ବାହାବଳପୁର ମତ୍ସ୍ୟ ଅବତରଣ କେନ୍ଦ୍ରର ଆଧୁନିକରଣ ପ୍ରକଳ୍ପର କ୍ଷେତ୍ର ପରିଦର୍ଶନ କଲେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

  • ଖର୍ଚ୍ଚ ହେବ ୩୪ କୋଟି ଟଙ୍କା

ବାଲେଶ୍ୱର, (କେପିଏନ୍‌ଏସ୍‌) : ବାଲେଶ୍ୱର ଜିଲ୍ଲା ଗସ୍ତକାଳରେ ରାଜ୍ୟ ସରକାରଙ୍କ ଏମଏସଏମଇ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବାହାବଳପୁର ସ୍ଥିତ ମତ୍ସ୍ୟ ଅବତରଣ କେନ୍ଦ୍ର (ଜେଟି) ସହ ଏହାର ଆଧୁନିକିକରଣ ପ୍ରକଳ୍ପ କ୍ଷେତ୍ର ପରିଦର୍ଶନ କରିଛନ୍ତି । ବାହାବଳପୁର ଜେଟିରେ ମତ୍ସ୍ୟ ଉତ୍ପାଦନ ନେଇ ଦେଖାଦେଉଥିବା ସମସ୍ୟା ଓ ତାହାର ନିରାକରଣ ସମ୍ପର୍କରେ ସ୍ଥାନୀୟ ମତ୍ସ୍ୟଜୀବି ଓ ବ୍ୟବସାୟୀଙ୍କ ସହ ମନ୍ତ୍ରୀ ଶ୍ରୀ ମଲ୍ଲିକ ଆଲୋଚନା କରିଥିଲେ । ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା ଅନ୍ତର୍ଗତ ବାହାବଳପୁର ଜେଟିର ଉନ୍ନତିକରଣ ପ୍ରକଳ୍ପ ପାଇଁ ସରକାର ୩୪କୋଟି ଟଙ୍କା ବ୍ୟୟ ଅଟକଳ କରିଥିବା ମନ୍ତ୍ରୀ ଶ୍ରୀ ମଲ୍ଲିକ ସୂଚନା ଦେଇଥିଲେ । ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନରେ ବାହାବଳପୁର ମତ୍ସ୍ୟ ଅବତରଣ କେନ୍ଦ୍ରର ବେଶ ଗୁରୁତ୍ୱ ରହିଛି । ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏଥିରେ ଜଡିତ ହଜାର ହଜାର ମତ୍ସ୍ୟଜୀବି ଓ ବ୍ୟବସାୟୀଙ୍କ ପାଇଁ ଏହି କେନ୍ଦ୍ରର ଆଧୁନିକରଣ ଏକ ବରଦାନ ସଦୃଶ ହେବ । ମତ୍ସ୍ୟ ଚାଷୀଙ୍କ ଜୀବିକା ସୁଦୃଢ଼ କରିବା ସହ ଅଂଚଳର ଅର୍ଥନୈତିକ ଉନ୍ନତି ପାଇଁ ଜେଟିର ଉନ୍ନତିକରଣ ଅତ୍ୟନ୍ତ ଆବଶ୍ୟକ । ସ୍ଥାନୀୟ ଅଂଚଳର ସାମଗ୍ରିକ ଉନ୍ନତି ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ପ୍ରକାଶ କରିଥିଲେ । ଖୁବଶୀଘ୍ର ଏହି ଜେଟିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ଦେବା ସହିତ ଅତ୍ୟାଧୁନିକ ମତ୍ସ୍ୟ ଅବତରଣ କେନ୍ଦ୍ରର ସଫଳ କାର୍ଯ୍ୟକାରିତାରେ ସମଗ୍ର ବାଲେଶ୍ୱର ଜିଲ୍ଲାର ଅର୍ଥନୀତିରେ ଆଶାତୀତ ଉନ୍ନତି ଦୃଶ୍ୟମାନ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ । ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ଏକ ପ୍ରମୁଖ ଜନକଲ୍ୟାଣ ପ୍ରକଳ୍ପ ଭାବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବାହାବଳପୁର ଜେଟିର ଉନ୍ନତିକରଣ ଯୋଜନା ପ୍ରସ୍ତୁତ କରାଯାଇଥିଲା । ମାତ୍ର ବିଗତ ରାଜ୍ୟ ସରକାରଙ୍କ ଉଦାସୀନତା କାରଣରୁ ଏହି ଯୋଜନା କାର୍ଯ୍ୟକାରୀ ହୋଇପାରିନଥିବା ବେଳେ ବର୍ତ୍ତମାନ ରାଜ୍ୟର ଲୋକଙ୍କ ସରକାରଙ୍କ ଦ୍ୱାରା ବାହାବଳପୁର ମାଛ ଅବତରଣ କେନ୍ଦ୍ରର ଆଧୁନିକରଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ପୂର୍ବରୁ ବାହାବଳପୁର ଠାରେ ମାଛ ଅବତରଣ ପାଇଁ ରହିଥିବା ବ୍ୟବସ୍ଥା ଆବଶ୍ୟକତା ଅନୁଯାୟୀ ଯଥେଷ୍ଟ ହେଉନଥିବା ତଥା ସେଠାରେ ଆନୁସଙ୍ଗିକ ବ୍ୟବସ୍ଥାର ଅଭାବକୁ ଦୃଷ୍ଟିରେ ରଖି ଏହି କେନ୍ଦ୍ରର ଆଧୁନିକରଣ ପାଇଁ ପଦକ୍ଷେପ ନିଆଯାଇଛି । ଏଥିପାଇଁ ଆଇଆଇଟି ଚେନ୍ନାଇ ପକ୍ଷରୁ ଏହାର ଏକ ବିସ୍ତୃତ ଡିପିଆର ପ୍ରସ୍ତୁତ କରାଯାଉଛି । ବିଶେଷ କରି ସମସ୍ତ ମାଛ ଧରା ଟ୍ରଲର, ଲଂଚ ଓ ବଡ ବୋଟଗୁଡିକକୁ ସ୍ଥାନ ଦେବା ପାଇଁ ଆବଶ୍ୟକତା ଅନୁଯାୟୀ ଜେଟିର ଦୈଘ୍ୟ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଥିବା ମନ୍ତ୍ରୀଙ୍କ ସହ ଉପସ୍ଥିତ ସଦର ବିଧାୟକ ମାନସ କୁମାର ଦତ୍ତ ଏହି ଅବସରରେ ସୂଚନା ଦେଇଛନ୍ତି । ମାଛ ଅବତରଣ କେନ୍ଦ୍ର ଆଧୁନିକରଣ ପ୍ରକଳ୍ପ ଧାର୍ଯ୍ୟ ସମୟସୀମା ମଧ୍ୟରେ କାର୍ଯ୍ୟକ୍ଷମ ହେବ ବୋଲି ବିଧାୟକ ଶ୍ରୀ ଦତ୍ତ ଆଶା ପ୍ରକାଶ କରିଛନ୍ତି । ବାଲେଶ୍ୱର ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ମଧ୍ୟ ଏହି ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.