
ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ସ୍ନେହୀ ମହିଳା ସମିତି ଓ ଗୋପବନ୍ଧୁ ପାଠାଗାରର ମିଳିତ ସହଯୋଗରେ ପାଠାଗାର ପରିସରରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ବରିଷ୍ଠ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ବ୍ରୀଜମୋହନ ସିଂହ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଶାରୀରିକ ସ୍ୱାସ୍ଥ୍ୟ ଅପେକ୍ଷା ମାନସିକ ସ୍ଵାସ୍ଥ୍ୟର ଗୁରୁତ୍ୱ ଅଧିକ ବୋଲି କହିଥିଲେ । ଯେକୌଣସି ବ୍ୟକ୍ତିର ବ୍ୟବହାର ତାଙ୍କର ବାତାବରଣ ଦ୍ୱାରରା ପ୍ରଭାବିତ ହୋଇଥାଏ । ଅସୁସ୍ଥତା କେବଳ ବୟସ ଉପରେ ନିର୍ଭରଶୀଳ ନୁହଁ । ବୟସ ଅନୁସାରେ ଶରୀରର ଅବକ୍ଷୟ ହେବା ଏକ ସ୍ୱାଭାବିକ ପ୍ରକ୍ରିୟା । ପ୍ରତ୍ୟେକ ମଣିଷର ତିନୋଟି ପୃଥକ୍ ପରିସର ବ୍ୟକ୍ତିଗତ, ସାମାଜିକ ଏବଂ ବୃତ୍ତିଗତ । ଏହି ତିନୋଟିକୁ ପରସ୍ପର ଠାରୁ ଭିନ୍ନ ରଖିବାକୁ ହେବ । ସମୟ ଅନୁଯାୟୀ ସାମାଜିକ ପରିବର୍ତ୍ତନକୁ ସ୍ୱିକାର କରିବାକୁ ପଡ଼ିବ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପରିସଂଖ୍ୟାନ ଅନୁଯାୟୀ ୨୦୫୦ ବେଳକୁ ବୟସ୍କ ନାଗରିକଙ୍କ ସଂଖ୍ୟା ଦୁଇଗୁଣ ହୋଇଯିବ ଏବଂ ଶତକଡ଼ା ୩୦ ଭାଗ ବୟସ୍କ ବ୍ୟକ୍ତି ମାନସିକ ଅବସାଦର ଶିକାର ହୋଇଥା’ନ୍ତି । ଏକାନ୍ତ ଅନୁଭବ ମଣିଷକୁ ରୋଗଗ୍ରସ୍ତ କରିଦିଏ । ଏଥିପାଇଁ ଆବଶ୍ୟକ ସହାନୁଭୂତି । ରୋଗୀଙ୍କୁ ଠିକ୍ ଭାବେ ଚିହ୍ନଟ କରି ଡ଼ାକ୍ତରଙ୍କ ପରାମର୍ଶରେ ଉପଯୁକ୍ତ ଚିକିତ୍ସାର ଆବଶ୍ୟକତା ଉପରେ ଡାକ୍ତର ସିଂହ ଗୁରୁତ୍ୱ ଆରୋପ କରିଥିଲେ । ମହିଳା ସମିତିର ସଭାପତି ସବିତା ସାହୁଙ୍କ ଆବାହକତ୍ୱରେ ଏବଂ ପାଠାଗାରର ସଭାପତି ନବଘନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସଭାରେ ଡାକ୍ତର ଗୋକୁଳାନନ୍ଦ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ସବିତା ସାହୁ ମହିଳା ସମିତି ତରଫରୁ ସମସ୍ତଙ୍କୁ ସ୍ୱାଗତ କରିବା ସହ ଆଜି ଦିବସର ମହତ୍ଵ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ମହିଳା ସମିତିର ସଦସ୍ୟା ମାନେ ସ୍ୱାଗତ ସଂଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ନମିତା ଆଚାର୍ଯ୍ୟ ମଞ୍ଚ ପରିଚାଳନା କରିଥିବା ବେଳେ ପାଠାଗାରର କୋଷାଧ୍ୟକ୍ଷ ଲକ୍ଷ୍ମଣ ନାଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ଉଭୟ ଅନୁଷ୍ଠାନର ସଦସ୍ୟ ସଦସ୍ୟା ମାନଙ୍କ ସହ ସହରର ଶତାଧିକ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ ।