ବାହାବଳପୁର ପଂଚାୟତରେ ୯କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ଲୁଣାବନ୍ଧ ନିର୍ମାଣ ପାଇଁ ଶୁଭ ଦେଲେ ସଦର ବିଧାୟକ ମାନସ କୁମାର ଦତ୍ତ
ବାଲେଶ୍ୱର, (କେପିଏନ୍ଏସ୍) : ବାଲେଶ୍ୱର ଜିଲ୍ଲାର ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାହାବଳପୁର ପଂଚାୟତର ଅଂଚଳବାସୀଙ୍କ ଦୀର୍ଘଦିନର ଦୁଃଖ ଦୂର ହେବାକୁ ଯାଉଛି । ବର୍ଷ ବର୍ଷ ଧରି ଲୁଣା ପାଣି ମାଡ଼ି ଯିବାର ଭୟ ମଧ୍ୟରେ କାଳାତିପାତ କରୁଥିବା ଜନସାଧାରଣଙ୍କ ଦାବିକୁ ଗୁରୁତ୍ୱ ଦେଇ ଅବହେଳିତ ଅବସ୍ଥାରେ ଥିବା ନୂଆଗାଁ କଇଁଫୁଲିଆ ଲୁଣାବନ୍ଧର ସୁରକ୍ଷାକରଣ ପ୍ରକଳ୍ପ ଆରମ୍ଭ ହେଉଛି । ଏହି ଲୁଣାବନ୍ଧର ପୁନଃନିର୍ମାଣ ନେଇ ଲୋକଙ୍କ ଦାବିକୁ ବାସ୍ତବତାର ରୂପ ଦେଇଛନ୍ତି ସଦର ବିଧାୟକ ମାନସ କୁମାର ଦତ୍ତ । ଏହି ପରିପ୍ରେକ୍ଷୀରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଲୁଣାବନ୍ଧର ସୁରକ୍ଷା କରଣ ପ୍ରକଳ୍ପ ପାଇଁ ଶୁଭ ଭିତ୍ତିପ୍ରସ୍ତର ପ୍ରଦାନ କରାଯାଇଛି । ନୂଆଗାଁ ଠାରୁ କଇଁଫୁଲିଆ ପର୍ଯ୍ୟନ୍ତ ଏହି ଲୁଣାବନ୍ଧ ନିର୍ମାଣ ପାଇଁ ବିଧାୟକ ଶ୍ରୀ ଦତ୍ତ ଆନୁଷ୍ଠାନିକ ଭାବେ ଶୁଭ ଦେଇଛନ୍ତି । ରାଜ୍ୟର ଲୋକପ୍ରିୟ ତଥା ଲୋକଙ୍କ ସରକାର ଲୋକଙ୍କ ହିତ ପାଇଁ ସର୍ବଦା ପ୍ରୟାସରତ ଅଛନ୍ତି ବୋଲି ସେ ଏହି ଅବସରରେ ମତ ଦେଇଛନ୍ତି । ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ପକ୍ଷରୁ ଏହି ବନ୍ଧ ନିର୍ମାଣ ପାଇଁ ୯ କୋଟି ୪୯ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ ଅଟକଳ ହୋଇଥିବା ବେଳେ ୨୦୨୭ ମସିହା ଅପ୍ରେଲ ମାସ ସୁଦ୍ଧା ଏହା ଶେଷ ହେବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସମ୍ପୃକ୍ତ ପ୍ରକଳ୍ପକୁ ନେଇ ସ୍ଥାନୀୟ ଅଂଚଳବାସୀଙ୍କ ଦୀର୍ଘ ଦିନର ଦାବି ଆଜି ପୂରଣ ହୋଇପାରିଛି । ନିର୍ବାଚନ ସମୟର ପ୍ରତିଶୃତି ବାସ୍ତବତାର ରୂପ ନେଇଛି ବୋଲି ବିଧାୟକ ଶ୍ରୀ ଦତ୍ତ ଏହି ଅବସରରେ କହିଛନ୍ତି । ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ଅଂଚଳବାସୀଙ୍କୁ ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବରୁ ସୁରକ୍ଷା ମିଳିବା ସହିତ ଯାତାୟାତ ବ୍ୟବସ୍ଥା ଓ ସାମଗ୍ରିକ ଉନ୍ନତିରେ ନୂତନ ଦିଗ ଖୋଲିବ । ପଂଚାୟତର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର ସର୍ବଦା ସଂକଳ୍ପବଦ୍ଧ । ଉତ୍ତମ ଗୁଣବତ୍ତା ଓ ସଠିକ୍ ମାନଦଣ୍ଡରେ ଏହି ବନ୍ଧର ନିର୍ମାଣ କାର୍ଯ୍ୟ ସାରିବାକୁ ବିଧାୟକ ଶ୍ରୀ ଦତ୍ତ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବାହାବଳପୁର ସରପଂଚ ରାମନାରାୟଣ ଦ୍ୱିବେଦୀ, ୱାର୍ଡ ସଭ୍ୟ ଗଣେଶ ପାଲ, ବିଭାଗୀୟ ଅଧିକାରୀଙ୍କ ସମେତ ଲୋକନାଥ ଭୂୟାଁ, ରଶ୍ମିତା ମଣ୍ଡଳ, ସୁଶୀଲ ମଣ୍ଡଳ, ମାମୁନି ହାତୀ, ଅନୀଲ ପାତ୍ର, ଅଜାମ୍ବିଳ ତୋଳା, ମାନସ ମଣ୍ଡଳ, ଶଶିକାନ୍ତ ବାରିକ, ଲୋକନାଥ ବେରା ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।