ ସାହୁଙ୍କୁ ଅତିଥି ମାନେ ଦୁଗ୍ଧ କ୍ୟାନ ବଣ୍ଟନ କରିଥିଲେ । ସଚେତନତା ସଭାରେ ପଶ୍ଚିମ ଓଡିଶା ବିକାଶ ପରିଷଦ ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ଡଃ. ଅଜିତ କୁମାର ମିଶ୍ର ଉପସ୍ଥିତ ଥିଲେ । ସଭା ଶେଷରେ ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଡଃ. ସନ୍ତୋଷ କୁମାର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ୟ୍ୟକ୍ରମରେ ଦେଓଗାଁ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଦୟାନିଧି ଖମାରିଙ୍କ ସମେତ ପଞ୍ଚାୟତିରାଜ ଅନୁଷ୍ଠାନର ପ୍ରତିନିଧି, ବଲାଙ୍ଗିର, କଳାହାଣ୍ଡି, ନୂଆପଡା ଆଞ୍ଚଳିକ ଦୁଗ୍ଧ ଉତ୍ପାଦନ ସମବାୟ ସଂଘର କର୍ମକର୍ତ୍ତା ଓ ଅଞ୍ଚଳର ଦୁଗ୍ଧ ଚାଷୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!