jayashree

ଗୁଣ୍ଡୁରୁପାଲି ଗାଁରେ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଉପାନ୍ତରୁ ଅଭ୍ୟନ୍ତର ସବୁଠି ଜଳୁଛି ଓଡିଶା । ଗ୍ରାମାଞ୍ଚଲ ହେଉ ଅବା ସହରାଞ୍ଚଳ ହେଉ ପ୍ରବଳ ଗରମ ସହ ଗୁଳୁଗୁଳି ଜନ ଜୀବନକୁ ଅସ୍ତବ୍ୟସ୍ତ କରି ପକାଇଥିବା ବେଳେ ଜଳାଶୟମାନଙ୍କରୁ ପାଣି ବି କମିକମି ଯାଉଛି । ଜଳଉତ୍ସ ଗୁଡିକରେ ପାଣିର ଅଭାବ ଯାହାଦ୍ୱାରା ପାନୀୟ ଜଳ ପାଇଁ ଅନେକ ସ୍ଥାନରେ ସମସ୍ୟା ଦେଖାଦେଇଛି । ଗୋଟିଏ ପଟେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଅନ୍ୟ ପଟେ ପାନୀୟ ଜଳ ସମସ୍ୟା । ଏପରି କ୍ଷେତ୍ରରେ ଅନେକ ଅଞ୍ଚଳରେ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଯାହାର ସ୍ପଷ୍ଟ ଉଦାହରଣ ହେଉଛି ଖପ୍ରାଖୋଲ ପଞ୍ଚାୟତ ଗୁଣ୍ଡୁରୁପାଲି ଗାଁରେ । ଗାଁର ଜନସଂଖ୍ୟା ପ୍ରାୟ ୮ ଶହ ହେବ । ଗାଁରେ ୫ଟି ନଳକୂଅ ଥିଲେ ମଧ୍ୟ ଗାଁ ମୁଣ୍ଡ ପ୍ରହରୀ ମଣ୍ଡପ ପାଖରେ ଥିବା ସୋଲାର ଜଳ ଯୋଗାଣ ପ୍ରକଳ୍ପର ପାଣିକୁ ପାନୀୟ ଜଳ ଭାବରେ ଗ୍ରାମବାସୀ ବ୍ୟବହାର କରିଥାନ୍ତି । ଖରାଯୋଗୁଁ କିଛି ଦିନ ହେଲା ସୋଲାର ପ୍ରକଳ୍ପରୁ ଆବଶ୍ୟକ ପାଣି ବାହାରୁ ନ ଥିବାରୁ ପାନୀୟ ଜଳ ସଂଗ୍ରହ ପାଇଁ ଘଣ୍ଟା ଘଣ୍ଟା ଧରି ଗରା, ମାଠିଆ, ବାଲଟି ରଖି ପାଣି ପାଇଁ ମହିଳାମାନେ ଅପେକ୍ଷା କରି ରହୁଥିବା ଦେଖିବାକୁ ମିଳିଛି । ଗ୍ରାମବାସୀ ସୋଲାର ପ୍ରକଳ୍ପକୁ ଠିକ୍‌ରେ ମରାମତି କରି ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ ପାଇଁ ବିଭାଗୀୟ ଅଧିକାରୀଙ୍କ ଠାରେ ପୂର୍ବରୁ ଅଭିଯୋଗ କରି ଆସିଥିଲେ ମଧ୍ୟ କିଛି ଫଳ ମିଳି ନ ଥିବା କ୍ଷୋଭର ସହ ପ୍ରକାଶ କରିଛନ୍ତି । ନାଏବ ସରପଞ୍ଚ ସନ୍ତୋଷ ବାଗ, ଟିକେଲାଲ ନିଆଲ, ଥବିର ସେଲମା, ଗ୍ରାମର ସ୍ୱୟଂ ସହାୟିକା ଦଳର ମହିଳା ଓ ଗ୍ରାମବାସୀମାନେ ତୁରନ୍ତ ପାନୀୟ ଜଳ ସମସ୍ୟାର ସମାଧାନ ନ କଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲେଇବେ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.