ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦର ମାସିକ ସାହିତ୍ୟ ଆସର ଅବସରରେ ପ୍ରବନ୍ଧ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକାରୀ ସଭାପତି ବ୍ରଜେନ୍ଦ୍ର ଦାଶଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ନୃସିଂହ ଚରଣ ବିଶ୍ୱାଳଙ୍କ ସଂଯୋଜନା ଓ ଉପସଭାପତି ଖଗେନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ପ୍ରାବନ୍ଧିକମାନେ ଆଲୋଚନାରେ ଅଂଶଗ୍ରହଣ କରି କହିଲେ ଯେ, ପ୍ରବନ୍ଧ ହେଉଛି ସାହିତ୍ୟ ଜଗତରେ ବୌଦ୍ଧିକ ଚେତନାର ମୂଳମନ୍ତ୍ର । ଏହି ଅବସରରେ ସତ୍ୟବ୍ରତ ଦାସ, ଖଗେନ୍ଦ୍ର ବେହେରା, ସସ୍ମିତା ପ୍ରଧାନ, ନୃସିଂହ ଚରଣ ବିଶ୍ୱାଳ, ରଶ୍ମିବାଳା ରାଉତରାୟ, ବବିତା ମହାଳିକ, ବସନ୍ତ ବିଶ୍ୱକର୍ମା ପ୍ରମୁଖ ସ୍ୱରଚିତ ପ୍ରବନ୍ଧମାନ ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ରାଧାମୋହନ ନାୟକ, ଅରବିନ୍ଦ ପାତ୍ର, ଗଙ୍ଗାଧର ପୁହାଣ, ଉପେନ୍ଦ୍ର ବସ୍ତିଆ ପ୍ରମୁଖ ଏହା ଏକ ଅଭିନବ ପରିକଳ୍ପନା ଏବଂ ଏହାଦ୍ୱାରା ଅଧିକରୁ ଅଧିକ ପ୍ରାବନ୍ଧିକ ସୃଷ୍ଟି ହୋଇପାରିବେ ବୋଲି ମତ ରଖିଥିଲେ । ଶେଷରେ ଅଶୋକ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।