- ଅବିଶ୍ୱାସ ହେଲେ ବି ସତ
- କାଗଜପତ୍ରରେ ରଫାଦଫା ସନ୍ଦେହ
ବଲାଙ୍ଗିର, (କେପିଏନ୍ଏସ୍) : କରୋନା ପ୍ରଥମ ଲହର ସମୟରେ କୋଭିଡ ଟେଷ୍ଟ ପାଇଁ ରାଜ୍ୟ ବ୍ୟାପୀ ସାଧାରଣ ଜନତା ନୟାନ୍ତ ହୋଇ ଯାଉଥିଲେ ଏବଂ ଅନେକ ଲୋକ ପରୀକ୍ଷା କରି ନପାରି ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିଲେ । ସ୍ଥଳ ବିଶେଷରେ ପରୀକ୍ଷା ପାଇଁ ସୁଯୋଗ ପାଇବା ପୂର୍ବରୁ ମୃତ୍ୟୁବରଣ କରିଥିବା କଥା ମଧ୍ୟ ଆଲୋଚନା ହେଉଥିଲା । କିନ୍ତୁ କୋଭିଡ ପରୀକ୍ଷାକୁ ନେଇ ସୂଚନା ଅଧିକାର ଆଇନ ଯୋଗେ ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛି ରାଜ୍ୟ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ । ବଲାଙ୍ଗିରର ବିଶିଷ୍ଟ ସୂଚନା କର୍ମୀ ହେମନ୍ତ କୁମାର ପଣ୍ଡାଙ୍କୁ ଓଡିଶା ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଚିଠି ନଂ ୪୦୩୨ ତା ୩୦/୬/ ୨୦୨୩ ଯୋଗେ ପ୍ରଦାନ କରାଯାଇଥିବା ତଥ୍ୟରେ ଉଲ୍ଲେଖ ରହିଛି ଯେ, ୨୦୨୦ ମସିହା ଜାନୁୟାରୀ ୧ ଦିନ ପ୍ରଥମ କରି କେନ୍ଦୁଝର ଜିଲ୍ଲାରେ ୬ଟି କୋଭିଡ ଟେଷ୍ଟ କରାଯାଇଥିଲା ଓ ଜାନୁୟାରୀ ୩୧ ପର୍ଯ୍ୟନ୍ତ ତଥା ଗୋଡିଏ ମାସ ମଧ୍ୟରେ ରାଜ୍ୟର କେବଳ କେନ୍ଦୁଝର ଜିଲ୍ଲାରେ ୧୪୯୦୦ରୁ ଅଧିକ କୋଭିଡ ଟେଷ୍ଟ କରାଯାଇଥିବା ତଥ୍ୟ ହସ୍ତଗତ ହୋଇଛି । ଜାନୁୟାରୀ ୩୧ ସୁଦ୍ଧା ରାଜ୍ୟର କୌଣସି ଜିଲ୍ଲାରେ କୋଭିଡ ପରୀକ୍ଷା ହୋଇ ନଥିବା ତଥ୍ୟ ମଧ୍ୟ ରହିଛି । ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପ୍ରଦାନ କରିଥିବା ଏହି ତଥ୍ୟ ଅନୁସାରେ ୨୦୨୦ ମସିହା ଜାନୁୟାରୀ ୧ରୁ ୨୦୨୦ ଜୁଲାଇ ୧୫ ପର୍ଯ୍ୟନ୍ତ କେବଳ କେନ୍ଦୁଝର ଜିଲ୍ଲାରେ କରାଯାଇଥିବା ସମୁଦାୟ କୋଭିଡ ପରୀକ୍ଷାର ଅଧାଅଧି ସଂଖ୍ୟା ମଧ୍ୟ ବାକି ୨୯ ଜିଲ୍ଲାରେ ଏହି ସମୟ ମଧ୍ୟରେ ହୋଇ ନାହିଁ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜାନୁୟାରୀ ଶେଷ ସପ୍ତାହରେ କେରଳରେ ଭାରତର ପ୍ରଥମ କୋଭିଡ ପଜିଟିଭ ରୋଗୀ ଚିହ୍ନଟ କରାଯାଇଥିଲା । ଚୀନର ଓ୍ୟୁହାନ ସହରରୁ କେରଳକୁ ଫେରିଥିବା ଦୁଇଜଣ ଡାକ୍ତରୀ ଛାତ୍ରଙ୍କୁ ଭାରତର ପ୍ରଥମ କୋଭିଡ ରୋଗୀ ବୋଲି ଚିହ୍ନଟ କରାଯାଇ ଗଣମାଧ୍ୟମରେ ପ୍ରଚାର କରାଯାଇଥିଲା । କିନ୍ତୁ ଓଡିଶାରେ ୨୦୨୦ ମସିହା ଜାନୁୟାରୀରୁ କୋଭିଡ ପରୀକ୍ଷା କରାଯାଇଥିବା ଅବିଶ୍ୱସନୀୟ ସରକାରୀ ତଥ୍ୟ ସୂଚନା କର୍ମୀ ଶ୍ରୀ ପଣ୍ଡାଙ୍କ ହସ୍ତଗତ ହୋଇଛି । ଜନତା କର୍ଫ୍ୟୁ ଓ ଲକ୍ଡାଉନ୍ ପୂର୍ବରୁ ତଥା ୨୦୨୦ ମସିହା ମାର୍ଚ୍ଚ ୨୪ ପୂର୍ବରୁ ଓଡିଶାରେ କୋଭିଡ ଟେଷ୍ଟ ହଜାର ହଜାର ସଂଖ୍ୟାରେ କରାଯାଇଥିବା ଭଳି ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରଦାନ କରାଯାଇଛି । କୋଭିଡ ଟେଷ୍ଟ ଭଳି ସ୍ପର୍ଶକାତର ବିଷୟକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ କେତେ ଖାମଖିଆଲି ଭାବେ ନେଇଛି ଏହା ସ୍ପଷ୍ଟ ହୋଇଛି ବୋଲି ଶ୍ରୀ ପଣ୍ଡା କହିବା ସଙ୍ଗେ କୋଭିଡ ଟେଷ୍ଟରେ ବଡ ଧରଣର ଦୁର୍ନୀତି ରହିଥିବା ବିଷୟକୁ ଏଡାଇ ଦେଇ ହେବ ନାହିଁ ବୋଲି କହିଛନ୍ତି । ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ପଣ୍ଡା ନିବେଦନ କରିଛନ୍ତି ।