oum

ନୂଆଁଖାଇ ଜୁହାର୍‌ ଭେଟ୍‌ ଉତ୍ସବ

jsm

ସଇଁନ୍ତଲା, (ଅଜିତ କୁମାର ସାହୁ) : ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣ ପର୍ବ ନୂଆଁଖାଇ । ଗାଁ ଠୁ ସହର ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ନୂଆଁଚୂଡ଼ାରେ ନୂଆଁଖାଇବା ବେଶ୍‌ ନିଆଁରା । ଏହି ଗଣପର୍ବ ନୂଆଁଖାଇକୁ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ଲୋକେ ବେଶ୍‌ ଧୁମ୍‌ଧାମ୍‌ରେ ନୂଆଁଖାଇବା ସହ ଜୁହାର୍‌ ଭେଟ୍‌ଘାଟ୍‌ ମଧ୍ୟ ହୋଇଛନ୍ତି । ତେବେ ଓଡ଼ିଶାର ପଶ୍ଚିମାଞ୍ଚଳର ମୁଖ୍ୟ ପର୍ବ ‘ନୂଆଖାଇ ଜୁହାର୍‌ ଭେଟ୍‌’ ଆଦିମ କାଳରୁ ପ୍ରଚଳିତ । ବର୍ଷର ନୂଆଁ ଧାନ ଏହି ପର୍ବର ମୁଖ୍ୟ ଆକର୍ଷଣ ହୋଇଥିଲେ ହେଁ ଆଜିକାଲି ଭାଦ୍ରବ ମାସରେ ଧାନ ଅମଳ ହୋଇ ପାରୁନାହିଁ । ପରିବାରରେ ଏକତ୍ରିତ ଭୋଜନ କରିବା ଓ ସାମାଜିକ ସ୍ତରରେ ଜୁହାର୍‌ ଭେଟ୍‌ ହେବାର ପ୍ରଥା କିନ୍ତୁ ଆଜି ମଧ୍ୟ ପ୍ରଚଳିତ । ମାଟିର କଳା ଓ ସଂସ୍କୃତିର ପରିବେଷଣ ମଧ୍ୟ ହେଉଛି । ଆଜିର ମଣିଷ ଜାତି କୃଷି କାମରୁ ଦୂରେଇ ଯାଉଥିଲେ ହେଁ ଦୂର ଦୂରାନ୍ତରେ ରହୁଥିବା ପଶ୍ଚିମାଞ୍ଚଳର ଅଧିବାସୀମାନେ ନୂଆଁଖାଇ ପାଳିବା ପାଇଁ ନିଜର ଭିଟାମାଟିକୁ ଫେରି ଆସନ୍ତି । ମାଟି ମା’ର ମମତାକୁ ଅଞ୍ଚଳବାସୀଙ୍କ ହୃଦୟରେ ଉଜାଗର କରୁଥିବା ଏହି ପର୍ବର ମହତ୍ଵ ଅନନ୍ୟ । କାଳକ୍ରମେ ନୂଆଁଖାଇ ପର୍ବର ପାଳନ ପଦ୍ଧତିରେ ନୂତନତାର ଆଗମନ ହୋଇଛି । ସେମାନେ ନୂତନ ଅନ୍ନର ଭୋଜନ ପୂର୍ବରୁ କ୍ଷୀର ଓ ଅରୁଆ ଚାଉଳ ଦେଇ ଜଗତ ଜନନୀ ମା’ ବସୁଧାର ପୂଜା କରୁଥିଲେ । ଆଜି ମଧ୍ୟ ଗ୍ରାମାଞ୍ଚଳର ଚାଷୀମାନେ ବିଲରେ ପୂଜା କରନ୍ତି । ଲେଖକଙ୍କ ଉଦ୍ଦେଶ୍ୟ ହେଲା ପଶ୍ଚିମାଞ୍ଚଳ ଆଦିବାସୀଙ୍କ ବିଶେଷ ଜ୍ଞାନରୁ ଜନ୍ମ ହୋଇଥିବା ନୂଆଁଖାଇ ଜୁହାର୍‌ ଭେଟ୍‌ର ମହତ୍ଵକୁ ଅଞ୍ଚଳବାସୀଙ୍କ ହୃଦୟରେ ପୁନଃ ଜାଗରଣ କରିବା । ଜନ୍ମ ଏବଂ ମୃତ୍ୟୁ ମଧ୍ୟରେ ସୀମିତ ଜୀବ ଜଗତରେ ମଣିଷ ଜାତି ସର୍ବ ଶ୍ରେଷ୍ଠ । ସୃଷ୍ଟିର ବିଭିନ୍ନ ଗୁଣକୁ ଅନୁସରଣ କରି ଭାରତର ଆଦିବାସୀମାନେ ଆବଶ୍ୟକ ଅନୁସାରେ ଅନେକ ଆବିଷ୍କାର ଏବଂ ଉଦ୍‌ଦ୍ଭାବନ କରି ଅନ୍ୟ ଜୀବଜନ୍ତୁଠାରୁ ଭିନ୍ନ ଏକ ମଣିଷ ଜଗତ ସୃଷ୍ଟି କରିପାରିଥିଲେ । ସାଙ୍କେତିକ ହେଲେ ମଧ୍ୟ ନୂଆଁଖାଇ ପାଳନରେ ପଶ୍ଚିମାଞ୍ଚଳରେ ଏକତାର ଦୃଷ୍ଟାନ୍ତ ଦେଖିବାକୁ ମିଳିଥାଏ । ବିଭିନ୍ନ ବିଭାଜକ ତତ୍ତ୍ୱର ଶିକାର ହୋଇ ମନାନ୍ତର ଯୋଗୁଁ ମିଳାମିଶା ହେଉ ନଥିବା ପରିବାର ମଧ୍ୟ ନୂଆଁଖାଇ ହସ ଉଲ୍ଲାସର ସହ ପାଳନ କରିଥାନ୍ତି । ସେପଟେ ବିଭିନ୍ନ ପ୍ରାନ୍ତରେ ଭିନ୍ନ ପରିସ୍ଥିତିରେ ଅବସ୍ଥିତ ପ୍ରବାସୀମାନେ ନୂଆଁଖାଇରେ ଘରକୁ ଆସିବା ପାଇଁ ବ୍ୟାକୁଳ ହୋଇଥାନ୍ତି । ଗ୍ରାମାଞ୍ଚଳରେ ଆଜି ମଧ୍ୟ ଜୁହାର୍‌ ଭେଟ୍‌ ଜରିଆରେ ଅନେକ ସମ୍ପର୍କର ପୁନଃ ସ୍ଥାପନ ହୋଇଥାଏ ।

Leave A Reply

Your email address will not be published.