ଇନ୍ଦ୍ରବାତୀ ମେଗା ଉଠା ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ : ଲୋକାର୍ପିଣ ପରେ ଯୋଡି ହେଲା କଳାହାଣ୍ଡି ବିକାଶ ଦିଗରେ ଆଉ ଏକ ଫର୍ଦ୍ଦ

କଳାହାଣ୍ଡି, (ଭରତ ବିଶି) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି ବହୁ ପ୍ରତୀକ୍ଷିତ ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ପ୍ରକଳ୍ପକୁ ଜିଲ୍ଲାର ଜୟପାଟଣା, କୋକସରା ଓ ଧର୍ମଗଡ ବ୍ଲକର ଅଣ ଜଳସେଚିତ ଅଞ୍ଚଳର ଚାଷୀଙ୍କ ପାଇଁ ଲୋକାର୍ପିତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେଡି ମାଳ ମାଳ ଛାମୁଆ ନେତା କଳାହାଣ୍ଡିରେ ଡେରା ପକାଇଥିଲେ । ଗୁରୁବାର ଜୟପାଟଣା ବ୍ଲକ ମଙ୍ଗଳପୁର ନିକଟରେ ଥିବା ଇିନ୍ଦ୍ରାବତୀ ମେଗା ଉଠା ଜଳସେଚନ ପ୍ରକଳ୍ପ ପରିସରରେ ମୁଖ୍ୟମନ୍ତ୍ରୀ ଦିନ ୧୧.୪୫ରେ ହେଲିକପ୍ଟରରେ ପହଂଚି ଥିଲେ । ପରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଥିବା ସ୍ୱତନ୍ତ୍ର ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ସଚିବ ଭି.କେ. ପାଣ୍ଡିଆନ ଉପସ୍ଥିତ ରହିଥିବା ବେଳେ ଅନ୍ୟ ଏକ ମଞ୍ଚରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ରାଜ୍ୟସଭା ସାଂସଦ ସୁଜିତ କୁମାର ସେଠ, ଶିଶୁ ବିକାଶ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ, ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ଧର୍ମଗଡ ବିଧାୟକ ମୌଷଧି ବାଗ, ନର୍ଲା ବିଧାୟକ ଭୁପିନ୍ଦର ସିଂ, କଳାହାଣ୍ଡି ଜିଲ୍ଲାପାଳ ଡ. ଗାଭାଲି ପରାଗ ହର୍ସଦ, ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ରହିଥିଲେ । ଅନ୍ୟ ଏକ କାର୍ୟ୍ୟକ୍ରମ ସୁନାମାଲ ଠାରେ ଥିବା ଇନ୍ ପୁଟ୍ କେନାଲ ନିକଟରେ ରାଜ୍ୟର ଅଧିକାଂଶ ବିଧାୟକ ଓ ମନ୍ତ୍ରୀ ତଥା ୨ ହଜାରରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଏଲିଡି ମାଧ୍ୟମରେ ସିଧା ପ୍ରସାରଣ ଦେଖିଥିଲେ । କଳାହାଣ୍ଡି ଜିଲ୍ଲା ମଙ୍ଗଳପୁର ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଅଭିଭାଷଣରେ କହିଛନ୍ତି ଯେ, ଦିନେ କଳାହାଣ୍ଡିରେ ଢେଲା ମାଡ଼ରେ ବିଜୁବାବୁଙ୍କ ନାକ ଫାଟିଥିଲା । କିନ୍ତୁ ବିଜୁବାବୁ ସବୁବେଳେ କଳାହାଣ୍ଡିବାସୀଙ୍କୁ ଭଲ ପାଉଥିଲେ । କଳାହାଣ୍ଡି ନୂଆ ଓଡ଼ିଶାକୁ ବିକାଶର ବାଟ ଦେଖାଇଛି, ଇନ୍ଦ୍ରାବତୀର ପ୍ରତିଟି ଜଳବିନ୍ଦୁ କଳାହାଣ୍ଡିକୁ ସମୃଦ୍ଧ କରିଛି । ତାର ଜଳ କଳାହାଣ୍ଡିବାସୀଙ୍କ ଦେହରେ ରକ୍ତ ହୋଇ ବହୁଛି । କଳାହାଣ୍ଡିରେ ମାଆ ଇନ୍ଦ୍ରାବତୀଙ୍କ ନାଁରେ ହେବ ପାର୍କ ଓ ସଂଗ୍ରହାଳୟ, କଳାହାଣ୍ଡି ନୂଆ ଓଡ଼ିଶାକୁ ବିକାଶର ବାଟ ଦେଖାଇଛି । କଳାହାଣ୍ଡି ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନରେ ନମ୍ବର-୧ ଜିଲ୍ଲା ହୋଇଛି । କଳାହାଣ୍ଡି ଆଜି ସାରା ଦେଶ ପାଇଁ ବିକାଶର ମଡେଲ ହୋଇଛି, ଏହା ସହ କଳାହାଣ୍ଡିର ସହିଦ ରେଣ୍ଡୋ ମାଝୀଙ୍କୁ ସମ୍ମାନ ଜଣାଇଛନ୍ତି ନବୀନ । କଳାହାଣ୍ଡି ବିକାଶର ଅଧ୍ୟାୟରେ ନୂଆ ଫର୍ଦ୍ଦ ଯୋଡିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳାହାଣ୍ଡିକୁ ୨୦୮୫ କୋଟି ପ୍ରକଳ୍ପର ଭେଟି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ୧୦୬ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ୧୦୬୪ କୋଟି ଟଙ୍କା ୫୪ଟି ପ୍ରକଳ୍ପର ଲୋକାର୍ପଣ କରିବା ସହ ୧୦୨୦ କୋଟି ଟଙ୍କାର ୫୨ଟି ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି । ଉପର ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପର ଲୋକର୍ପଣ ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ୯୮୬.୭୧ କୋଟି ଟଙ୍କା ବ୍ୟୟରେ ଜଳସେଚନ ପ୍ରକଳ୍ପ ନିର୍ମିତ ହୋଇଛି ୨୫ ହଜାର ୨୭୫ ହେକ୍ଟର ଜମିରେ ଜଳସେଚନ ସୁବିଧା ହେବ । ଜଳସେଚନ ପ୍ରକଳ୍ପରୁ ପ୍ରାୟ ୩ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ ମୁଖ୍ୟମନ୍ତ୍ରୀଙ୍କ ଏହି ସମାବେଶରେ ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣ ଉପସ୍ଥିତ ରହିଥିଲେ ।

ସୁଚନା ଯେ, ୨୦୦୪ ମସିହାରେ କଳାହାଣ୍ଡି ଜିଲ୍ଳା କୋକସରା ବ୍ଳକ୍ ଅନ୍ତର୍ଗତ ଲଡ଼ୁଗାଁ ଠାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଉଠା ଜଳ ସେଚନ କାର୍ୟ୍ୟକାରୀ ପାଇଁ ଦୃଢ଼ ପ୍ରତିଶ୍ର୍ରୁତି ଦେଇଥିଲେ । ତତ୍‌କାଳୀନ କୋକସରା ବିଧାୟକ ରୋସନୀ ସିଂହଦେଓଙ୍କ ପ୍ରସ୍‌ସ୍ତାବ କ୍ରମେ ଉଠା ଜଳସେଚନ ପ୍ରକଳ୍ପର କାଗଜାତ କେନ୍ଦ୍ରୀୟ ଜଳ ଆୟୋଗଙ୍କୁ ଓଡ଼ିଶା ସରକାରଙ୍କ ତରଫରୁ ପଠାଯାଇଥିଲା ଓ ହାରାମତୀ ଇରିଗେସନ୍ କନ୍‌ସଲ୍‌ଟେନ୍ସ୍ ୨୦୦୬ ମସିହାରେ ଏହାର ସର୍ବେକ୍ଷଣ କରିଥିଲେ । ପୂର୍ବତନ ବିଧାୟକ ପୁଷ୍ପେନ୍ଦ୍ର ସିଂହ ଦେଓ ବାରମ୍ବାର କେନ୍ଦ୍ରୀୟ ଜଳ ଆୟୋଗ ନୂଆଦିଲ୍ଳୀ ଗସ୍ତ କରି କେନ୍ଦ୍ରୀୟ ନେତୃ ମଣ୍ଡଳୀ ସହିତ ଯୋଗ ସୂତ୍ର କରି ପ୍ରକଳ୍ପର ବିଭିନ୍ନ ଫିଜିବିଲିଟି ରିପୋର୍ଟ ଓ କ୍ଳିୟରେନ୍ସ୍ ରିପୋର୍ଟ ଗୁଡ଼ିକ କେନ୍ଦ୍ରୀୟ ଜଳ ଆୟୋଗକୁ ପ୍ରଦାନ କରି ପ୍ରକଳ୍ପ ମଞ୍ଜୁର କରାଇଥିଲେ । ୨୦୧୩ ମସିହା ଡ଼ିସେମ୍ବର ମାସ ୩୧ ତାରିଖରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କୋକସରା ବ୍ଳକ୍ ଲଡ଼ୁଗାଁ ଠାରେ ଉଠା ଜଳସେଚନ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଥିଲେ । ୭୫୭.୮ କୋଟି ବ୍ୟୟ ଅଟକଳରେ ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ କାମ ଶେଷ ହୋଇ ୪୩.୨୬ କିଲୋମିଟର ଲମ୍ବା ମୁଖ୍ୟ ଉଠା ଜଳସେଚନ କଂକ୍ରିଟ୍ ଲାଇନିଂ କେନାଲ ଓ ପାଇପ ଯୋଗେ ୧୧୧୫ କିଲୋମିଟର ଭୂତଳ ଶାଖା କେନାଲ ଯୋଗେ ଜୟପାଟଣା ବ୍ଳକ୍‌ର ୨୩ ଗୋଟି ଗ୍ରାମର ୭୬୪୭.୭୪ ହେକ୍ଟର, କୋକସରା ବ୍ଳକ୍‌ର ୪୬ଟି ଗ୍ରାମର ୧୨୪୯୪.୭୫ ହେକ୍ଟର, ଧର୍ମଗଡ଼ ବ୍ଳକ୍‌ର ୨୨ଗୋଟି ଗ୍ରାମର ୫୧୩୨.୪୫ ହେକ୍ଟର ସମୁଦାୟ ୯୧ଟି ଗ୍ରାମର ୨୫୨୭୪.୯୪ ହେକ୍ଟର ଚାଷ ଜମିକୁ ନିଶ୍ଚିତ ଜଳ ସେଚନ ବ୍ୟବସ୍ଥା ହୋଇ ପାରିବ । ଇନ୍ଦ୍ରାବତୀ ବାମ ଓ ଡ଼ାହାଣ ମୁଖ୍ୟ କେନାଲ ଦ୍ୱାରା ଚାଷ ଜମିକୁ ଜଳ ସେଚନ ହେବା ଫଳରେ ଓଡ଼ିଶା ରାଜ୍ୟ ରେ ଧାନ ଉତ୍ପାଦନ କ୍ଷେତ୍ରରେ କଳାହାଣ୍ଡି ଜିଲ୍ଳା ଦ୍ୱିତୀୟ ସ୍ଥାନରେ ଥିବାବେଳେ ଉଠା ଜଳ ସେଚନର ପାଣି ଚାଷ ଜମିକୁ ମାଡ଼ିବା ପରେ ଜିଲ୍ଳା ରାଜ୍ୟର ଏକ ନମ୍ବର ଧାନ ଉତ୍ପାଦନକାରୀ ଜିଲ୍ଳାର ମାନ୍ୟତା ପାଇବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.