ଟିଟିଲାଗଡ଼, (କେପିଏନ୍ଏସ୍) : ଆଜି ସ୍ଥାନୀୟ ମା’ ଘଣ୍ଟାସୁନି ଟାଉନ ହାଇସ୍କୁଲର ସଭାଗୃହରେ ବିଦ୍ୟାଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାରର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିରାଜିନୀ ବେହେରା ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ ଶିଶୁ ସାହିତ୍ୟିକ ଡ. ଯୁଗଳ କିଶୋର ଷଡଙ୍ଗୀ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ କବି ତଥା ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଭିକାରୀ ଚରଣ ମିଶ୍ର ଓ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ ଲେଖକ ଜ୍ୟୋତିପ୍ରକାଶ ଗଡତ୍ୟା । ମଂଚାସୀନ ପାଠାଗାରର ପ୍ରତିଷ୍ଠାତା ବୃନ୍ଦାବନ କୁମ୍ଭାର ଭ୍ରାମ୍ୟମାଣ ପାଠାଗାରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ପିଲାଙ୍କୁ ଅବଗତ କରାଇ ପୁସ୍ତକ ପଠନ ମନସ୍କ ହେବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଅତିଥି ଓ ବକ୍ତାଗଣ ବିଦ୍ୟାଳୟରେ ଥିବା ଲାଇବ୍ରେରୀରୁ ଓ କ୍ରୟକରି ପୁସ୍ତକ ପଢିବା ଏକ ବୌଦ୍ଧିକ ଅଭ୍ୟାସ, ପୁସ୍ତକରୁ ଜ୍ଞାନ ଆହରଣ କରିବାର ନିଷ୍ଠା ପିଲାକୁ ଦିଗଦର୍ଶୀ କରିଥାଏ ତଥା ପୁସ୍ତକ ପଠନ ଏକ ତପସ୍ୟା, ଏହା ଅମୃତାଲୋକ ପ୍ରଦାନ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ । ସଭାପତି ଏପରି ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ସର୍ବ ପ୍ରଥମେ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପୁସ୍ତକ ପଢିବା ପାଇଁ ବଣ୍ଟନ କରାଯାଇଥିଲା ଓ ପ୍ରଶ୍ନ ପଚରାଯାଇ ତିନିଜଣ କୃତି ପ୍ରତିଯୋଗୀ ଶିବ ପାତ୍ର, ସୌରଶୋଭନ ରଥ ଓ ସୁଶ୍ରୀ ସୀତା ବଗର୍ତ୍ତୀଙ୍କୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ସଭାପତି ରବିନାରାୟଣ ପଟ୍ଟନାୟକ ଏତାଦୃଶ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହାର ପ୍ରସାର ପାଇଁ ସମସ୍ତ ଅନୁଷ୍ଠାନ ସହଯୋଗ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି କ୍ରମରେ ଶିକ୍ଷକ ବିକାଶ ପାଣିଗ୍ରାହୀ ମଂଚ ପରିଚାଳନା କରିଥିଲେ ଓ ଶିକ୍ଷୟିତ୍ରୀ ଶେଫାଳି ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ଚିନ୍ମୟା ବାଗ, ଶୈଳସୁତା ତ୍ରିପାଠୀ ଏବଂ ତେଜରାଜ ସାହୁ ପ୍ରମୁଖ ସହଯୋଗ କରିଥିଲେ ।
Next Post