ଓଡିଆ ସାହିତ୍ୟର ପ୍ରାଜ୍ଞ ଚେତନା ଓ ବଳିଷ୍ଠ ଭାବ ସଂପଦର ପ୍ରତୀକ “ସ୍ନିଗ୍ଧତାପ”

  • କବି ଜଗବନ୍ଧୁ ପଟେଲଙ୍କ କାଳ୍ପନିକ କାବ୍ୟଗ୍ରନ୍ଥର ଲୋକାର୍ପଣରେ ପଦ୍ମଶ୍ରୀ ହଳଧର ନାଗଙ୍କ ମତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଧ୍ୟଯୁଗୀୟ କାବ୍ୟଧାରାର ଆଧୁନିକ ଯୁଗର ପ୍ରକାଶନ ଭାବରେ ପାଠକୀୟତାର ଆଶ୍ଲେଷ ଆବଶ୍ୟକ କରୁଛି “ସ୍ନିଗ୍ଧତାପ” କାଳ୍ପନିକ କାବ୍ୟ । ଓଡିଶାର ବିଶେଷ କରି ପଶ୍ଚିମ ଓଡିଶାର ଜଣେ କବି ଏପରି କାବ୍ୟର ସୃଷ୍ଟି କରି ଓଡିଆ ଭାଷାକୁ ରୁଦ୍ଧିମନ୍ତ କରିପାରିଛନ୍ତି । କବି ଜଗବନ୍ଧୁ ପଟେଲଙ୍କ ଏହି କାବ୍ୟ ଓଡିଆ ସାହିତ୍ୟର ପ୍ରାଜ୍ଞ ଚେତନା ଓ ବଳିଷ୍ଠ ଭାବ ସଂପଦର ପ୍ରତୀକ ବୋଲି କହି ତାଙ୍କୁ ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ଉପେନ୍ଦ୍ର ଭଞ୍ଜ ସମ୍ମାନ ପ୍ରଦାନ କରାଯିବାକୁ ଦାବୀ କରିଛନ୍ତି ପଦ୍ମଶ୍ରୀ ହଳଧର ନାଗ । କୁରୁଲ ଗ୍ରାମର କଲ୍ୟାଣ ମଣ୍ଡପ ପରିସରରେ କବି ଜଗବନ୍ଧୁ ପଟେଲଙ୍କ ଦ୍ୱିତୀୟ କାବ୍ୟ ପୁଷ୍ପ “ସ୍ନିଗ୍ଧତାପ”ର ପାଠକାର୍ପଣ ସମାରୋହ ଅବସରରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ପଶ୍ଚିମ ଓଡିଶାର କାବ୍ୟ ପ୍ରତିଭାମାନଙ୍କୁ ଅନେକ ସମୟରେ କୌଣସି ପ୍ରକାର ସମ୍ମାନ ଦିଆଯାଉ ନଥିବାରୁ ସେ କ୍ଷୋଭ ପ୍ରକାଶ କରି କବି ଜଗବନ୍ଧୁଙ୍କ କାବ୍ୟ ପ୍ରତିଭାର ସ୍ୱତନ୍ତ୍ରତାକୁ ବର୍ଣ୍ଣନାକରି ସେ ଏପରି ଦାବି କରିଛନ୍ତି । ପ୍ରକୃତିବନ୍ଧୁ ଅବସରପ୍ରାପ୍ତ ଶିକ୍ଷକ ଦିଗାମ୍ବର ନାଏକଙ୍କ ସଭା ପରିଚାଳନାରେ ଅନୁଷ୍ଠିତ ଏହି ସଭାରେ ବରେଣ୍ୟ ଅତିଥିଭାବରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, କବି ସାମ୍ବାଦିକ ସନ୍ଦୀପ କୁମାର କୁଅଁର, ୮୪ଘର ଅଘରିଆ ସମାଜ ବଲାଙ୍ଗିର ଶାଖାର ସଭାପତି ଶୁଭ୍ରାଂଶୁ ଶେଖର ପଟେଲ, ସଂଗଠକ ଲେଖକ ଭକ୍ତ ନାଏକ, ଚିତ୍ରଶିଳ୍ପୀ ଦିଲ୍ଲୀପ କୁମାର ସିଂହଦେଓ ପ୍ରମୁଖ ଯୋଗଦେଇ କାଳ୍ପନିକ କାବ୍ୟ “ସ୍ନିଗ୍ଧତାପ”କୁ ଲୋକାର୍ପିତ କରିଥିଲେ । ଏହି ଅବସରରେ କବି ଜଗବନ୍ଧୁ ପଟେଲ ଓ କବି ପଟେଲଙ୍କୁ ୮୪ ଘର ଅଘରିଆ ସମାଜ ବଲାଙ୍ଗିର ଶାଖା ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ତାଙ୍କ ଭାଷଣରେ ଆଧୁନିକ ଯୁଗରେ ମଧ୍ୟଯୁଗୀୟ ଶୈଳୀର କାଳ୍ପନିକ କାବ୍ୟରଚନା ପାଇଁ ଜଗବନ୍ଧୁଙ୍କ ଧୀଶକ୍ତିର ପରଶଂସା କରିଥିବା ବେଳେ କବି ସାମ୍ବାଦିକ ସନ୍ଦୀପ କୁମାର କୁଅଁର ପ୍ରକାଶିତ କାବ୍ୟରେ ପଶ୍ଚିମ ଓଡିଶା, କୋଶଳାଞ୍ଚଳର ହରିଶଂକର ମେଳା, ସପତ କୁମାରୀଙ୍କ ତନ୍ତ୍ର ସାଧନା ତଥା ପାଟଣା ରାଜ୍ୟର କଥା କିପରି ବର୍ଣ୍ଣିତ ତାହା ଆଲୋଚନା କରିଥିଲେ । ୮୪ ଘର ଅଘରିଆ ସମାଜ ବଲାଙ୍ଗିର ଶାଖାର ସଭାପତି ଶୁଭ୍ରାଂଶୁ ଶେଖର ପଟେଲ କବି ଜଗବନ୍ଧୁଙ୍କ କବିଭାବକୁ ପ୍ରଶଂସା କରି ଆଗାମୀ ସମୟରେ କିପରି ଅଘରିଆ ସମାଜର ବିଭିନ୍ନ ପ୍ରତିଭା ଲୋକ ଲୋଚନକୁ ଆସିପାରିବେ ସେ ଅଂଇଗରେ ମତ ଦେଇଥିବା ବେଳେ ସଂଗଠକ, ଲେଖକ ଭକ୍ତ ନାଏକ ସ୍ନିଗ୍ଧତାପ କାବ୍ୟରେ ଛନ୍ଦ ସଂପର୍କରେ, ଚିତ୍ରଶିଳ୍ପୀ ଦିଲ୍ଲୀପ କୁମାର ସିଂହଦେଓ ପ୍ରଛଦପଟ ଚିତ୍ର ଓ କାବ୍ୟର ଗାୟନ ସ୍ୱତନ୍ତ୍ରତା ବର୍ଣ୍ଣନା କରିଥିଲେ । ଏହି ସମାରୋହର ଶେଷରେ ଶିଳ୍ପଦ୍ୟୋଗୀ ରାଜକୁମାର ପଟେଲ ପଦ୍ମଶ୍ରୀ ହଳଧର ନାଗଙ୍କ ନାମରେ ପରିଚାଳିତ ଆଶ୍ରମ ବିଦ୍ୟାଳୟକୁ ୨୧ ହଜାର ଟଙ୍କାର ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିଥିଲେ । “ସ୍ନିଗ୍ଧତାପ”ର କବି ଜଗବନ୍ଧୁ ପଟେଲ ଶେଷରେ ଅଧିଗ୍ରହଣ କବିଭାବକୁ ପ୍ରକାଶ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.