ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଶିପାଲି ଗ୍ରାମରେ ଜୟ ଜଗନ୍ନାଥ କ୍ଲବ ତରଫରୁ ମହାଆଡମ୍ବରରେ ନୂଆଁଖାଇ ଭେଟ୍ଘାଟ୍ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶିରୀଶ ବହିଦାର, ଆଶିଷ ବହିଦାର, ସମ୍ମାନିତ ଅତିଥି ଭାବେ ରାଜେଶ ବହିଦାର, ସରପଞ୍ଚ ନେପୁର ସୁନା, ନାଏବ ସରପଞ୍ଚ ସୁଦାମ ସାହୁ ଓ ମୁଖ୍ୟବକ୍ତା ଭାବେ ନାଟ୍ୟକାର ରାଜକୁମାର ସାହୁ ଯୋଗ ଦେଇଥିଲେ । ଅତିଥିଗଣ ଦୀପ ପ୍ରଜ୍ଜ୍ୱଳନ ପରେ କୁନି କୁନି କଳାକାରଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ଖୁବ୍ ଶ୍ରଦ୍ଧା ଓ ଅକୁଣ୍ଠ ଚିତ୍ତରେ ଗ୍ରାମବାସୀ ଉତ୍ସୁକତାର ସହିତ ନୂଆଁଖାଇ ଭେଟ୍ ପାଳନ କରିଥିଲେ । ଗାଁର ବୟୋଜ୍ୟଷ୍ଠଙ୍କୁ ତଥା ଗାଁର ବିଭିନ୍ନ ଦିଗରେ ଉନ୍ନତି ସାଧନ କରି ଗାଁକୁ ସୁନାମ ଆଣିଥିବା ବ୍ୟକ୍ତି ବିଶେଷଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିଲା । ବଡଙ୍କୁ ସମ୍ମାନ ଓ ମିଳାମିଶା ଭାଇଚାରାର ସମନ୍ୱୟ ଏହି ନୂଆଁଖାଇ ପର୍ବ ବୋଲି ବକ୍ତବ୍ୟରେ ନାଟ୍ୟକାର ରାଜକୁମାର ସାହୁ କହିଥିଲେ । ଗାଁ ଗୌନ୍ତିଆ ପରିବାର ବର୍ଗଙ୍କୁ ଗାଁ ବିକାଶରେ ଅବଦାନ ପାଇଁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପଂଚାୟତର ସମସ୍ତ ୱାର୍ଡ ମେମ୍ବର ଓ ଭଦ୍ର ବ୍ୟକ୍ତିଗଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ କୁନି କୁନି କଳାକାରଙ୍କ ନୃତ୍ୟ ସହ ପ୍ରସିଦ୍ଧ ସଚେତନ ହେମା ନାଟ୍ୟ ଅନୁଷ୍ଠାନର ନାଟକ ‘ମୋର କାଏଁ ଦୋଷ’ ମଞ୍ଚସ୍ଥ ହୋଇ ଦର୍ଶକଙ୍କ ମନ ମୋହି ଥିଲା । ଏହି ଭାବର ତିହାର ନୂଆଁଖାଇରେ ଚନ୍ଦ୍ରମଣି ସାହୁ ସଂଚାଳନା କରିଥିବା ବେଳେ ଚିତ୍ତରଞ୍ଜନ ସାହୁ, କୁଳମଣି ସାହୁ ତଥା ଗ୍ରାମ୍ୟ କମିଟି ସହଯୋଗ କରିଥିବା ବେଳେ ପ୍ରମୋଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।