om academy

ନୂଆଁପଡ଼ା ଜିଲାର ଦୁଇଟା ଶିଘା ଠାନ୍ : ପାତାଲ ଗଙ୍ଗା ଆର୍ ପତୋରା ଡେମ୍

jsm

ପାତାଲ ଗଂଗା
ଆମର୍ ଦେଶ୍ ଗୁଟେ ପୁଇନ୍ ଆର୍ ପବିତ୍ର ଠାନ୍ ଆଏ । ଦେବା, ଦେବୀ ଦେଶ ବଏଲେ ଆମର୍ ଭାରତ୍ ଜନାସୁନା । ତେତିଶ୍ କୁଟି ଦେବୀ ଦେବତା ଆମର୍ ଦେଶେଁ ଅଛନ୍ । ଡଂଗର୍, ପରବତ୍, ନଏଦ୍, ଝର୍ନା, ମନ୍ଦିର ପୁରିଛେ ଆମର୍ ଦେଶେଁ । ଇନେ କେତେ ଦେବୀ ଦେବତା ଜନମ୍ ହେଇଛନ୍ । ଆମର୍ କୋଶଲ ରାଏଜ୍ ନେ ବି କେତନି କେତେ ଧରମ୍ ପୁଇନ୍ ଠାନ୍ ମାନେ ଅଛେ, ସେ ଭିତରେ ନୂଆଁପଡା ଜିଲାନେ ଗୁଟେ ଜାଗା ପାତାଲ୍ ଗଂଗା । ଇ’ଠାନ୍ ଶିବ୍, ଶାକ୍ତ, ଆଦିମାତା, ବୈଷ୍ଣବ, ମହିମା ଧରମର ମିଲନ୍ ଜାଗା ଆଏ । ଇ ଜାଗା ଖୋବ୍ ପବିତ୍ର, ଆର୍ ଶାନ୍ତ । ଐତିହାସିକ୍ ଯୁଗର୍ ଆଏ କୁହାଯାଏସି । କୋଶଲ ମାଟିର୍ ଗରବ୍, ଧରମ୍ ପୁଇନ୍ ଜାଗା ବଏଲେ ଆମର୍ ପାତାଲ ଗଂଗା, ଛାତି ଥି ହାତ୍ ଦେଇ କରି କହିହେବା ।
ନୂଆଁପଡା ଜିଲାର୍ ଖଡ଼ିଆଲ ସହର୍ ନୁ ଦଖିଣ ଦିଗ୍ କେ ଆଠ୍ କୋଶ ବାଟ୍ ଆଏଲେ ବୁଡେ଼ନ୍ ଗାଁ । ଇ ଗାଁ ନୁ ପଶ୍ଚିମ୍ ଦିଗ୍ କେ ଦୁଇ କୋଶ ବାଟ୍ ଗଲା ଉତାରୁ ମାଁ ଦୁଆରସେନୀ ଗୁଡ଼ି ଅଛେ । ଗୁଡ଼ି ନୁ ଦୁଇ ଶ’ ହାତ୍ ଗଲେ ପାତାଲ ଗଂଗା ଦେଖବା କେ ମିଲସି । ଇ ଜାଗା କେ ଆଏବାର ଲାଗି ହେଲେ ସଡ଼କେ ଆଏବା କେ ପଡ଼ସି ।
ଭାରତ୍ ନେ କେତ୍ନି କେତେ ପୁଇନ୍ ଠାନ୍ ଅଛେ । ସେ ଭିତରେ ଆମର ପଶ୍ଚିମ ଓଡ଼ିଶାର୍ ଗଂଗା ବଏଲେ ପାତାଲ ଗଂଗା ବଲି ସଭେଁ ଜାନିଛନ୍ । ଇତାର ଇତିହାସ୍ ଖୋବ୍ ପୁର୍ନା ଆଏ । ତେର୍ତୟା ଯୁଗ୍ ନେ ମହାପୁରୁ ରାମ, ଲଖଣ, ସୀତା ଇ’ ବାଟ୍ ହେଇ କରି ଦଣ୍ଡକାରଣ୍ୟ କେ ଯିବାର ସମିଅାଁନେ ମାଁ ସୀତା କେ ଶୋଷ୍ ଲାଗ୍ଲା । ମହାପୁରୁ ରାମଙ୍କର ଆଦେଶ୍ ନେ ଲଖଣ ଭୁଇଁ କେ ଶର୍ ମରଲେ ଆର୍ ପାତାଲ୍ ଫାଟି କରି ପାଏନ୍ ବାହାରିଲା । ଇ’ ଇଲାକା ଖଡ଼ିଆଲ ରଜାର ଇଲାକା ଆଏ । ୧୮୪୨ ମସିହା ନେ ମନ୍ଦିରର୍ ମକା କୁଣ୍ଡ ବନା ହେଇଥିଲା । ଖଡ଼ିଆଲର୍ ପୁରନା ରଜା ପଦ୍ମନ୍ ସିଂ ରମେଶ ଇ’ ଠାନ୍ ର ନାଁ ପାତାଲ ଗଂଗା ରଖିଥିଲେ ।
ପାତଲ୍ ଗଂଗା ଥିଁ ଯେ ବୁଡ଼୍ ଦେସି ତାର୍ ପାପ୍ ଧୁଇ ହେଇଯାଏସି, ପୁଇନ୍ ମିଲସି ବଲି ସଭେଁ କହେସନ୍ । ପାତାଲ୍ ଫାଟିକରି ସବୁବେଲେ ଝଲ୍ ଝଲ୍, ମଲ୍ ମଲ୍, ନିରମଲ୍ ପାଏନ୍ ବାହାରୁଛେ । ଭକତ୍ ମାନେ ଶରାବନ୍ ପୁନି, ବଏଶାଖ୍ ମେଲା ନ ଆସି କରି ବୁଡ଼୍ ପକାସନ୍ । ଇନେ ପୁରାନା ଶିବ୍ ଲିଙ୍ଗ, ମହା ମୃତୁଞ୍ଜୟ ମନ୍ଦିର, ଦୁର୍ଗା, ଜଗନ୍ନାଥ, ରାଧାକୃଷ୍ଣ, ମହିମା ଧରମର ମନ୍ଦିର୍ ସବୁ ଅଛେ ।
ପାତାଲ ଗଂଗା ଇଲାକାର୍ ଇଷ୍ଟଦେବୀ ଆଦିମାତା ଦୁଆର୍ସେନୀ ପାତାଲ ଗଂଗା ଆଏବା ଆଗ୍ରୁ ବାଞ୍ଜିବୁଟା ନେ ତାକର ଗୁଡ଼ି ଅଛେ । ଇ ଇଲାକାର ଲୋକ୍ ମାଁ କେ ନିଜର୍ ଦୁଖସୁଖ ଗୁହାରି କରସନ୍ । ଇ ଛୁମେ ଦୁଇଟା ବଡ଼୍ ବଡ଼୍ ପଖାନ୍ ଅଛେ, ଜେନ୍ ମାନ୍କର୍ ଭକ୍ତି ଭାବ୍ ଥିବା ପଖାନ୍ କେ ଉଠେଇ ପାର୍ବେ ଆର୍ ମନେ ଗରବ୍ ଭାବ୍ ରଖଲେ ନାଇଁ ଉଠେଇ ପାରନ୍ ବଲି ଲୋକ୍ କହେସନ୍ ଆର୍ ବିଶାସ୍ ବି କରସନ୍ । ପାତାଲ ଗଂଗା ଯିବାର ବାଟେ ଗୁରୁ ଡଂଗର୍ ଅଛେ । ହେନର ଯୁଜ୍ ଘାଟ୍, ବନେ ଅଏନ୍ ଜଗାଟେ । ବର୍ଷା ସମିଅାଁ ନେ ପାଏନ୍ ଝର୍ ଝର୍ ଝରୁଥିସି, ଲୋକର ମନ୍ କେ ଘିନି ନେସି ।
ପାତାଲ ଗଂଗା ଇଲାକା ନେ ପହରିଆ, ଭୁଞ୍ଜିଆ, ଶବର୍, କନ୍ଦ, ଗଁଣ୍ ଜାତିର୍ ଲୋକ୍ ରହେସନ୍ । ବଉଁଶ୍ ନେ କେଡେ଼ ସୁନ୍ଦର କୁର୍ଲି, ଭୁର୍କି, ଚଂଗ୍ଲି, କୁଲା, ଟୁପା, ଡଲା ବନେଇ କରି ବଏଶାଖ୍ ମେଲା ନ ବିକାଭଂଜା କରସନ୍ । ଶରାବନ ମାସେ ଆର୍ ବଏଶାଖ୍ ପୁନି ନେ ଭକତ୍ ମାନେ କେତ୍ନି କେତେ ଆଏସନ୍ । ଗଂଗା ନେ ବୁଡ଼୍ ଦେଇ କରି ପୁଜାପାଠ୍ କରସନ୍ ।
ପାତାଲ୍ ଗଂଗା ଓଡ଼ିଶା ରାଏଜ୍ ଆର୍ ଛତିଶଗଡ଼୍ ରାଏଜ୍ର ମଝାମଝି ଅଛେ । ହେତିର୍ ଲାଗି ଇ’ ଠାନର୍ ମହିମା ବହୁତ୍ କମ୍ ଲୋକ୍ ଜାନିଛନ୍ । ଡଂଗର୍ ତଲେ ଇ ଠାନ୍ ଅଛେ, ରୋଡ଼୍ ବାଟ୍ ଘାଟ୍ ଉସାର୍ ନାଇଁନ’ । ରାଏତ୍ ବେଲେ ଯିବା ଆଏବାର୍ ବିପଦ୍ ଆଏ । ହେତିର୍ ଲାଗି ସବୁ ବାଟ୍ ଘାଟ୍ କେ ଉସାର କରି, ରାସ୍ତା ନେ ଲାଇନ୍ ବଲ୍ ମାନେ ଲଗାଲେ ଭଲ୍ ହେତା । ଆମର୍ ରାଏଜ୍ ଆର୍ ରାଏଜ୍ ବାହାର୍ନୁ ଭକତ୍, ଦରଶକ୍ ମାନେ ଆଏସନ୍ । ହେଲେ ରହେବା ଲାଗି କି ବିଶ୍ରାମ ନେବା କେ ଜାଗା ଟିକେ ନାଇଁନ’ । ଲୋକ୍ ମାନେ ସଚେତନ ହେବାର କଥା । ପୁଇନ୍ ଠାନ୍ କେ ସଫାସୁତର୍ ସବୁ ସମିଅାଁ ନେ ରଖ୍ଲେ ଭଲ୍ ହେତା । ବୁଡେ଼ନ୍ ନୁ ପାତାଲ ଗଂଗା କେ ପର୍ଯ୍ୟଟନ୍ ବିଭାଗ୍ ନଜର୍ ଦେଲେ ଆର୍ ଦୁଇଟା ବସ୍ ଚଲାଲେ ଲୋକ୍ ମାନେ ସୁବିଧା ନେ ଆନାଜାନା ପରିପାର୍ତେ ଆର୍ ଆମର୍ ଇ ପୁଇନ୍, ପବିତ୍ର ଠାନ୍ର ବିକାଶ ହେତା ।


ପତୋରା ଡେ଼ମ୍
ମନୁଷ୍ ଜୀବନ୍ ସୁଖଦୁଖ ଜନ୍ଜାଲ୍ ନେ ଘାଁଟି ହେଇକରି ଦିନ୍ କଟସି । ଜୀବନର୍ ଛନେକ୍ ସମିଆଁ ପାଏଲେ କେନ୍ ଆଡେ଼ ବୁଲାଚଲା କରସି । ମନ୍କେ ଟିକେ ଥାବ୍ ମିଲ୍ବା ବଲି ଭାବୁଥିସି । କରମ୍ ଜଂଜାଲ ନେ ମୁନୁଷ୍ କେତେ ଦୁଖସୁଖ ପାଏସି ଆର୍ ଛନେ ଘଡେ଼ କେନ୍ ଜାଗାକେ ଗଲେ ମନ୍ ଉସତ୍ ଲାଗତା, ଭାବୁଥିସି । କେନ୍ କେନ୍ ଭଗବାନ୍ ପାସେ ଯାଇକରି ନିଜର ସୁଖ୍ଦୁଖ୍ ଗୁହେର୍ କରସନ୍ ଆର୍ କେନ୍ କେନ୍ ଡଂଗର୍ ପରବତ୍, ନଏଦ୍ ଝର୍ନା, ଚେରେ ଚିରଗୁନ୍ କେ ବି ଦେଖି କରି ନିଜର୍ ମନ୍କେ ହାଲ୍କା କର୍ସନ୍ । ଏନ୍ତା ଠାନେ ଛନେ ସମିଆଁ କଟାଲେ ମନ୍କେ ସରଗ୍ ସୁଖ୍ ପାଏଲା ବାଗିର୍ ଲାଗ୍ସି । “ଯେନେ ପର୍କୁତି ସୁନ୍ଦର୍ ସେନେ ଭଗବାନ୍ ଦରଶନ୍’ ବଲ୍ସନ୍ । ହେନ୍ତା ଦୁହି ଜିନିଷ୍ ଗୁଟେ ନ ଦେଖ୍ବାକେ ମିଲସି ନୁଆପଡ଼ା ଜିଲାର୍ ପତୋରା ଡେମ୍ ନେ । ଆମର ପଶ୍ଚିମ ଓଡ଼ିଶାର୍ ନୂଆଁପଡା ଜିଲାର ସଦର ମହକୁମା ନୁ ଦକ୍ଷିଣ-ପଶ୍ଚିମ ଦିଗକେ ଛ’ କୋଶ୍ ଜଙ୍ଗଲ ପାର୍ଲି ସାଁକୁର ରୁଡେ଼ ଆଏବାକେ ପଡସି । ଇ ବାଟେ ମଁଡ଼ଲ ପାଟ୍ ଡଂଗର ଅଛେ । ଡଂଗର ଛିଂଗ୍ଲି କରି ଢେକାନ୍ ପଖାନ୍ ରାସ୍ତା ନେ ଆଏବାକେ ପଡ଼ସି । ଆଏବାର୍ ବାଟେ କେତେ ଜୀବଜଁତୁ, ଚେରେ ଚିରଗୁନର୍ ରଡ଼ା କିର୍ଲା ଶବଦ୍ ଶୁନ୍ବାକେ ମିଲସି । ଇ’ ପତୋରା ଡେମକେ ଆଏବାର୍ ଲାଗି ହେଲେ ଖାଲି ରୋଡ଼୍ ରାସ୍ତା ହେଇ କରି ଆଏବକେ ପଡ଼୍ସି । ଇ ଜାଗା ଛତିଶଗଡ଼ ଆର ଓଡ଼ିଶାର ମଝାମଝି ଜାଗାନେ ଅଛେ ।
ପଶ୍ଚିମ ଓଡ଼ିଶାର୍ ଅସଲ୍ ନାଁ କୋଶଲ୍ ରାଏଜ୍ । କୋଶଲ୍ ରାଏଜ୍ର ଗୁଟେ ପୁଇନ୍ ମାଏଟ୍ ଇ’ ନୁଅାଁପଡ଼ା ମାଏଟ୍ । କୋଶଲ୍ ରାଏଜର ସିର୍ଜିନାର କେତେ କଥା ଆର୍ କେତେ ଜିନସ ଇନ ଦେଖ୍ବାକେ ମିଲସି । ପତୋରା ଡେମ ଗୁଟେ ପରକୁତିର ଅଏନ୍ ଠାନ୍ ଆଏ । ଇନ’ ଗଛଖୁଁଟ୍, ଚେରେ ଚିରଗୁନ୍, ପାଏନ୍ ପବନ୍ ସବ୍କର ମନ୍କେ ଘିନି ନେସି । ଇ ଡେ଼ମ୍ ଲୋକ୍ ମାନ୍କର ଚାଷ କାମ ସୁବିଧାର ଲାଗି ବନା ହେଇଥିଲା । ଇନେ ଚାଏର ଟା ଗାଁ ପୁରାପୁରି ଭାବେ ବୁଡ଼ି ଯାଇଛେ, ସେଟା ହେଲା ଟିକିରାପଡ଼ା, ଝଲମ, ପୋଟିପଡ଼ା, ମାରାଗୁଡ଼ା । ଜୋଙ୍କ ନଏଦ ଆର ସୁନାବେଡ଼ା ଅଭୟାରଣ୍ୟକେ ଛେକି କରି ବନା ହେଇଛେ । ଇ ମାରାଗୁଡ଼ା ଆଗର୍ କାଲର୍ ଦକ୍ଷିଣ କୋଶଲ୍ ରାଏଜର୍ ରାଜଧାନୀ ଥିଲା । ପୁରାଣିକ୍ ସମିଅାଁନେ ଇ ଅଂଚଲ୍ କେ ନିଶାଦ ରାଏଜ୍ କହୁଥିଲେ । ମହାଭାରତ୍ ନିଶାଦ୍ ରାଏଜ୍ ଗୁଟେ ନେ ସୀମିତ୍ ନାଇଁସେ । ଇ’ଟା ଗୁର୍ଦେ ଧୂରିଆ ପତେ ଲମିଛେ । ତାର ରାଜଧାନୀ ‘ଗିରିପ୍ରସ୍ଥ’ ଥିଲା ଆର୍ ଇ ଠାନ ମାରାଗୁଡ଼ା ସଭ୍ୟତା ନେ ଥିଲା । ଇନ’ ଆଠ୍ ଟା ଶିବ ଲିଂଗ ଥିଲା । ସେ ଭିତ୍ରୁ ଗୁଟେ ଯୋଗେଶ୍ୱର ବାବା ଆର ସେ ଶିବ୍ ଲିଂଗ ପତୋରା ମନ୍ଦିର ନ ପୁଜା ପାଉଛନ୍ । ଲୋକ ମାନେ ଇ ପତୋରା ମନ୍ଦିରକେ ଯୋଗେଶ୍ୱର ଧାମ ବି କହେସନ୍ ।
ପରକୁତିର୍ ସୁନ୍ଦରତା ସାଂଗେ ଭଗବାନ ପୂଜା ପାଠ ସବୁ ଇନ’ ଦେଖବାକେ ମିଲସି । ପତୋରାର୍ ବାବା ଯୋଗେଶ୍ୱର ମନ୍ଦିର କେଡେ଼ ବଡ଼୍ ଆଏ । ମନ୍ଦିରର ଉଚା ୭୨ ଫୁଟ ଅଛେ ଆର ମନ୍ଦିର ଭିତ୍ରେ ମାରାଗୁଡ଼ା ଉପକାନୁ ମିଲଲା ପୁର୍ନା ଶିବ ମହାପୁରୁ । ବାବା ଯୋଗେଶ୍ୱର କେ ପୂଜା କରାହେସି । ଶିବ ଲିଂଗର ଉଁଚା ୭ ଫୁଟ ଆର୍ ଗୁଲେଇ ଅଢେ଼ଇ ଫୁଟ୍ । ହନୁମାନ ମହାପୁରୁ ଅଛନ ଆର ଶଁଣ ବାବା ଗୁଟେ ବି ପାଖେ ଅଛନ । ଇତିହାସ୍ନୁ ଆମେ ଜାନିଛୁଁ ଯେ ଇନ’ ଯେନ ଯୋଗୀ ଋଷି ମୂର୍ତୀ ଗୁଟେ ଅଛେ, ସେ ମାରାଗୁଡ଼ା ସଭ୍ୟତା ସମିଆଁ ନ ଯୋଗେଶ୍ୱର ବାବାର ପୁଜା ପାଠ୍ କରୁଥିଲେ । ମନ୍ଦିର ଚାର୍ହିକୁତି ପଖାନ ନେ କେଡେ଼ ସୁନ୍ଦର ଚେରେ ଜୀବଜଁତୁ ଦେବାଦେବୀର୍ ଫଟୁ କଟା ହେଇଛେ । ପତୋରା ଡେମ୍ ର ପାଏନ୍ ନିରମଲ୍, ଝଲ୍ ଝଲ୍ କରୁଥିସି । କୁଡେ଼ ଟଂକା ଦେଲେ ଡେମ୍ ତରା ତରା ମଟର୍ ଡଂଗା ନେ ବୁଲେଇ ଆନ୍ସି । ମଟର୍ ଡଂଗା ଚଲୁଥିବାର ସମିଅାଁନେ ପାଏନ୍ ଛିତ୍କୁ ଥିସି ଆର ବେଲର୍ ଉକିଆଁନେ ପାଏନ୍ ଚକ୍ମକୁଥିସି । ଡଂଗା ନେ ଡେମ ତରା ତରା ବୁଲବାର ସମିଅାଁନେ ପାସର୍ ଡଂଗର୍ର ଗଛଖୁଁଟ୍ ଚେରେ ଚିରଗୁନ୍ କେ ଦେଖ୍ଲେ ମନ୍ ହରସ୍ ଲାଗସି । ଇ ପତୋରା ନୁ ସୁନାବେଡ଼ା ଅଭୟାରଣ୍ୟ ଲାଗିଛେ ଆର ଇନ’ ବାଘ୍, ଭାଲୁ, ସମର, ବରାହ, କୁଟ୍ରା କେତନି କେତେ ଜୀବଜଁତୁ ରହିଛନ୍ । ପତୋରା ଡେମ୍କେ ଲାଗି କରି ଗାନ୍ଧୀ ପାର୍କ ଅଛେ । କେତେ ନୁକୋ ନୁକୋ, ରକମ୍ ରକମ୍ ଫୁଲ୍ ଗଛ୍ ହେନ’ ଅଛେ । ବୁଲି ଆଏବାର ସବୁଲୋକ୍ ପାର୍କ କେ ଯାଇ କରି ଛନେ ସମିଆଁ କାଟସନ୍ । ଗୁଟେ ପରକୁତିର୍ ଦେଖବାର ହେନ୍ତା ଠାନ୍, ଜେନ୍ଟା କେ ଥରେ ଦେଖଲେ, ଦେଖୁଥା ମେତାନ୍ ଲାଗୁଥିସି; ସେଟା ହେଲା ଗୋଧସ ଝର୍ନା । ୮୦ ଫୁଟ୍ ନୁ ସବୁ ସମିଅାଁ ନେ ଝର୍ ଝର୍ ହେଇକରି ପାଏନ୍ ଝରି ପଡ଼ୁଥିସି । ଲୋକର୍ ମନକେ ଘିନି ନେସି । ନଭେମ୍ବର ନୁ ମାର୍ଚ୍ଚ ମାସ ସମିଅାଁ ନେ କେତନି କେତେ ଲୋକ୍ ଇନ୍କେ ବୁଲି ଆଏସନ୍ । ମହାପୁରୁ ଦରଶନ୍ କରବାର ସଂଗେ ଡେମ୍ ନେ ବୁଲାଚଲା କରସନ । ଡଂଗର୍ ତଲେ ଭୁଜିଭାତ କରି ଖାଏସନ୍ । ଇନର୍ ଅଧିକ ଲୋକ ଛତିିଶଗଡ଼ି ଭାଷା ଥି କଥାବାର୍ତା ହେସନ୍ । ଗଁଣ୍, କଂଦ୍, ଡମ୍, ପହରିଆ, ଲରିଆ, ଭୁଜନିଆଁ ଜାଏତ୍ର ଲୋକ ଇନ’ ରହେସନ୍ । ଇମାନେ ଚାଷ ବାସ କରବାର ସଂଗେ କୁଲି, ଭୁତି କରସନ୍ । ଡଲା, ଟୁପା ବନାସନ୍ ଆରୁ ଡଂଗର ନୁ ଚାହାର, ମହୁଲ, କେନ୍ଦୁ ପତର୍, ମହୁରସ୍ ଆନି କରି ଗାଁର୍ ହାଟ ବଜାର ନ ବିକାସଂଗା କରସନ୍ ଆର୍ କୁଟୁମ କେ ଚଲାସନ୍ ।
ପତୋରା ଡେମ ଓଡ଼ିଶା ଆର୍ ଛତିଶଗଡ଼ ମଝାମଝି ଜାଗାନେ ଅଛେ । ହେତିର ଲାଗି କମ୍ ଲୋକ ଜାନିଛନ୍ । ରାଏଜ ଆର ରାଏଜ ବାହାର ନୁ ଲୋକକେ ଚଲାବୁଲା କରବାର ସଂଗେ ଦେବୀ ଦେବ୍ତା କେ ଦେଖ୍ବାକେ ଆଏସନ । ହେଲେ ଇନ୍କେ ଆଏବାକେ ଭଲ ରାସ୍ତା ଘାଁଟ ନାଇଁନ’, ପଖାନ ଢେକାନ ସାଁକୁର ରୋଡ଼୍ ଅଛେ । ଦେଖ୍ବାର ଲୋକ୍ ଆଏଲେ ରାଏତ୍ ରହେବାର ସୁବିଧା ନାଇଁନ । ବିଶ୍ରାମଗାର, ଶୌଚାଳୟ ବି ଦର୍କାର ହିସାବେ ନାଇଁନ । ହେତିର ଲାଗି ବୁଲି ଆଏଲା ଲୋକମାନ୍କୁ ଭିନ ଭିନ ଅସୁବିଧା ହେସି । ଆନାଜାନା କର୍ବାକେ ବସ୍ ମଟର୍ର ହେତେ ସୁବିଧା ନାଇଁନ’ । ଆମର ରାଏଜ ସରକାର ଆର ପର୍ଯ୍ୟଟନ ବିଭାଗ ବାଲେ ଇନ’ ଗୁଟେ ବସ୍ ଚଲାଲେ ଲୋକମାନେ ସୁବିଧା ନେ ଯିବା ଆସବାର କରି ପାରତେ ଆର ଇ ପତୋରା ଯୋଗେଶ୍ୱର ଧାମ୍ର ଉନ୍ମତି ହେତା ।
ଡିସେମ୍ବର ମେହେର, ଗଣ୍ଡାବାହାଲି, ନୂଆପଡ଼ା
ମୋ.ନଂ -୭୮୯୪୭୮୮୧୩୫

Leave A Reply

Your email address will not be published.