jayashree

ନାରୀ ମର୍ଯ୍ୟାଦାର ମହତ୍ୱକୁ ନେଇ ସ୍ୱତନ୍ତ୍ର ପାଠ୍ୟକ୍ରମ ହେଉ – କୁସୁମ

ରାଉରକେଲା, (ସସ୍ମିତା ପ୍ରଦାନ) : ଆଜି ବିଶ୍ୱ ମହିଳା ଦିବସ ଅବସରରେ ମାତୃ ସମାଜକୁ ଅଭିନନ୍ଦନ ଜଣାଇବା ସହିତ ନାରୀ ମର୍ଯ୍ୟାଦାର ମହତ୍ୱକୁ ନେଇ ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ଯାଏ ସ୍ୱତନ୍ତ୍ର ପାଠ୍ୟକ୍ରମ ପ୍ରସ୍ତୁତ କରିବାକୁ ଦାବୀ କରିଛନ୍ତି ଜିଲ୍ଲାର ଜଣାଶୁଣା ସମାଜସେବୀ ଶାନ୍ତନୁ କୁସୁମ । ଏହି ଅବସରରେ ଶ୍ରୀ କୁସୁମ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ, ନାରୀ ମର୍ଯ୍ୟାଦାର ମହତ୍ୱ ସମ୍ୱନ୍ଧରେ ପୂରୁଷ ତଥା ଯୁବପିଢ଼ିଙ୍କ ଭିତରେ ଶତ ପ୍ରତିଶତ ସଚେତନତା ନହେବା ଯାଏଁ ମହିଳା ସୁରକ୍ଷା ଓ ସଶକ୍ତିକରଣର ସ୍ଲୋଗାନ ଏକ ଔପଚାରିକତା ହୋଇ ରହିଯିବା ସୁନିଶ୍ଚିତ । କାରଣ ଦିନକୁ ଦିନ ମହିଳା ସୁରକ୍ଷା ଓ ସଶକ୍ତିକରଣକୁ ନେଇ ମାଳ ମାଳ ଆଇନ ଓ ଯୋଜନା ପ୍ରସ୍ତୁତ ହେଉଥିଲେ ମଧ୍ୟ ମହିଳାଙ୍କ ପ୍ରତି ଯେଭଳି ପରିମାଣରେ ଦୁଷ୍କର୍ମ, ହତ୍ୟା ଓ ନିର୍ଯ୍ୟାତନା ଘଟଣା ବୃଦ୍ଧି ପାଇବାରେ ଲାଗିଛି, ତାହା ଅତ୍ୟନ୍ତ ଚିନ୍ତାଜନକ ନିଶ୍ଚୟ । ବିଗତ ଏକବର୍ଷ ଭିତରେ ସୁନ୍ଦରଗଡ଼ ଜିଲ୍ଲାରେ ୫ ଜଣ ବୋହୁଙ୍କୁ ହତ୍ୟା ଓ ୧୮ ଟି ଝିଅଙ୍କୁ ବଳାତ୍କାର ଘଟଣା ଏହାର ଜ୍ୱଳନ୍ତ ଉଦାହରଣ ଅଟେ । ଶ୍ରୀ କୁସୁମ ଆହୁରି କହିଛନ୍ତି ଯେ, ନାରୀ ଅବଳା କି ଦୁର୍ବଳା ନୁହେଁ । କାରଣ ବେଦରେ ନାରୀ ପାଇଁ ଅବଳା କି ଦୁର୍ବଳା ଶବ୍ଦର ଉଲ୍ଲେଖ ହିଁ ନାହିଁ । ତା’ଛଡା ନାରୀ ହେଉଛି ସମାଜର ଧ୍ଵଜ୍ଜା ସଦୃଶ । ନାରୀ ଶକ୍ତି ଯଦି ନିର୍ୟାତିତା ହୁଏ, ନାରୀ ଶକ୍ତି ଯଦି ଦୁର୍ବଳ ହୁଏ ତା’ହେଲେ ସମାଜର ଅଧୋଗତି ହେବା ସୁନିଶ୍ଚିତ । କାରଣ ନାରୀ କେବଳ ମାନବର ଜନ୍ମଦାତ୍ରୀ ନୁହେଁ, ସେ ହେଉଛି ମାନବ ଶିଶୁର ପ୍ରଥମ ପ୍ରକାଶକର୍ତ୍ତୀ, ପ୍ରଥମ ଅମୃତମୟୀ ଜୀବନଦାତ୍ରୀ, ପ୍ରଥମ ଚିକିତ୍ସିକା, ପ୍ରଥମ ସେବିକା ଏବଂ ସର୍ବୋପରି ପ୍ରଥମ ଶିକ୍ଷାଦାତ୍ରୀ ମଧ୍ୟ । ହେଲେ ସାମ୍ପ୍ରତିକ ପରିସ୍ଥିତିରେ ପୁରୁଷ ତଥା ଯୁବପିଢ଼ିଙ୍କ ଭିତରେ ନାରୀ ମର୍ଯ୍ୟାଦାର ମହତ୍ୱକୁ ନେଇ ଯେଭଳି ଅସଚେତନତା ଦେଖାଦେଇଛି ତାହା ମହିଳା ସୁରକ୍ଷା ଓ ସଶକ୍ତିକରଣ ଦିଗରେ ସବୁଠାରୁ ବଡ଼ ପ୍ରତିବନ୍ଧକ ହୋଇ ଛିଡା ହେଉଛି । ତେଣୁ ବର୍ଷକରେ ଥରେ କେବଳ ସଭା ସମିତିରେ ମହିଳା ସଶକ୍ତିକରଣର ସ୍ଲୋଗାନ ନଦେଇ ନାରୀ ମର୍ଯ୍ୟାଦାର ମହତ୍ୱ ସମ୍ୱନ୍ଧରେ ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ଯାଏଁ ଏକ ସ୍ୱତନ୍ତ୍ର ପାଠ୍ୟକ୍ରମ ପ୍ରସ୍ତୁତ କରାଯିବା ପାଇଁ ଉଦ୍ୟମ ହେବା ଉଚିତ । ଯାହାଦ୍ଵାରା ମହିଳା ସୁରକ୍ଷା ଓ ସଶକ୍ତିକରଣର ବାସ୍ତବତା ପ୍ରତିଫଳିତ ହୋଇପାରିବ । ତେଣୁ ଯଥାଶୀଘ୍ର ଏ ପ୍ରସଙ୍ଗରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ସମାଜସେବୀ ଶ୍ରୀ କୁସୁମ ଦାବୀ କରିଛନ୍ତି ।

Leave A Reply

Your email address will not be published.