ଏନ୍ଆଇଟି ରାଉରକେଲା ଫୁଡ୍ ଟେକ୍ନୋଲୋଜି ଛାତ୍ରଛାତ୍ରୀଙ୍କର ଗୃହସ୍ଥୀ ମସଲା କାରଖାନା, ଗୃହସ୍ଥୀ ଡେୟାରୀ ଓ ଶ୍ରୀ ଗୋମନ୍ଦିର ଗୋଶାଳା ପରିଦର୍ଶନ
ରାଉରକେଲା, (ସସ୍ମିତା ପ୍ରଧାନ) : ଏନ୍ଆଇଟି ରାଉରକେଲାର ଫୁଡ୍ ଟେକ୍ନୋଲୋଜି ବିଭାଗର ୩୦ ଜଣ ଛାତ୍ରଛାତ୍ରୀ ତାଙ୍କ ଫ୍ୟାକଲ୍ଟି ସଦସ୍ୟ ଅରୁଣ ପ୍ରସାଦଙ୍କ ସହ ଶିକ୍ଷାମୂଳକ ଓ ଶିଳ୍ପ ଭ୍ରମଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଗୃହସ୍ଥୀ ମସଲା କାରଖାନା, ଗୃହସ୍ଥୀ ଡେୟାରୀ ଓ ଶ୍ରୀ ଗୋମନ୍ଦିର ଗୋଶାଳା ପରିଦର୍ଶନ କରିଥିଲେ । ଏହି ଭ୍ରମଣର ଉଦ୍ଦେଶ୍ୟ ଛାତ୍ରଛାତ୍ରୀଙ୍କୁ ଫୁଡ୍ ପ୍ରୋସେସିଂ, ଡେୟାରୀ ପରିଚାଳନା, ଗୁଣମାନ ନିୟନ୍ତ୍ରଣ, ସ୍ୱଚ୍ଛତା ମାନଦଣ୍ଡ ଓ ଗୃହସ୍ଥୀ ଦ୍ୱାରା ଅନୁସରଣ କରାଯାଉଥିବା ପ୍ରକ୍ରିୟା ବିଷୟରେ ବ୍ୟବହାରିକ ଜ୍ଞାନ ପ୍ରଦାନ କରିବାର ଥିଲା । ଛାତ୍ରଛାତ୍ରୀଙ୍କୁ କାଚାମାଳ ଆହରଣରୁ ଆରମ୍ଭ କରି ଉତ୍ପାଦନ, ପ୍ୟାକେଜିଂ ଓ ବିତରଣ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରକ୍ରିୟା ସମ୍ପର୍କରେ ଅବଗତ କରାଯାଇଥିଲା । କାର୍ଯ୍ୟକ୍ରମରେ ଗୃହସ୍ଥୀର ସିଏମ୍ଡ଼ି ଗଣେଶ ପ୍ରସାଦ ବଗଡ଼ିଆ ଓ ନିର୍ଦ୍ଦେଶିକା ଶ୍ରୀମତୀ ମଞ୍ଜୁ ଦେବୀ ବଗଡ଼ିଆଙ୍କ ଗରିମାମୟ ଉପସ୍ଥିତି ରହିଥିଲା । ସେମାନେ ଛାତ୍ରଛାତ୍ରୀଙ୍କ ସହ ସମ୍ବାଦ କରି ଉଦ୍ୟମିତା, ଫୁଡ୍ ଟେକ୍ନୋଲୋଜିରେ ନବୋନ୍ମେଷ ଓ ଗୃହସ୍ଥୀ ବ୍ରାଣ୍ଡର ସଫଳତା ଯାତ୍ରା ବିଷୟରେ ମତାମତ ରଖିଥିଲେ । ଏହି ସମ୍ପୂର୍ଣ୍ଣ ଭ୍ରମଣ କାର୍ଯ୍ୟକ୍ରମର ସଫଳ ପରିଚାଳନା ଗୃହସ୍ଥୀର ସିଇଓ ଅମିତ କୁମାର ଅଗ୍ରୱାଲଙ୍କ ଦ୍ୱାରା କରାଯାଇଥିଲା । ସେ ସମସ୍ତ ସତ୍ରର ସୁଚାରୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବାରେ ଶ୍ରୀମତୀ ସଂଗୀତା କୁଣ୍ଡୁ, ଶ୍ରୀମତୀ ଅଞ୍ଜଳି ସାହୁ ଓ ପ୍ରଫୁଲ୍ଲ କୁମାର ପାତ୍ରଙ୍କ ବିଶେଷ ସହଯୋଗ ରହିଥିଲା, ଯେଉଁମାନେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ବିଭାଗ ପରିଦର୍ଶନ କରାଇ କାର୍ଯ୍ୟପ୍ରଣାଳୀ ବିଷୟରେ ଅବଗତ କରାଇଥିଲେ । ଛାତ୍ରଛାତ୍ରୀମାନେ ଏହି ବ୍ୟବହାରିକ ପ୍ରଶିକ୍ଷଣ ଓ ଶିଳ୍ପ ଅନୁଭବ ପ୍ରତି ଉତ୍ସାହ ପ୍ରକାଶ କରିଥିଲେ । ଫ୍ୟାକଲ୍ଟି ସଦସ୍ୟ ଅରୁଣ ପ୍ରସାଥ ଓ ସମସ୍ତ ଛାତ୍ରଛାତ୍ରୀ ଗୃହସ୍ଥୀ ପରିଚାଳନାକୁ ଆତିଥ୍ୟ ଓ ଶିକ୍ଷାମୂଳକ ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ । ଏପରି ଶିଳ୍ପ–ଶିକ୍ଷା ସହଯୋଗ ଛାତ୍ରଛାତ୍ରୀଙ୍କର ବ୍ୟବହାରିକ ବୁଝାମଣାକୁ ମଜବୁତ କରେ ଏବଂ ଫୁଡ୍ ଟେକ୍ନୋଲୋଜିର ବାସ୍ତବ ପ୍ରୟୋଗ ବୁଝିବାରେ ସାହାଯ୍ୟ କରେ ।