ananya

୭୮୮ ବର୍ଷର ସମୃଦ୍ଧ ପରମ୍ପରା : ଜରାସିଂହା ପାଟଖଣ୍ତା ଯାତ୍ରା

ଦେଓଗାଁ, (ମନିଷ କୁମାର ସାହୁ) : ଜରାସି˚ହାର ଇଷ୍ଟଦେବୀ ମା’ ପାଟଖଣ୍ତାଙ୍କଠାରେ ପାଳିତ ହେଉଥିବା ବିଭିନ୍ନ ପୂଜା ପାର୍ବଣ ମଧ୍ୟରୁ ମା’ଙ୍କ ପାଟଖଣ୍ତା ଯାତ୍ରା ସବୁଠୁ ଅଧିକ ପ୍ରସିଦ୍ଧି ଲାଭ କରିଛି । ସମ୍ପୂର୍ଣ୍ଣ ଆଞ୍ଚଳିକ ପରମ୍ପରା ଓ ରୀତି ନୀତିରେ ପାଳିତ ହେଉଥିବା ଏକ ଉତ୍ସବ ସଠିକ ପ୍ରଚାର ପ୍ରସାର ଅଭାବରୁ ରାଜ୍ୟସ୍ତରରେ ସେଭଳି ନାଁ କମାଇ ପାରିନାହିଁ । ବଲାଙ୍ଗିର ଜିଲ୍ଲାର ଚିରଅବହେଳିତ ଦେଓଗାଁ ବ୍ଲକ ଜରାସି˚ହାରେ ପାଳିତ ହେଉଥିବା ଏହି ପରିମ୍ପାରିକ ଯାତ୍ରା ଆଜି କାଲି କି ମାସେ କିମ୍ବା ବର୍ଷେ ଅବଧିର ନୁହେଁ, ବର˚ ସୁଦୀର୍ଘ ୭୮୭ ବର୍ଷର ଏକ ଭବ୍ୟ ଓ ସମୃଦ୍ଧ ପରମ୍ପରା । ମା’ ପାଟଖଣ୍ତା ଯେମିତି ଅଞ୍ଚଳବାସୀଙ୍କ ସୁଖ, ଦୁଃଖ ଓ ଦୌନନ୍ଦିନ ଜୀବନଚର୍ଯ୍ୟା ସହ ଜଡ଼ିତ ତାଙ୍କ ଯାତ୍ରା ମଧ୍ୟ ସେମିତି ଲୋକଙ୍କ ଭାବନା, ଆଚାର, ବ୍ୟବହାର ସହ ଓତଃପ୍ରୋତ ଭାବେ ଜଡ଼ିତ କହିଲେ ଅତ୍ୟୁକ୍ତି ହେବନାହିଁ । ସମ୍ପୂର୍ଣ୍ଣ ଆଞ୍ଚଳିକ ଭିତ୍ତି ଓ ପ୍ରୟାସ କ୍ରମେ ପାଳିତ ହେଉଥିବା ଏହି ଯାତ୍ରାକୁ ଆଜି ଯାଏ ନା ମିଳି ପାରିଛି ରାଜ୍ୟ ସ୍ତରୀୟ ସ୍ବିକୃତି ନା ମିଳିଛି କୌଣସି ଆଖି ଦୃଶିଆ ସହାୟତା । ଫଳରେ ଆଜି କାଲିର ମହଙ୍ଗା ଯୁଗରେ ବଢୁଥିବା ଖର୍ଚ୍ଚ ଆଗରେ ଧିରେ ଧିରେ ତାର ପୂର୍ବ ଐଶ୍ୟର୍ଯ୍ୟ ହରାଇବାକୁ ବସିଲାଣି । ଚଳିତ ବର୍ଷ ୭୮୮ତମ ବର୍ଷରେ ପଦାର୍ପଣ କରିଥିବା ଏହି ପ୍ରସିଦ୍ଧ ଯାତ୍ରାକୁ ନେଇ ଆମ ଦେଓଗାଁ ପ୍ରତିନିଧି ମନୀଷ କୁମାର ସାହୁଙ୍କ ସ୍ବତନ୍ତ୍ର ଉପସ୍ଥାପନା ‘୭୮୮ ବର୍ଷର ସମୃଦ୍ଧ ପରମ୍ପରା, ଜରାସି˚ହାର ପାଟଖଣ୍ତା ଯାତ୍ରା’।

ଦେଓଗାଁ ବ୍ଲକର ଜରାସିଂହା ନିକଟ ଦେଇ କାହିଁ କେଉଁ ଅବହମାନ କାଳରୁ ବହିଯାଇଛି ସୋନଗଡ଼ ନଦୀ । ନଦୀର ଗୋଟିଏ ପାଶ୍ବରେ ଜନବସତି ରହିଥିବା ବେଳେ ଅପର ପାଶ୍ବରେ ରହିଛି ଦେଝାର ଜଙ୍ଗଲ । ଜଙ୍ଗଲ ଭିତରେ ଥିବା ଏକ ବହୁ ପୁରାତନ ମହୁଲ ଗଛର କୋରଡ଼ରେ ଅବସ୍ଥାପିତ ମା’ ପାଟଖଣ୍ତା ଦେବୀ । ତେବେ ଦେବୀଙ୍କ କୌଣସି ମୂର୍ତ୍ତି ନ ଥିବା ବେଳେ ପ୍ରତିକ ସ୍ୱରୂପ ରହିଛି ଏକ ୪ ଇଞ୍ଚ ଲମ୍ବ ଓ ୧ ଇଞ୍ଚ ଦୌଘ୍ୟ ବିଶିଷ୍ଟ ଲୁହା ଖଣ୍ତ । ଐତିହାସିକ ତଥ୍ୟ ଓ ଲୋକପ୍ରଥା ଅନୁସାରେ ପାଟଣା ରାଜା ବସ୍ତ୍ରରାଜ ଦେଓ(୧୨୧୭ ରୁ ୧୨୨୪ ମଧ୍ୟରେ)ଙ୍କ ରାଜତ୍ବ ସମୟରେ ଥରେ ମସ୍ତର ରାଜ୍ୟର ରାଜାଙ୍କ ସହିତ ତାଙ୍କର ଯୁଦ୍ଧ ଚାଲିଲା । ଉଭୟ ପକ୍ଷରୁ ବହୁ ସୌନ୍ୟ ସାମନ୍ତ ହତାହତ ମଧ୍ୟ ହୋଇଥିଲେ । ତେବେ ପାଟଣା ରାଜ୍ୟର ଅଧିଷ୍ଠାତ୍ରୀ ଦେବୀ ତଥା ଚୌହାଣ ରାଜ ବଂଶର କୁଳଦେବୀ ମା’ ପାଟଣେଶ୍ୱରୀଙ୍କ ଆଶୀର୍ବାଦ କ୍ରମେ ତାଙ୍କର ପାଟଖଣ୍ତା ଯୁଦ୍ଧରେ ରାଜା ବସ୍ତ୍ରରାଜ ଦେଓଙ୍କୁ ସହଯୋଗ କରିବାକୁ ସେ ବସ୍ତର ରାଜା ପରାସ୍ତ କରିବା ସହିତ ନିଜର ଗୌରବ ଓ ଆଧିପତ୍ୟ ଅକ୍ଷୁର୍ଣ୍ଣ ରଖି ପାରିଥିଲେ । ଫଳରେ ମା’ ପାଟଣେଶ୍ବରୀଙ୍କ ଆଶୀର୍ବାଦ ସ୍ୱରୂପ ସେହି ପାଟଖଣ୍ତାକୁ ଉକ୍ତ ଦିନଠାରୁ ମା’ ପାଟଖଣ୍ତା ଭାବେ ଜରାସି˚ହା ସ୍ଥିତ ଜଙ୍ଗଲରେ ସ୍ଥାପନା ପୂର୍ବକ ପୂଜାର୍ଚନା କରାଯାଇ ଆସୁଅଛି । ଉଭୟ ଚୌହାନ ରାଜବ˚ଶ ଓ ଜରାସି˚ହା ଜମିଦାରଙ୍କ ପୃଷ୍ଠ ପୋଷକତାରେ ଉକ୍ତ ଦିନଠାରୁ ମା’ଙ୍କ ପୂଜା ଉପଚାର ସହ ପାଟଖଣ୍ତା ଯାତ୍ରା ଆୟୋଜିତ ହୋଇ ଆସୁଛି ବୋଲି କିମ୍ବଦନ୍ତୀ ରହିଛି ।

ପାରମ୍ପରିକ ରୀତି ନୀତି ଅନୁସାରେ ପ୍ରତିବର୍ଷ ମା’ଙ୍କ ଏହି ଭବ୍ୟ ପୂଜୋତ୍ସବ ଆରମ୍ଭ ହୋଇଥାଏ ଦଶହରା କୃଷ୍ଣ ମୂଳାଷ୍ଟମୀଠାରୁ । ମୂଳାଷ୍ଟମୀ ଦିନ ମା’ଙ୍କଠାରେ ଲିଆ ତଥା ରାଜ ପ୍ରତିନିଧିଙ୍କ ଊଉପସ୍ଥିତିରେ ଖଣ୍ତାବସା, ଷୋଡ଼ଷ ଉପଚାର ପୂଜା ଆୟୋଜିତ ହୋଇଥାଏ । ଦଶହରା ଅମାବାସ୍ୟାରେ ତଲେଇ ବସା ପୂଜା, ଶୁକ୍ଳ ପକ୍ଷ ନବମୀ ପର୍ଯ୍ୟନ୍ତ ପିଠା ଭୋଗ ସହ ଗ୍ରାମୀଣ ଯାତ୍ରା ଅନୁଷ୍ଠିତ ହୋଇଥାଏ । ମା’ଙ୍କ ପାଟଖଣ୍ତା ପୂଜା ପାଇଁ ଆଶ୍ୱିନ ଶକ୍ଳ ପକ୍ଷ ମହାସପ୍ତମୀ ଦିନ ପାଟଣାଗଡ଼ ସ୍ଥିତ ମା’ ପାଟଣେଶ୍ବରୀଙ୍କ ମନ୍ଦିରରୁ ପାଟସିନ୍ଦୁର ବାହାରି ସେଠାକାର ମା’ ସମାଲେଶ୍ବରୀଙ୍କ ମନ୍ଦିର ଦେଇ ଆସିଥାଏ ଜରାସି˚ହାକୁ । ଜଣେ ଦେହୁରୀ ଓ ଜଣେ ସହାୟକ ମା’ଙ୍କ ଏହି ସିନ୍ଦୁର ଧରି ପାଦରେ ଚାଳି ଚାଳି ଆସି ଗାଁରେ ପହଞ୍ଚିବା ପରେ ଜରାସି˚ହାରେ ମା’ଙ୍କ ପୂଜକ, ଦେହୁରୀ, ସେବାୟତ ଓ ଗ୍ରାମବାସୀ ତାଙ୍କୁ ସ୍ବାଗତ କରିଥାନ୍ତି । ପରଦିନ ତଥା ଅଷ୍ଟମୀ ତିଥିରେ ମା’ ପାଟଖଣ୍ତାଙ୍କ ଷୋଡ଼ଷ ଉପଚାର ପୂଜା କରାଯାଇଥାଏ । ନବମୀ ତିଥିରେ ପାଟଣାଗଡ଼ରୁ ଅଣାଯାଇଥିବା ପାଟସିନ୍ଦୁର ବରଣ ଯାତ୍ରା ଅନୁଷ୍ଠିତ ହୋଇଥାଏ । ମା’ ପାଟଖଣ୍ତାଙ୍କ ପ୍ରତିକ ସ୍ବରୂପ ଉକ୍ତ ଲୌହ ଖଣ୍ତାକୁ ଧରିଥିବା ବରୁଆ ବା ଦେହୁରୀମାନଙ୍କ ଦେହରେ ଦେବତା ପ୍ରବେଶ କରିବାର ପ୍ରଥା ରହିଛି । ଏହି ପ୍ରଥା ଅନୁସାରେ ଦେବୀ ବରୁଆଙ୍କ ଶରୀରରେ ସବାର ହେବା ପରେ ଭକ୍ତମାନେ ତାଙ୍କର ଦର୍ଶନ କରି ନିଜ ମାନସିକ ଜଣାଇ ଆଶୀର୍ବାଦ ଭିକ୍ଷା କରିଥାନ୍ତି । ଅନ୍ୟପଟେ ପାଟଖଣ୍ତାକୁ ଦେବାଧିଦେବ ମହାଦେବଙ୍କ ଅ˚ଶ ବିଶେଷ ବୋଲି ମଧ୍ୟ ଧରାଯାଇଥାଏ । ତେଣୁ ମା’ ପାଟଖଣ୍ତା ଉଭୟ ଦେବୀ ଓ ଦେବ ଭାବେ ପୂଜା ପାଇବା ହେଉଛି ଏହି ଯାତ୍ରାର ବୌଶିଷ୍ଠ୍ୟ । ଦେବ ପୂଜନ ପାଇଁ ଏକାଦଶୀ ତିଥିରେ ୯୬ କିଲୋଗ୍ରାମ ଅରୁଆ ଚାଳଉଳର ଏକ ବିଶାଳ କାୟ ଲିଙ୍ଗ ପ୍ରସ୍ତୁତ କରାଯାଇ ବିଧିବଦ୍ଧ ଭାବେ ସ୍ଥାପନା କରାଯିବା ପରେ ପୂଜାର୍ଚନା କରାଯାଇଥାଏ । ପାଟଖଣ୍ତା ଦେବତାଙ୍କ ନିକଟରେ ଛୁଆଁ, ଅଛୁଆଁ କିଛି ନାହିଁ । ବର୍ତ୍ତମାନ ଜରାସି˚ହାର ଜମିଦାର ଦୁର୍ଗା ପ୍ରସାଦ ସି˚ଦେଓ ମା’ ପାଟଖଣ୍ତା ଦେବତାଙ୍କ ମୁଖ୍ୟ ସେବକଭାବେ ଦାୟିତ୍ବ ତୁଆଉଥିବା ବେଳେ ବରୁଆ ଭାବେ ସନ୍ତୋଷ ଥନାପତି ପୂଜା କାର୍ଯ୍ୟ ଓ ଯାତ୍ରା ସମ୍ପାଦନା କରିଥାନ୍ତି ।

ପାରମ୍ପରିକ ରୀତି ନୀତି ଅନୁଯାୟୀ ଯାତ୍ରାରେ ନିୟୋଜିତ ହୋଇଥାନ୍ତି ୩୨ ଜଣ ଦେହୁରୀ ମଧ୍ୟରୁ ୩ ଜଣ ଜମିଦାର ବ˚ଶର ନିଜେ ଜମିଦାର, ବଡ଼ ମଲ୍ଲିକ (ଦେହୁରୀମାନଙ୍କ ମୁଖ୍ୟ) ଓ ପେଠା ବାବୁ (ଯେଉଁ ଭକ୍ତ ଦେବୀଙ୍କ ବେଳ ପତ୍ର ସ˚ଗ୍ରହ ଓ ଭୋଗ ଯୋଗାଡ଼ କାର୍ଯ୍ୟରେ ଲାଗିଥାନ୍ତି) । ସେହିପରି ପୂଜା କାର୍ଯ୍ୟରେ ସ˚ପାଦନା କରିଥାନ୍ତି ୩ ଜଣ ଥନାପତି । ସେମାନେ ହେଲେ ପାଟଖଣ୍ତା ଦେବୀଙ୍କ ମୁଖ୍ୟ ବରୁଆ, ଝାଙ୍କର, ବୁଢୀ ଆଈ ଦେବୀଙ୍କ ପୂଜକ, ପତ୍ରିମାଲି ବିରୁପାଣି ଦେବତା ଦେବତାଙ୍କ ବରୁଆ । ଏଥି ସହିତ କୁର୍ଠୁଲିଆ, ଝାଙ୍କର, ସାଆନ୍ତ (ଯେଉଁ ଭକ୍ତ ଦେବୀଙ୍କ ୩ ଖଣ୍ତାର ରକ୍ଷଣା ବେକ୍ଷଣ କରିଥାନ୍ତି), ଦେହେଲିଆ (ଜୈଳିକ ବୈଶ୍ୟ ଜାତି), ସେଲମା ବ˚ଶ (ଯେଉଁ ଭକ୍ତ ମଶାଲ କାମରେ ନିୟୋଜିତ ହୋଇଥାନ୍ତି), ୪ଜଣ ବାରିକ (ତିନୋଟି ଯାକ ଦେବୀଙ୍କ ଭୋଗ ପ୍ରସ୍ତୁତ କରନ୍ତି), ୬ଜଣ ଦଣ୍ତସେନା (ଦେବୀଙ୍କ ଆର୍ବିଭାବ ସମୟରେ ବାହାରନ୍ତି), ସେଲମା(ପୂଜା ପାଇଁ ପାଣି ଯୋଗାଉଥିବା ଭକ୍ତ) । ଏଥି ସହିତ ୧୨ ଘରିଆ ୩ ଜଣ ବାଦ୍ୟକାର ଯଥା ଢୋଲିଆ, ନିଶାନିଆ ଓ ମୋହୁରିଆ । ରଣା ପୂଜା ପାଇଁ ମାଟି ପତ୍ର ଯୋଗାଉଥିବା ଦାୟିତ୍ବ ତୁଲାଉଥିବା ବେଳେ ସେଠ୍‌ ବା ପୁରାତନ ପାଟଖଣ୍ତାଙ୍କ ବଂଶଧର ଛତ୍ରୀଆ ବୁଢୀଆଈ ଛତ୍ର ଦାୟିତ୍ବ ନେଇଥାନ୍ତି । ପସାୟତ୍‌ ଓ ସେଠ୍‌ କପଡ଼ା ସଫା କରିବା ଓ ଖିଅରର କର୍ମ କରିବା ପାଇଁ ନିଜୋୟିତ ହୋଇଥାନ୍ତି । ବାହାକ ଦେବୀଙ୍କଠାରେ ବଳି କାର୍ଯ୍ୟରେ ସହଯୋଗ କରନ୍ତି । ଏହିପରି ୩୨ ଦେହୁରୀୟା ଓ ତାଙ୍କ ବ˚ଶଧର ପାରମ୍ପରିକ ରୀତି ନୀତି ଅନୁସାରେ ସେମାନଙ୍କ ପାଇଁ ଧାର୍ଯ୍ୟ ହୋଇଥିବା କର୍ମ ଆଜି ଯାଏ କରିଆସୁଛନ୍ତି ।

ଚଳିତ ବର୍ଷ ମଧ୍ୟ ନବମୀ ତିଥିରୁ ଯାତ୍ରା ଅରମ୍ଭ ହୋଇଯାଇଛି । ତେବେ ସବୁଠୁ ଗୁରୁତ୍ବ ପୂର୍ଣ୍ଣ ବିଷୟ ହେଉଛି କି ଧିରେ ଧିରେ ମହଙ୍ଗାରୁ ମହଙ୍ଗା ହୋଇ ପଡ଼ୁଥିବା ଆଜିର ସମୟରେ ପୂର୍ବ ଭଳି ଏହି ପ୍ରସିଦ୍ଧ ଯାତ୍ରାକୁ ସୁଚାରୁ ରୂପେ ସ˚ପାଦନ ଓ ପରିଚାଳନା କରିବାରେ ଅର୍ଥ ହିଁ ମୁଖ୍ୟ ପ୍ରତିବନ୍ଧକ ସାଜିଛି । ରାଜସ୍ବ ବିଭାଗ ପକ୍ଷରୁ ମାତ୍ର ଅଳ୍ପ କିଛି ସହାୟତା ଆସୁଥିବା ବେଳେ ଏହାକୁ ବଢାଇବାକୁ ବାରମ୍ବାର ଦାବୀ ହୋଇଆସୁଛି । ତେବେ ଗତ ୨୦୦୯ରୁ ଦେବୋତ୍ତର ବିଭାଗ ପକ୍ଷରୁ ୫ ହଜାର ଟଙ୍କାର ଅନୁଦାନ ଯୋଗାଇ ଦିଆଯାଉଥିବା ବେଳେ ଏହା ସମୁଦ୍ରକୁ ଶଙ୍ଖେ ସଦୃଶ ପାଳଟିଛି । ଦେବୋତ୍ତର ବିଭାଗ ଓ ସରକାର ଏହା ଉପରେ ଧ୍ୟାନ ନ ଦେଲେ ପାଖା ପାଖି ୯ ଶତାବ୍ଦୀର ଏହି ଭବ୍ୟ ପରମ୍ପରାରେ ପୂର୍ଣ୍ଣଚ୍ଛେଦ ପଡ଼ିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ।

kkkppp

Leave A Reply

Your email address will not be published.

fifteen + six =