ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଦେଷଣ୍ଢ ଗାଁ ନିକଟରେ ଥିବା ପର୍ଯ୍ୟଟନସ୍ଥଳି ଚାନ୍ଦଲି ପାହାଡ ଓ ଐତିହାସିକ ଭୁଲିଆକଟାକୁ ମଙ୍ଗଳବାର ବଲାଙ୍ଗିର ଡିଏଫ୍ଓ ସୁଦର୍ଶନ ବେହେରା, ଏସିଏଫ୍ ମାନସ ବେହେରା ପରିଦର୍ଶନ କରି ଗ୍ରାମବାସୀଙ୍କ ସହିତ ଆଲୋଚନା କରିଛନ୍ତି । ଭୁଲିଆକଟାର କିଭଳି ମାଟି ଉନ୍ନତିକରଣ ସହିତ ସୌନ୍ଦର୍ଯ୍ୟକରଣ କରାଯିବ ଓ ଚାନ୍ଦଲି ପାହାଡକୁ ଇକୋଟୁରିଜମରେ ସାମିଲ କରିବାକୁ ଅଞ୍ଚଳବାସୀ ଦାବି କରି ଆସୁଥିଲେ । ସ୍ଥାନୀୟ ଲୋକଙ୍କ ଦାବିକୁ ନେଇ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମନ୍ତ୍ରୀ ରାମସିଂ ଖୁଣ୍ଟିଆଙ୍କୁ ଚିଠିକରି ଭୁଲିଆକଟା (ମେହେରକଟା)ର ଉନ୍ନତିକରଣ ପାଇଁ ୫ କୋଟି ଟଙ୍କାର ଅନୁଦାନ ଦେବାକୁ ଅନୁରୋଧ କରିଥିଲେ । ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ପକ୍ଷରୁ ଏହି ପ୍ରକଳ୍ପର ଡିପିଆର୍ ପ୍ରସ୍ତୁତ କରି ପଠାଇବାକୁ ବଲାଙ୍ଗିର ଡିଏଫ୍ଓଙ୍କୁ ନିର୍ଦ୍ଦେଶ ଆସିଥିଲା । ବଲାଙ୍ଗିର ଡିଏଫ୍ଓ ଶ୍ରୀ ବେହେରା ସକାଳ ୯ଟାରେ ସେଠାରେ ପହଞ୍ଚି ଉଭୟ ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି । ଏହି ପରିଦର୍ଶନ ସମୟରେ ଦେଓଗାଁ ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର, ପାଟଣାଗଡ ରେଞ୍ଜର ଆନନ୍ଦ ଚନ୍ଦ୍ର ବିଶି, ବନ୍ଧପଡା ଫରେଷ୍ଟର ବି.କେ.ପୋଢ, ଦେଷଣ୍ଢ ଗାଁର ସ୍ୱୟଂମ୍ବର ମେହେର, ରାଧେଶ୍ୟାମ ମେହେର, ଘାସିରାମ ରଣା, ରଘୁମଣି ରଣା, ଦୀନବନ୍ଧୁ ମେହେର, ଟିଙ୍କୁ ଷଢଙ୍ଗୀ, ସତ୍ୟନାରାୟଣ ଷଢଙ୍ଗୀ, ଦୁଲ ଷାଣ୍ଢ, ଇନ୍ଦ୍ରଜିତ ରାଉତ, ରାଜେନ୍ଦ୍ର ସାଏ, ଡମନ ବେହେରା, ସୁରେଶ ନାଏକ, ବନମାଳି ମେହେର, ସୁରେଶ ନାଏକ, ବିଦ୍ୟାଧର ନାଏକ ପ୍ରମୁଖଙ୍କ ସହିତ ବହୁସଂଖ୍ୟାରେ ଲୋକମାନେ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ, ଭୁଲିଆକଟା (ମେହେରକଟା) ପାଟଣାଗଡ ରେଞ୍ଜ ବନ୍ଧପଡା ରେଞ୍ଜ ଅନ୍ତର୍ଗତ କିରିବାଞ୍ଜି ସଂରକ୍ଷିତ ଜଙ୍ଗଲ ଭିତରେ ରହିଛି । ଶହ ଶହ ବର୍ଷ ପୂର୍ବରୁ ମେହେର ପରିବାର ପକ୍ଷରୁ ଖନନ କରାଯାଇଥିବା ଏହି କଟା ୬୭ଏକର ବିଶିଷ୍ଟ ଓ ବର୍ଷସାରା ପାଣି ରହିଥାଏ । କିନ୍ତୁ ବହୁବର୍ଷ ହେଲା ଏହାର ପଙ୍କୋଦ୍ଧାର ହେଉନଥିବାରୁ ଏହି ପୁଷ୍କରିଣୀ ଆସ୍ତେ ଆସ୍ତେ ପୋତି ହୋଇଯାଉଛି । ଏହି ପୁଷ୍କରିଣୀ ଉପରେ ପ୍ରାୟ ୫ଖଣ୍ଡ ଗ୍ରାମର ଲୋକ ନିର୍ଭର କରୁଥିବା ବେଳେ ଜଙ୍ଗଲ ଭିତରେ ଥିବାରୁ ବନ୍ୟଜନ୍ତୁ, ପକ୍ଷୀ ଇତ୍ୟାଦି ପାଣି ପିଉଛନ୍ତି । ଚାନ୍ଦଲି ପର୍ଯ୍ୟଟନସ୍ଥଳି ପାଖରେ ଏହା ଥିବାରୁ ଏହାକୁ ପୁନଃରୁଦ୍ଧାର କରାଯାଇ ସୌନ୍ଦର୍ଯ୍ୟକରଣ କରାଗଲେ ପର୍ଯ୍ୟଟକମାନଙ୍କ ପାଇଁ ମଧ୍ୟ ସୁବିଧା ହେବ । ଏହାବାଦ ଏଠାରୁ ତଳମୁଣ୍ଡରେ ଥିବା ଚାଷ ଜମିଗୁଡିକୁ ଜଳସେଚନ ମଧ୍ୟ କରାଯାଇପାରିବ । ତେଣୁ ଏହାର ଉନ୍ନତିକରଣ ନିତାନ୍ତ ଆବଶ୍ୟକ । ଏକ ସୁନ୍ଦର ପ୍ରାକୃତିକ ପରିବେଶ ମଧ୍ୟରେ ଥିବା ଏହି ପୁଷ୍କରିଣୀର ବିକାଶ ପାଇଁ ୫କୋଟି ଟଙ୍କାର ଉର୍ଦ୍ଧ୍ୱ ଟଙ୍କାର ଅନୁଦାନ ପାଇଁ ଡିପିଆର୍ ପ୍ରସ୍ତୁତ କରିବାକୁ ଡିଏଫ୍ଓଙ୍କୁ ଅନୁରୋଧ କରାଯାଇଥିଲା । ସେହିପରି ଚାନ୍ଦଲି ପାହାଡକୁ ପୂର୍ବର ରାଜ୍ୟ ସରକାର ୧ କୋଟି ଟଙ୍କାର ଅନୁଦାନ ଦେଇ ପର୍ଯ୍ୟଟନସ୍ଥଳି ଘୋଷଣା କରିଥିଲେ । ଚାନ୍ଦଲି ପାହାଡକୁ ବିଦ୍ୟୁତ ସଂଯୋଗ, ପାନୀୟ ଜଳ ବ୍ୟବସ୍ଥା, ପାହାଡ ଉପରକୁ ପାହାଚ, ପର୍ଯ୍ୟଟକଙ୍କ ପାଇଁ ଅପେକ୍ଷା ଗୃହ ଇତ୍ୟାଦି ନିର୍ମାଣ ସରିଛି । ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାରୁ ଚାନ୍ଦଲି ପାହାଡ ପର୍ଯ୍ୟନ୍ତ ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ୩ କୋଟି ୨୬ ଟଙ୍କାରେ ନିର୍ମାଣ କରାଉଛି । ଆଗକୁ ଆହୁରି ଗୁଡାଏ ଉନ୍ନୟନ କାମର ଆବଶ୍ୟକତା ରହିଛି । ଆସନ୍ତା ଡିସେମ୍ବର ୩୦ ତାରିଖରୁ ହେବାକୁ ଥିବା ଅଷ୍ଟମ ଚାନ୍ଦଲି ପାହାଡ ମହୋତ୍ସବ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା ।