ବଲାଙ୍ଗିର, (ଦେବାଶିଷ ମିଶ୍ର) : ବୁଧବାର ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବା ବେଳେ କାଲି ସକାଳୁ ଦ୍ଵିତୀୟ ପର୍ଯ୍ୟାୟ ପାଇଁ ଲଗ୍ନ ଫିଟିଛି । ଏ ଭିତରେ ତିଳକୁ ତାଳ ଆଉ ସୁଦୁ ମରୁଭୂଇଁରେ ହଳ କରୁଥିବା ଅଦିନିଆ ନେତାଙ୍କ ନିର୍ବାଚନୀ ପ୍ରଚାର ମଧ୍ୟ ସରିଛି । ଛେପ ମରା ମଖମଲି କଥା ସହିତ ମଦ ମାଉଁସ, ଭଲ ଭେଲ ଆଉ ଚୋର ପୋଲିସ ଖେଳ ଗାଉଁଲି ଅଧୁଆ ଆଖି ସବୁ ଦେଖିଛି । ରାତି ପାହିଲେ ହାତ କାଟି ଦେବାକୁ ହେବ, ତଥାକଥିତ ଗଣତନ୍ତ୍ରର କାଳି କପାଳରେ ବୋଳିବାକୁ ହେବ । ତାପରେ ଆଉ, ନା’ ଏ ଉତ୍ସବ ରହିବ ନା ନେତାଙ୍କ ସୁଆଙ୍ଗ ଗାଉଁଲି ଚଷା ପୁଅ ପୁନଃ ମୂଷିକ ହେବ । ଅଧିକାର, ସେବା, ଶରଧା, ପ୍ରତିଶ୍ରୁତି ସବୁ ମଶାଣୀକୁ ଯିବ । ଗଣତନ୍ତ୍ରର ଏହି ଦଶାହରେ କଉ ବ୍ରାହ୍ମଣ ଛତା ଜୋତା ଦାନ ନେଇ ମୋକ୍ଷ ବାଣ୍ଟିବ, ତାକୁ ବାଛିବାକୁ ହେବ । କେଉଁଠି ପୁନରାବୃତ୍ତି ତ କେଉଁଠି ପରିବର୍ତ୍ତନ ନିର୍ଣ୍ଣୟ କରିବାକୁ ହେବ । ତେବେ ସାରା ରାଜନୀତି ମଧ୍ୟ ଏଇ ପୁନରାବୃତ୍ତି ଆଉ ପରିବର୍ତ୍ତନର । କଉ ଗାଦିବାଲା ପୁନରାବୃତ୍ତିର ଗୀତ ଗାଉଛି ତ କିଏ ଗାଦି ପାଇଁ ପରିବର୍ତ୍ତନର ଡାକ ଦେଉଛି । କନ୍ୟାଦାନ ପରେ କି ହେବ କେ ଜାଣେ ! ପୁନରାବୃତ୍ତି ବାଲା ପରିବର୍ତ୍ତନ ଆଣିବ ନା ପରିବର୍ତ୍ତନ ବାଲା ପୁନରାବୃତ୍ତି କରିବ । ନା’ ଏ ଗାଁବାଲାଙ୍କ ସ୍ୱରାଜ ପାଇଁ ହେଉଥିବା ଏହି ନିର୍ବାଚନକୁ ନିଜେ ଗାଉଁଲି ପୁଅ ନିଜ ହାତରେ ନରଖି, ଭୁବନେଶ୍ୱର ଆଉ ଦିଲ୍ଲୀ ରାଜଧାନୀ ହାତକୁ ଟେକି ଦେବ । ଆଜିର କଥା ଭିନ୍ନ, କରୋନାରେ ପ୍ରାଣ ହାରି ଚାରିକାନ୍ଧ ପାଇଁ ନଥିବା ମକାରୁ ଝିଅ ବି ଆଜି ଗଉନ୍ତିଆଙ୍କ କୋଳରେ ଖେଳୁଛି ! କାଲି କଣ ହେବ କେ ଜାଣେ ! ଏହାର ପୁନରାବୃତ୍ତି ନା ଏଥିରେ ପରିବର୍ତ୍ତନ ତାହା ସମୟ କହିବ ! ନିର୍ବାଚନରେ ସେ ଯାହା ହେଉ ପୁନରାବୃତ୍ତି କି ପରିବର୍ତ୍ତନ, ଜନତା ଜନାର୍ଦ୍ଦନ ଯାହା କରିବ ସମସ୍ତଙ୍କୁ ମାନିବାକୁ ହେବ । ସେ ପାଞ୍ଚ ବରଷକୁ ଥରେ ହେଉ, ଦେଶର ରାଜନୀତି ଗରିବ ଜନତାକୁ ଏତିକି ତ ଦେଇଛି !
ତେବେ ଏଥର ନିର୍ବାଚନରେ ଦଳମାନଙ୍କ ରାଜନୀତି ଓ ଗାଁଉଲି ଜନତାଙ୍କ ଏଭଳି ଉକ୍ତି ପରେ ପ୍ରକୃତରେ ମନେ ହୁଏ ଯେ, କାଲିର ନିର୍ବାଚନରେ ଲଢ଼େଇ ଦଳ ଦଳ ବା ନେତା ନେତା ମଧ୍ୟରେ ନୁହେଁ, ଲଢ଼େଇ ହେବ ପୁନରାବୃତ୍ତି ଓ ପରିବର୍ତ୍ତନ ମଧ୍ୟରେ ….।