ନେତାଜୀଙ୍କ ବୀରତ୍ୱ ଓ ଦର୍ଶନକୁ ନେଇ ମୃଣ୍ମୟ ଭାସ୍କର୍ୟ୍ୟ ଶିବିର ଉଦ୍‌ଘାଟିତ

କଟକ : ସ୍ୱାଧିନତା ସଂଗ୍ରାମର ମହାନାୟକ ଓ ଆଜାଦ ହିନ୍ଦ ଫୌଜର ସ୍ରଷ୍ଟା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଜୟନ୍ତୀ ଅବସରରେ ଓଡ଼ିଶା ଲଳିତ କଳା ଏକାଡେ଼ମୀ (ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ) ଏବଂ ନେତାଜୀ ଜନ୍ମସ୍ଥାନ ସଂଗ୍ରାହଳୟ ଟ୍ରଷ୍ଟ ଦ୍ୱାରା ନେତାଜୀଙ୍କ ସଂଗ୍ରାମୀ ଜୀବନର ପ୍ରମୁଖ ଘଟଣା ଗୁଡ଼ିକୁ ନେଇ ଆୟୋଜିତ ହୋଇଛି ଏକ ଭାସ୍କର୍ୟ୍ୟ ଶିବିର । କଟକର ୧୫ଜଣ ମୃଣ୍ମୟ ଶିଳ୍ପୀ ମାନଙ୍କୁ ନେଇ ଆୟୋଜିତ ହୋଇଛି ଏହି ମୃଣ୍ମୟ ଭାସ୍କର୍ୟ୍ୟ ଶିବିର । ଶିବିରକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ, ଏକାଡେମୀର ସଭାପତି ତଥା ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ତଥା ଏକାଡେମୀର ଓଏସ୍‌ଡ଼ି ଶ୍ରୀମତୀ ମନସ୍ୱିନୀ ସାହୁ, ଏକାଡେମୀର ସାଧାରଣ ସମିତି ସଭ୍ୟା ସ୍ମିତା ମୁଳିଆ ଏବଂ ସଚିବ ପଞ୍ଚାନନ ସାମଲ ଶୁଭ ଉଦ୍‌ଘାଟନ କରିଥିଲେ । ୨୦ ଜାନୁୟାରୀରୁ ୨୨ ଜାନୁୟାରୀ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ଶିବିରରେ ଶିଳ୍ପୀ କେଦାର ନାଥ ବେହେରା, କୈଳାଶ ଚନ୍ଦ୍ର ରଣା, ଶ୍ରୀକାନ୍ତ ବେହେରା, ରଘୁନାଥ ବେହେରା, ସିତନ ବେହେରା, ମୁରଲିଧର ସେନାପତି, ପ୍ରମୋଦ କୁମାର ବେହେରା, ସୁବାଷ ପରିଡ଼ା, ଅଭିମନ୍ୟୁ ବେହେରା, ଅଜୟ କୁମାର ବେହେରା, ଦେବେନ୍ଦ୍ର ମୁଦୁଲି, ସୁଧାକର ମଦୁଲି, ଲକ୍ଷ୍ମୀଧର ମୁଦୁଲି, ବସନ୍ତ ଦାସ, ରାଜେନ୍ଦ୍ର ମୁଦୁଲି ଅଂଶଗ୍ରହଣ କରି ନେତାଜୀଙ୍କ ବୀରତ୍ୱର କାହାଣୀ, ନେତାଜୀଙ୍କ ଆଦର୍ଶ ତଥା ବିଶେଷ ଘଟଣା ସମ୍ବନ୍ଧିୟ ମୃଣ୍ମୟ ଭାସ୍କର୍ୟ୍ୟ ଗୁଡ଼ିକୁ ଗଠନ କରିବେ । ଉକ୍ତ ଭାସ୍କର୍ୟ୍ୟ କଳାର ପ୍ରଦର୍ଶନୀ ଜାନୁୟାରୀ ୨୩ ନେତାଜୀ ଜୟନ୍ତୀ ଅବସରରେ ସଂଗ୍ରହାଳୟ ପରିସରରେ ଅନୁଷ୍ଠିତ ହେବ ।

jittmm
Leave A Reply

Your email address will not be published.