ରାଇରଙ୍ଗପୁରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ରାଇରଙ୍ଗପୁର, (ଶ୍ୟାମଳେନ୍ଦୁ ପରିଡା) : ଆଜି ବାମନଘାଟି ଉପଖଣ୍ଡ ପ୍ରଶାସନ ତରଫରୁ ବାମନଘାଟି ଉପଜିଲ୍ଲାପାଳ ସରୋଜ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରାଇରଙ୍ଗପୁର ସ୍ଥିତ କଚେରୀ ପଡିଆ ଠାରେ ଉପଖଣ୍ଡ ସ୍ତରୀୟ ଦଶମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମ ଓ କର୍ମଚାରୀଙ୍କ ରାଜ୍ୟ ବୀମା ବିଭାଗର ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ଅନ୍ୟତମ ଅତିଥି ଭାବେ ବିଧାୟକ, ରାଇରଙ୍ଗପୁର ଜଲେନ ନାଏକ ଯୋଗଦାନ କରିଥିଲେ । କାର୍ଯ୍ୟ ସୂଚୀ ଅନୁସାରେ ପ୍ରାତଃ ୬ଟା ସମୟରେ ଯୋଗ କ୍ରିୟାରେ ଅଂଶ ଗ୍ରହଣ କରିବାକୁ ଆସିଥିବା ଅଂଶ ଗ୍ରହଣକାରୀଙ୍କ ନାମ ପଞ୍ଜିକରଣ କରାଯାଇଥିଲା । ଏହାପରେ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଏହି ଅବସରରେ ନିମନ୍ତ୍ରିତ ଅତିଥିମାନେ ସାମ୍ପ୍ରତିକ ପରିସ୍ଥିତିରେ ଦୈନନ୍ଦିନ ଜୀବନ ଚର୍ଯ୍ୟାରେ ଯୋଗର ଭୂମିକା ଓ ଉପାଦେୟତା ସମ୍ଭନ୍ଧରେ ଆଲୋକପାତ କରିଥିଲେ । ନିୟମିତ ଯୋଗ ସାଧନା ଦ୍ୱାରା ନିଜ ଶରୀରକୁ ନିରୋଗ ରଖିବା ସହିତ ଏକ ସୁସ୍ଥ ସମାଜ ଗଠନ କରିବା ଦିଗରେ ଏହା ସହାୟକ ହେବ ବୋଲି ଚଳିତ ବର୍ଷ ଯୋଗ ଦିବସର ବିଷୟ ବସ୍ତୁ ‘ନିଜ ପାଇଁ ଓ ସମାଜ ପାଇଁ ଯୋଗ’ ମାଧ୍ୟମରେ ମତପୋଷଣ କରିଥିଲେ । ବିଶେଷ କରି ଆଜିକାଲି ଜଳବାୟୁର ଅସ୍ୱାଭାବିକ ପରିବର୍ତ୍ତନ ସାଙ୍ଗକୁ ଲୋକମାନଙ୍କ ବ୍ୟସ୍ତବହୁଳ ଜୀବନ ଶୈଳୀ ହେତୁ ନିଜ ଶରୀର ପ୍ରତି ଉପଯୁକ୍ତ ଧ୍ୟାନ ନଦେବା ତଥା ଶରୀରକୁ କ୍ଷତି ପହଞ୍ଚାଉଥିବା ବିଭିନ୍ନ ପ୍ରକାର ଖାଦ୍ୟ ଗ୍ରହଣ ଯୋଗୁଁ ଅଧିକାଂଶ ଲୋକ ରକ୍ତଚାପ, ମଧୁମେହ, ହୃଦଘାତ, ଆଜମା, ବୃକ୍ୟକ କାର୍ଯ୍ୟ ନକରିବା, ଆଣ୍ଠୁ ଗଣ୍ଠି ଓ ମେରୁଦଣ୍ଡ ଯନ୍ତ୍ରଣା ତଥା ସ୍ନାୟୁ ଜନିତ ସମସ୍ୟା, ନିଦ୍ରାହୀନତା, ଅର୍ଦ୍ଧକପାଳି ମୁଣ୍ଡ ବ୍ୟଥା ଇତ୍ୟାଦି ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାର ଦେଖା ଯାଉଛି ଯାହାକି ନିୟମିତ ଯୋଗଭ୍ୟାସ ଦ୍ୱାରା କେତେକାଂଶରେ ଭଲ ହୋଇ ଯିବାର ସମ୍ଭାବନା ରହିଛି । ତେଣୁ ଦୈନନ୍ଦିନ ଜୀବନ ଚର୍ଯ୍ୟାରେ ସମସ୍ତେ ଯୋଗକୁ ଏକ ଅଂଶ ଭାବେ ଗ୍ରହଣ କରନ୍ତୁ ଏବଂ ନିଜକୁ ସୁସ୍ଥ ରଖିବା ପାଇଁ ପ୍ରତ୍ୟେକ ଦିନ କିଛି ସମୟ ଯୋଗଭ୍ୟାସ କରିବା ପାଇଁ ପରାମର୍ଶ ଦେଇଥିଲେ । କାରଣ ନିୟମିତ ଯୋଗ କ୍ରିୟା ଯେ, କେବଳ ଶାରୀରକୁ ସୁସ୍ଥ ରଖିଥାଏ ତା ନୁହେଁ ବରଂ ମାନସିକ ଶାନ୍ତି ପ୍ରଦାନ କରିଥାଏ ଓ ବୌଦ୍ଧିକ ଜ୍ଞାନର ବିକାଶ ଘଟାଇ ଥାଏ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟ ସୂଚୀ ଅନୁଯାୟୀ ସକାଳ ଠିକ୍‌ ୭ଟା ସମୟରେ ଈଶ୍ୱରଙ୍କୁ ପ୍ରାର୍ଥନା ସହ ଏକ ଶାନ୍ତସ୍ନିଗ୍ଧ ପରିବେଶ ମଧ୍ୟରେ ସାମୁହିକ ଯୋଗ କ୍ରିୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ବର୍ଗର ଯଥା ଛାତ୍ରଛାତ୍ରୀ, ଯୁବକ, ଯୁବତୀ, ମହିଳା ପୁରୁଷ, ବରିଷ୍ଠ ନାଗରିକ ସରକାରୀ ପଦାଧିକାରୀ ଓ କର୍ମଚାରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ବିଭିନ୍ନ ଯୋଗ ଅନୁଷ୍ଠାନର ପ୍ରଶିକ୍ଷକ, ପ୍ରଶିକ୍ଷାର୍ଥୀ ଓ କର୍ମକର୍ତ୍ତା ଏବଂ ସମାଜରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କୁ ମିଶାଇ ପାଖାପାଖି ୧୨୦୦ରୁ ଅଧିକ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.