ପାଟଣାଗଡ଼, (ଗୋରେଖନାଥ ବରିହା) : ଚାରି ମାସ ପୂର୍ବେ ପିଆଜ ଖାଉଟିଙ୍କୁ କନ୍ଦାଉଥିଲା । କିନ୍ତୁ ଏବେ ପିଆଜ କାନ୍ଦୁଛି । ଏକଦା ୧୦୦ ଟଙ୍କା ଟପି ଯାଇଥିବା ପିଆଜ ଏବେ କିଲୋ ପିଛା ୫ରୁ ୭ ଟଙ୍କାରେ ଯାଚିଗୁଞ୍ଜା ବିକ୍ରି ହେଉଛି । ଚାରି ମାସ ତଳର ବଜାର ତାତି ଆଜି ପୁରା କାଲୁଆ ପଡ଼ିଯାଇଛି । ପିଆଜ ବଜାରର ଏପରି ଦୟନୀୟ ସ୍ଥିତି ପାଇଁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଚାଷୀ । ବେଲପଡା, ପାଟଣାଗଡ଼, ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ପିଆଜ ଚାଷ କରୁଥିବା ଚାଷୀଙ୍କ ସ୍ଥିତି ପୂରା ବେହାଲ ହୋଇଯାଇଛି । ଜମି ମୁଣ୍ଡରେ କିଲୋ ପିଛା ୭ ଟଙ୍କା ଦରରେ ବିକିବାକୁ ବାଧ୍ୟ ହୋଇଛନ୍ତି ଚାଷୀ । ଏଭଳି ଅଭାବୀ ବିକ୍ରି ଯୋଗୁଁ କିଛି ଚାଷୀ ବିଲରୁ ପିଆଜ ବାହାର ନ କରି ପଚିଶଢ଼ି ଯିବା ପାଇଁ ଛାଡ଼ି ଦେଇଛନ୍ତି । ଫଳରେ ଚଳିତ ବର୍ଷ ପିଆଜ ଚାଷରେ ବିନିଯୋଗ ହୋଇଥିବା ଚାଷୀର ସବୁ ପରିଶ୍ରମ ଓ ଅର୍ଥ ପାଣିରେ ପଡ଼ିଛି ଏବଂ ଋଣ ପରିଶୋଧ ଚିନ୍ତାରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ସୂଚନାନୁସାରେ ପ୍ରତିବର୍ଷ ମାର୍ଚ୍ଚ ଶେଷ ସପ୍ତାହରୁ ମେ’ ମାସ ପର୍ୟ୍ୟନ୍ତ ପିଆଜ ଅମଳ ହୋଇଥାଏ । ପ୍ରଚଣ୍ଡ ଗରମ ଓ କାଳବୈଶାଖୀ ବର୍ଷା ଯୋଗୁଁ ଚଳିତ ବର୍ଷ ପିଆଜ ଚାଷୀମାନେ ଘୋର କ୍ଷତି ସହିଛନ୍ତି । ବିଲ ମୁଣ୍ଡରେ କ୍ବିଣ୍ଟାଲ ପିଛା ୫/ ୭ ଶହ ଟଙ୍କାରେ ବିକିବାକୁ ବାଧ୍ୟ ହୋଇଛନ୍ତି । ଏମିତିକି ବହୁ ଚାଷୀଙ୍କ ବାଡ଼ିଘରେ ଏବେ ବି ଗଦା ଗଦା ପିଆଜ ସଢ଼ୁଛି । ସଂରକ୍ଷଣ ସୁବିଧା ନଥିବାବେଳେ ପ୍ରବଳ ଗରମ ପିଆଜ ସଢ଼ାଉଛି । ମଝିରେ ହୋଇଥିବା ବର୍ଷା ମଧ୍ୟ ବିପୁଳ ପିଆଜ ନଷ୍ଟ କରିଛି । ତେଣୁ କିଛି ଚାଷୀ ବିଲରୁ ପିଆଜ ବାହାର କରି ଅଯଥା ଆଉ ମଜୁରି ଗଣି କ୍ଷତି ସହିବାକୁ ଇଚ୍ଛା କରିନାହାନ୍ତି । ପାଟଣାଗଡ଼ ବ୍ଲକର ରାଣିଦର୍ହ, ବେଲପଡା ବ୍ଲକର ସିନ୍ଧେକେଲା ଖପ୍ରାଖୋଲ ବ୍ଲକର ଦମାଇପାଲି ଆଦି ଅଞ୍ଚଳରେ ପ୍ରାୟ ୧୦ ଏକରୁ ଅଧିକ ଜମିରେ ପିଆଜ ଚାଷ ହୋଇଥିବା ବେଳେ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ଚାଷୀମାନେ ଯାଚିଗୁଞ୍ଜା ବିକିବାକୁ ବାଧ୍ୟ ହୋଇଥାନ୍ତି । ପଶ୍ଚିମ ଓଡ଼ିଶା ବିକାଶ ପାଇଁ ବହୁ ଅର୍ଥ ବିନିଯୋଗ ହେଉଛି, ଅଥଚ ପିଆଜ ଚାଷ ପାଇଁ ଚାଷୀମାନଙ୍କୁ ହତାଦର କରାଯାଉଛି ବୋଲି ଅଭିଯୋଗ ହେଉଛି ।
Next Post