ବିଶ୍ୱ ହୃତପିଣ୍ଡ ପୁନଃ-ସଞ୍ଚାଳନ ଦିବସ ପାଳିତ

• ୨୦୩୦ ମସିହା ସୁଦ୍ଧା ଭାରତରେ ହୃତପିଣ୍ଡଜନିତ ମୃତ୍ୟୁ ବିଶ୍ୱରେ ସର୍ବାଧିକ ହେବ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭୁବନେଶ୍ୱର ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ ଏ.ଜି ଆମ୍ବୁଲାନ୍ସ ଡିଭିଜନ ଆନୁକୂଲ୍ୟରେ ଓ କେୟାର ହସ୍ପିଟାଲ ଏବଂ ଭୁବନେଶ୍ୱର ବିପର୍ଯ୍ୟୟ ପ୍ରସ୍ତୁତି ଓ ପ୍ରମସନ ପରିଚାଳନା ସଂସ୍ଥା ସହଯୋଗରେ ସୋମବାର ବିଶ୍ୱ ହୃତପିଣ୍ଡ ପୁନଃ-ସଞ୍ଚାଳନ ଦିବସ ୧୬ ଓ ୧୭ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ପ୍ରଧାନ ମହାଲେଖାକାର ରାଜ କୁମାର, ଉପ ମହାଲେଖାକାର ସୁଶ୍ରୀ ମନାଲିକା ବୋର୍ଗୋହାଇନ, ଡିପିଆରଏମର ସାଧାରଣ ସମ୍ପାଦକ ସୌଭାଗ୍ୟ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥିମାନେ ତାଙ୍କ ଅଭିଭାଷଣରେ ବିଶ୍ୱରେ ହୃତପିଣ୍ଡଜନିତ ମୃତ୍ୟୁ କ୍ରମାଗତ ବୃଦ୍ଧି ପାଉଥିବାରୁ ଉଦ୍‌ବେଗ ପ୍ରକାଶ କରିଥିଲେ । ପ୍ରଧାନ ମହାଲେଖାକାର ଶ୍ରୀ ବେହେରା ଜନସାଧାରଣଙ୍କୁ ସିପିଆର ତାଲିମ ଓ ଠିକ ସମୟରେ ଡାକ୍ତରୀ ସହାୟତା ପହଞ୍ଚାଇ ପାରିଲେ ଡାକ୍ତରଖାନା ବାହାରେ ଘଟୁଥିବା ହୃତପିଣ୍ଡଜନିତ ମୃତ୍ୟୁ ସଂଖ୍ୟା ରୋକା ଯାଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ପ୍ରଧାନ ମହାଲେଖାକାର ରାଜ କୁମାର ଭାରତର ବିଦ୍ୟାଳୟ ପାଠ୍ୟକ୍ରମରେ ସିପିଆର ତାଲିମ ବିଷୟବସ୍ତୁ ରଖାଯିବାକୁ ମତବ୍ୟକ୍ତ କରିଥିଲେ । ଭାରତରେ ପ୍ରତିବର୍ଷ ୧.୮ ମିଲିୟନ ଲୋକ ହୃଦଘାତ ଓ ହୃତସ୍ପନ୍ଦନ ବନ୍ଦ ଯୋଗୁଁ ପ୍ରାଣ ହରାଉଥିବା ବେଳେ ଓଡ଼ିଶାର ବର୍ଷକୁ ୧୫ ହଜାର ଲୋକ ପ୍ରାଣ ହରାଉଛନ୍ତି । ସେମାନଙ୍କ ମଧ୍ୟରୁ ୯୦ ଭାଗ ଲୋକ ଘରେ, କର୍ମସ୍ଥଳୀ ଓ ସର୍ବସାଧାରଣ ସ୍ଥାନରେ ହୃତସ୍ପନ୍ଦନ ବନ୍ଦରେ ପୀଡିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୮୦ ଭାଗ ଲୋକ ଡାକ୍ତରଖାନାରେ ପହଂଚିବା ପୂର୍ବରୁ ମୃତ୍ୟୁବରଣ କରୁଛନ୍ତି । ଆମେରିକାରେ ହୃତପିଣ୍ଡ ବନ୍ଦ ପୀଡିତା ଯାହାଙ୍କୁ ସିପିଆର ଦିଆଯାଇ ଡାକ୍ତଖାନା ନିଆ ଯାଉଥିଲା ସେମାନଙ୍କ ମଧ୍ୟରୁ ୪୬ ଭାଗ ପୀଡ଼ିତାଙ୍କ ଜୀବନ ବଞ୍ଚିଯାଇଥିଲା । ହୃତପିଣ୍ଡ ବନ୍ଦର ୩ ମିନିଟ୍‌ ମଧ୍ୟରେ ସିପିଆର ଦିଆଯାଇପାରିଲେ ବହୁ ଲୋକଙ୍କ ଜୀବନ ବଞ୍ଚା ଯାଇପାରିବ ଓ ଏହି ସିପିଆର ସାଧାରଣ ଲୋକ ତାଲିମ ନେବା ପରେ ଦେଇ ପାରିବେ ବୋଲି ସେଣ୍ଟ ଜନ ଆମ୍ବୁଲାନ୍ସର ସହକାରୀ ଆଯୁକ୍ତ ପୁରୁଷୋତ୍ତମ ବଳ ପ୍ରକାଶ କରିଥିଲେ । ଆମେରିକାର ୪୬ ଭାଗ, ଜାପାନରେ ୫୦ ଭାଗ ସିପିଆର ଜାଣିଥିବା ବେଳେ ଭାରତରେ ମାତ୍ର ୨ ଭାଗ ଲୋକଙ୍କୁ ସିପିଆର ଜଣାଅଛି । ଏହି ଦିବସ ପାଳନ ଅବସରରେ ‘ମୋ ସ୍କୁଲ’ ସହଯୋଗରେ ପୁରୀ ଜିଲ୍ଲାର ପାଞ୍ଚ ହଜାର ଛାତ୍ରଛାତ୍ରୀଙ୍କୁ ସିପିଆର ତାଲିମ ପ୍ରଦାନ କରାଯାଇଛି ଓ ଏହିବର୍ଷ ସାରା ଓଡ଼ିଶାର ୫୦ ହଜାର ଛାତ୍ରଛାତ୍ରୀଙ୍କୁ ବିପର୍ଯ୍ୟୟ ପ୍ରସ୍ତୁତି ଓ ପ୍ରଶମନ ତଥା ଜୀବନ ରକ୍ଷା କୌଶଳ ସମ୍ବନ୍ଧରେ ତାଲିମ ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଡିପିଆରଏମର ସମ୍ପାଦକ ଶ୍ରୀ ଦାସ ପ୍ରକାଶ କରିଥିଲେ ।

ଏହି ସିପିଆର ତାଲିମ କାର୍ଯ୍ୟକ୍ରମକୁ କେୟାର ହସ୍ପିଟାଲର ସହକାରୀ ପ୍ରାଧ୍ୟାପକ ଡ଼. ସମ୍ବିତ ସ୍ୱାଇଁ, ଦୀପକ କୁମାର ଚୌଧୁରୀ, ପର୍ଶୁଧର ସାମନ୍ତରାୟ, ଡିପିଆରଏମ ଯୁଗ୍ମ ସଚିବ ରାଜେଶ ମହାନ୍ତି ଓ ଦିବ୍ୟସିଂହ ପଟ୍ଟନାୟକ ପରିଚାଳନା କରିଥିଲେ । ପ୍ରଧାନ ମହାଲେଖାକାରଦ୍ୱୟ ଏଭଳି କାର୍ଯ୍ୟକ୍ରମ ଆୟୋଜନକୁ ଉଚ୍ଚ ପ୍ରଶଂସା କରିବା ସହ କମ୍ୟୁନିଟିରେ ଏହି ତାଲିମ ପ୍ରଦାନ ପାଇଁ କହିଥିଲେ । ପ୍ରଧାନ ମହାଲେଖାକାରଙ୍କ ସଚିବ ସୁଚିତ୍ରା ଭଟ ତାଲିମ ଆୟୋଜନକାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ କଲ୍ୟାଣ ଅଧିକାରୀ ପ୍ରଦୀପ କୁମାର ସେଠୀ, ଅଶୋକ କୁମାର ପଣ୍ଡା, ବିବେକାନନ୍ଦ ଦାସ, ସହକାରୀ ଲେଖା ଅଧିକାରୀ ପ୍ରଭାତ କୁମାର ପ୍ରଧାନ ଓ ବିଜୟ ନାୟକ ପରିଚାଳନା କରିଥିଲେ ।

Leave A Reply

Your email address will not be published.

error: Content is protected !!