କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଗୋଛାପଡ଼ା ପଂଚାୟତ ଅନ୍ତର୍ଗତ ପିପଲମାଲ ବିଦ୍ୟାଳୟରେ ଗତ ୧୨ ତାରିଖରେ ଦେଖାଯାଇଥିବା ଅଭାବନୀୟ ଘଟଣା ପ୍ରକାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି ବିହିତ କାର୍ଯ୍ୟାନୁଷ୍ଠାନ । ସୂଚନା ଅନୁସାରେ କାର୍ଯ୍ୟରେ ଅବହେଳା ପାଇଁ ଉକ୍ତ ବିଦ୍ୟାଳୟର ସହକାରୀ ଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ଫିରିଙ୍ଗିଆ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋକ ମିଶ୍ର । କେବଳ ସେତିକି ନୁହେଁ, ଜନୈକ ଶିକ୍ଷକଙ୍କ ବିରୋଧରେ ବିଭିନ୍ନ ପ୍ରକାର ଅନିୟମିତତା ଅଭିଯୋଗ ଆସିଛି । ତାହାର ମଧ୍ୟ ବିଧିବଦ୍ଧ ଭାବେ ତଦନ୍ତ କରାଯିବ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି । ସମ୍ପୃକ୍ତ ଶିକ୍ଷକଙ୍କ ମନୋମୁଖୀ କାର୍ଯ୍ୟକଳାପ ପାଇଁ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନଙ୍କ ସହ ଅଭିଭାବକ ମାନେ ଅତିଷ୍ଟ ହୋଇପଡ଼ିଥିଲେ । ପରିଚାଳନା କମିଟି ଓ ଅଭିଭାବକ ମାନଙ୍କ ଅଭିଯୋଗ ପ୍ରକାରେ ସମ୍ପୃକ୍ତ ଶିକ୍ଷକ ଜଣକ ଗତ କୋଭିଡ୍ ସମୟରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଆସିଥିବା ଲକ୍ଷାଧିକ ଟଙ୍କା ଆତ୍ମସାତ୍ କରିବା ସହ ନିମ୍ନମାନର ଖାଦ୍ୟ ଦେଉଥିଲେ । ସ୍କୁଲର ଉନ୍ନତି ପାଇଁ ଆସୁଥିବା ଟଙ୍କାକୁ ମଧ୍ୟ ସେ ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଥିଲା । କିଛି ଦିନ ପୂର୍ବରୁ ଏହି ସ୍କୁଲରେ ବିପିନ କୁମାର ସ୍ୱାଇଁ ନାମକ ଜଣେ ସ୍ଥାୟୀ ପ୍ରଧାନ ଶିକ୍ଷକ ଯୋଗ ଦେଇଥିଲେ ମଧ୍ୟ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରୁ ନ ଥିବା ବି ଅଭିଯୋଗ ହୋଇଥିଲା । ଶେଷରେ ଗତ ୧୨ ତାରିଖରେ ଅଭିଭାବକ ମାନେ ଅତିଷ୍ଠ ହୋଇ ସ୍କୁଲରେ ତାଲା ପକାଇ ଦେଇଥିଲେ । ଖବର ପାଇ ଘଟଣାର ତଦନ୍ତ କରିବା ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ସ୍କୁଲରେ ପହଞ୍ଚିବା ପୂର୍ବରୁ ସମ୍ପୃକ୍ତ ଶିକ୍ଷକ ଜଣକ ବିଦ୍ୟାଳୟର କର୍ଯ୍ୟାଳୟରେ ତାଲା ପକାଇ ଚାଲି ଯାଇଥିଲେ । ଏହାପରେ ବିଇଓଙ୍କ ଉପସ୍ଥିତିରେ ସ୍କୁଲର ଛାତ୍ରଛାତ୍ରୀ ସ୍କୁଲ ବାରଣ୍ଡାରେ ପରୀକ୍ଷା ଦେବା ସହ ମଧ୍ୟାହ୍ନ ଭୋଜନ କରିଥିଲେ । ତେବେ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରାଯିବା ପରେ ଏଥିରେ ସତ୍ୟତା ଥିବା ଜଣାପଡିଛି ବୋଲି କହିଛନ୍ତି ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋକ କୁମାର ମିଶ୍ର । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ସେ ପ୍ରକାଶ କରିଛନ୍ତି ।