ନିଜ ଖର୍ଚ୍ଚରେ ପୋଖରୀରୁ ପଙ୍କ ବାହାର କଲେ ସାନକଲଙ୍ଗାପାଲି ଗ୍ରାମବାସୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ବାଲିପଟା ପଞ୍ଚାୟତ ଅନ୍ତର୍ଗତ ସାନକଲଙ୍ଗାପାଲିରେ ପାନୀୟ ଜଳ ସମସ୍ୟା ପାଇଁ ଗ୍ରାମବାସୀ ପାଣ୍ଠି ସଂଗ୍ରହ କରି ନିଜ ପୋଖରୀରୁ ପଙ୍କ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ କଲଙ୍ଗାପାଲି ଗ୍ରାମରେ ପ୍ରାୟ ୫ ଶହରୁ ଉର୍ଦ୍ଧ୍ୱ ଲୋକେ ବାସ କରନ୍ତି । ପାନୀୟ ଜଳ ସୁବିଧା ପାଇଁ କେବଳ ନଳକୂପ ରହିଛି । ହେଲେ ଗାଧୋଇବା ପାଇଁ ଗ୍ରାମରେ କେବଳ ଗୋଟିଏ ପିପଲ ନାମକ ଏକ ପୁରୁଣା ପୋଖରୀ ରହିଛି । ଏହି ପୁରୁଣା ପୋଖରୀ ଉପରେ ଗ୍ରାମବାସୀ ନିର୍ଭର କରିଥାନ୍ତି । ଗ୍ରୀଷ୍ମ ଋତୁରେ ପୋଖରୀର ପାଣି ଶୁଖିଯାଇଥାଏ । ଯାହାଫଳରେ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଗତ ୩ ବର୍ଷ ତଳେ ଜିଲ୍ଲାପାଳଙ୍କ ଶୁଣାଣି ସମୟରେ ଗ୍ରାମର ଜଳଧର ସାହୁ ଗ୍ରାମବାସୀଙ୍କ ସହ ପୋଖରୀର ପଙ୍କ ଉଦ୍ଧାର କରିବା ପାଇଁ ପାଟଣାଗଡ଼ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ । ଏହାପରେ ବ୍ଲକ ବିଡିଓ ଓ ପୂର୍ବତନ ଚେୟାରମ୍ୟାନ ସହ ପାଟଣାଗଡ଼ ବିଧାୟକଙ୍କୁ ମଧ୍ୟ ଏ ସମ୍ପର୍କରେ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନଥିଲା । ଶେଷରେ ଗ୍ରାମବାସୀଙ୍କ ପକ୍ଷରୁ ଏକ ବୈଠକ ଡକାଯାଇ ଏକ କମିଟି ଗଠନ କରାଯାଇଥିଲା । ଉକ୍ତ କମିଟିର ସଭାପତି ମହିମା ବିଶି, ଉପସଭାପତି ବଲରାମ ସେଠ, ସଂପାଦକ ବାଳକୃଷ୍ଣ ସାହୁ, କୋଷାଧ୍ୟକ୍ଷ ବ୍ରହ୍ମାନନ୍ଦ ସାହୁ ରହିଥିଲେ । କମିଟିରେ ସର୍ବ ସମ୍ମତି କ୍ରମେ ଗ୍ରାମର ପ୍ରତ୍ୟେକ ପରିବାରରୁ ୧ ହଜାର ଟଙ୍କା ଲେଖାଏଁ ସଂଗ୍ରହ କରି ପଙ୍କୋଦ୍ଧାର କରିଥିଲେ । ସଂପାଦକ ଶ୍ରୀ ସାହୁଙ୍କ କହିବା ଅନୁସାରେ ଗ୍ରାମ ପାଣ୍ଠିରେ ଆଉ ୨ ଲକ୍ଷ ଟଙ୍କା ରହିଛି । ପଙ୍କ ଉଦ୍ଧାର ପାଇଁ ସଂଗ୍ରହ କରିଥିବା ପାଣ୍ଠି ଶେଷ ହେବାରେ ବସିଛି । ବ୍ଲକ ପ୍ରଶାସନ ତରଫରୁ କୌଣସି ସରକାରୀ ସହାୟତା ନମିଳିଲେ ଗ୍ରାମ ପାଣ୍ଠିରେ ଥିବା ୨ ଲକ୍ଷ ଟଙ୍କା ବାହାର କରି ପଙ୍କ ଉଦ୍ଧାର କାର୍ଯ୍ୟରେ ବିନିଯୋଗ କରାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି । ଖବର ପାଇ ଜୋନ୍ ନଂ୧୫ର ଜିଲ୍ଲା ପରିଷଦ କସ୍ତୁରୀ ସେଠ ମଧ୍ୟ ପୋଖରୀ ଖୋଲା ସ୍ଥାନକୁ ଆସି ଏ ସମସ୍ୟା ବିଷୟରେ ବିଡିଓଙ୍କୁ ଜଣାଇବି ବୋଲି କହିଥିଲେ । ଏ ସମ୍ପର୍କରେ ପାଟଣାଗଡ଼ ବିଡିଓ ନୀଳମାଧବ ସୁନାଙ୍କୁ ପୁରାଇବାରୁ ଉକ୍ତ ପୋଖରୀ ନାମରେ ଫାଇଲ୍ ଲାଗିଛି । ଯଥାଶୀଘ୍ର ଅନୁଦାନ ଦିଆଯିବା ସହ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି । ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ନୀଳକାନ୍ତ ବାଗଙ୍କୁ ପଚରାଯିବାରୁ ଏ ସମ୍ପର୍କରେ ମୋ ପାଖରେ କୌଣସି ସୂଚନା ନାହିଁ ବୋଲି କହିଥିଲେ । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ସହ ପୋଖରୀରୁ ପଙ୍କ ଉଦ୍ଧାରରେ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.