ଆସନ୍ତା ୨୦ରେ ବୌଦ୍ଧ ଜିଲ୍ଲାରେ ନିର୍ବାଚନ : ମତଦାନ କାର୍ଯ୍ୟ ତୁଲାଇବାକୁ ୩୭୩ ବୁଥ୍‌ରେ ପହଞ୍ଚିଲେ କର୍ମଚାରୀ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ଜିଲ୍ଲାରେ ୮୫ କଣ୍ଟାମାଳ ଓ ୮୬ ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆସନ୍ତା ୨୦ ତାରିଖରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ମତଦାନ କାର୍ଯ୍ୟ ପରିଚାଳନା ପାଇଁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ୩୭୩ ଗୋଟି ବୁଥ୍‌କୁ କର୍ମଚାରୀମାନଙ୍କୁ ପଠାଯାଇଛି । ସମୁଦାୟ ୪୧୩ଟି ବୁଥ୍‌ରେ ମତଗ୍ରହଣ କରାଯିବାକୁ ଥିବାବେଳେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ୨୧୭ଟି ଓ ବୌଦ୍ଧରେ ୧୯୬ଟି ବୁଥ୍‌ ରହିଛି । ଉଭୟ ନିର୍ବାଚନ ମଣ୍ଡଳୀରେ ୪୦ ଗୋଟି ସଖି ବୁଥ ଭାବରେ ଚିହ୍ନଟ କରାଯାଇଛି । ସେହିପରି ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ଦୁଇଗୋଟି ବୁଥ୍‌କୁ ସହକାରୀ ବୁଥ୍‌ ଭାବରେ ଚିହ୍ନଟ କରାଯାଇଛି । ସଖି ବୁଥ୍‌ରେ କେବଳ ମହିଳା କର୍ମଚାରୀଙ୍କ ଦ୍ୱାରା ନିର୍ବାଚନ ପରିଚାଳନା କାର୍ଯ୍ୟ କରାଯିବ । ସେହିପରି ବୌଦ୍ଧ ଏନ୍‌ଏସିରେ ୧୫୦୦ରୁ ଅଧିକ ମତଦାତା ଥିବା ଦୁଇଗୋଟି ବୁଥ୍‌ରେ ଶୃଙ୍ଖଳାର ସହିତ ମତଦାନ ପାଇଁ ଅତିରିକ୍ତ ଭାବରେ ସହକାରୀ ବୁଥ୍‌ କରାଯାଇଛି । ସଖି ପରିଚାଳିତ ବୁଥ୍‌ଗୁଡିକୁ ୧୯ ତାରିଖରେ କର୍ମଚାରୀମାନଙ୍କୁ ପଠାଯିବ ବୋଲି ଜଣାଯାଇଛି । ଏଥର ନିର୍ବାଚନରେ ୪୧୩ ଜଣ ପ୍ରିଜାଇଡିଂ ଅଫିସର, ୪୧୩ ପୁଲିଂ ଅଫିସରଙ୍କ ସମେତ ପ୍ରତ୍ୟେକ ବୁଥ୍‌ରେ ୭ ଜଣ ଲେଖାଏଁ କର୍ମଚାରୀ ସମୁଦାୟ ୨୮୯୧ ଜଣ କର୍ମଚାରୀ ନିୟୋଜିତ କରାଯାଇଛି । ମାଇକ୍ରୋ ଅବଜର୍‌ଭର୍‌ ଭାବରେ ୨୯ ଜଣ ଅଧିକାରୀ ଓ ୫୯ ଜଣ ସେକ୍ଟର ଅଫିସରଙ୍କୁ ମାଜିଷ୍ଟ୍ରେଟ୍‌ କ୍ଷମତା ପ୍ରଦାନ କରାଯାଇଛି । ୮୫ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ପାଇଁ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର୍ୟଭଞ୍ଜନ ମତନମୋହନ ପାତ୍ର ଓ ୮୬ ବୌଦ୍ଧ ନିର୍ବାଚନ ମଣ୍ଡଳୀ ପାଇଁ ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନାଙ୍କୁ ରିଟର୍ଣ୍ଣି ଅଫିସର ଭାବରେ ଦାୟିତ୍ୱ ପ୍ରଦାନ କରଯାଇ ତାଙ୍କରି ପ୍ରତ୍ୟକ୍ଷ ତତ୍ୱାବଧାନରେ ଉଭୟ ନିର୍ବାଚନ ମଣ୍ଡଳୀର ନିର୍ବାଚନ କାର୍ଯ୍ୟ ପରିଚାଳନା କରାଯାଉଛି । ଦେଶର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ୨୪୭ ଗୋଟି ବୁଥ୍‌ରେ ୱେବକାଷ୍ଟିଂ ପାଇଁ ପ୍ରସ୍ତୁତ କରାଯାଇଛି । ଭିନ୍ନକ୍ଷମ ଭୋଟରମାନଙ୍କ ସହଯୋଗ ପାଇଁ ୨୭୭ ଜଣ ସ୍ୱେଚ୍ଛାସେବୀ ମୃତୟନ କରାଯାଇଛି । ନିର୍ବାଚନ ପାଇଁ ୬୭ଟି ବସ୍‌, ୪୩ଟି ବଲେରୋରେ କର୍ମଚାରୀମାନଙ୍କୁ ପୁଲିଂ ବୁଥକୁ ପଠାଯାଇଛି । ଏଥର ଜିଲ୍ଲାରେ ଦୁଇଗୋଟି ନିର୍ବାଚନ ମଣ୍ଡଳୀରେ ୩ ଲକ୍ଷ ୩୫ ହଜାର ୪୮୮ ଜଣ ଭୋଟର କରିବେ ମତଦାନ । ସେଥିମଧ୍ୟରୁ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ୧୬୬୪୬୧ ଭୋଟରଙ୍କ ମଧ୍ୟରୁ ପୁରୁଷ ଭୋଟର ୮୫୫୦୯ ଭୋଟର ରହିଥିବା ବେଳେ ୮୦୯୪୪ ମହିଳା ଭୋଟର ଓ ତୃତୀୟ ଲିଙ୍ଗ ଭୋଟର ସଂଖ୍ୟା ୮ ରହିଛନ୍ତି । ସେହିପରି କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ୧୬୯୦୨୭ ଭୋଟର ରହିଥିବା ବେଳେ ପୁରୁଷ ଭୋଟର ସଂଖ୍ୟା ୮୬୫୨୨ ଓ ମହିଳା ଭୋଟରଙ୍କ ସଂଖ୍ୟା ୮୨୫୦୪ ଓ ତୃତୀୟ ଲିଙ୍ଗଙ୍କ ଭୋଟର ସଂଖ୍ୟା ୧ ରହିଛି । ନିର୍ବାଚନ ପାଇଁ ୧୮ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଜିଲାରେ ସମସ୍ତ ମଦ ଦୋକାନ ଗୁଡିକୁ ସିଲ୍‌ କରାଯାଇଛି । ମତଦାନ କେନ୍ଦ୍ରରୁ ୨ ଶହ ମିଟର ଦୂରତାକୁ ନିଷିଦ୍ଧାଞ୍ଚଳ ଭାବରେ ଘୋଷଣା କରାଯାଇଛି । ଜିଲ୍ଲାରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ କରାଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଛି । ଆଗାମୀ ନିର୍ବାଚନରେ ଜିଲ୍ଲାରେ ଅଧିକରୁ ଅଧିକ ନାଗରିକ ନିଜର ମତାଧିକାର ସାବ୍ୟସ୍ତ କରିବାକୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଜେ. ସୋନାଲ ନିବେଦନ କରିଛନ୍ତି ।

Leave A Reply

Your email address will not be published.