pakka

ଦେଓଗାଁ ହାଇସ୍କୁଲ ହେବ ବ୍ଲକର ମେଡେଲ ସ୍କୁଲ

  • ସ୍ମାର୍ଟ କ୍ଲାସ, ଇ-ଲାଇବ୍ରେରୀ, ସୌନ୍ଦର୍ଯ୍ୟକରଣ ଲକ୍ଷ୍ୟ ପୂରଣ ହେବ ତ ?
  • ୫ଟି ସଚିବଙ୍କ ଗସ୍ତର ଘଣ୍ଟାଏ ପରେ ହେଲା ବିଜ୍ଞାନ ଶିକ୍ଷକ ପଦବୀ ଖାଲି : ବର୍ଷକର ଶିକ୍ଷକ ସ୍ଥିତି, ଆସିଲେ ପ୍ରଧାନ ଶିକ୍ଷକ ଗଲେଣି ୪ ଶିକ୍ଷକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ହାଇସ୍କୁଲ ଦେଓଗାଁ ବ୍ଲକର ୨୬ଟି ହାଇସ୍କୁଲ ମଧ୍ୟରୁ ଗୋଟିଏକୁ ମେଡେଲ ହାଇସ୍କୁଲ କରିବାକୁ ସରକାର ଚୁଡ଼ାନ୍ତ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ସ୍ମାର୍ଟ କ୍ଲାସ, ଇ-ଲାଇବ୍ରେରୀ ଓ ସ୍କୁଲର ପରିବେଶକୁ ସୁନ୍ଦର କରିବା ପାଇଁ ସ୍ୱତନ୍ତ୍ର ଭାବେ ୪୫ଲକ୍ଷ ଓ ଜିଲ୍ଲା ପରିଷଦ ପାଣ୍ଠିରୁ ୧୦ଲକ୍ଷ ଟଙ୍କା ଅନୁଦାନ ଆସିଛି । ଏହି ଅନୁଦାନକୁ ସଠିକ୍‌ ଭାବେ, ଠିକ ସମୟରେ ଖର୍ଚ୍ଚ କରିବା ପାଇଁ ବଲାଙ୍ଗିର ଜିଳ୍ଲାପାଳ ତୁହାକୁ ତୁହା ଗସ୍ତ କରି ଅଗ୍ରଗତିର ସମୀକ୍ଷା କରୁଛନ୍ତି । ଏପରି କି ଗତ ୪ ତାରିଖ ଦିନ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି.କେ ପାଣ୍ଡିଆନ ଆସିଥିଲେ । ଗସ୍ତର ମାତ୍ର ତିନି ଦିନ ପୂର୍ବରୁ ଜିଲ୍ଲା ପ୍ରଶାସନକୁ ଗସ୍ତ ସୂଚୀ ଦିଆଯାଇଥିବାରୁ ଜିଲ୍ଲା ପ୍ରଶାସନ ହଡବଡ଼େଇ ଯାଇଥିଲା । ଘଡ଼ିକେ ଘୋଡା ଛୁଟିଲା ପରି ଦୁଇ ମାସରେ ହେବାକୁ ଥିବା ଅଗ୍ରଗତି ମାତ୍ର ଦୁଇ ଦିନ ଭିତରେ ହୋଇଥିଲା । ସ୍କୁଲ ପରିସରରେ ପାନୀୟ ଜଳ ବ୍ୟବସ୍ଥା ପାଇଁ ରାତା ରାତି ମୁଖ୍ୟ ଗେଟକୁ ଭାଙ୍ଗି ନଳକୂପ ଖନନ କରିବାକୁ ଆସିଥିବା ଗାଡ଼ିକୁ ଭିତରକୁ ନିଆଯାଇଥିଲା । ଯାହା ବି ହେଉ ଦୀର୍ଘ ଦିନର ଦାବୀ ମାତ୍ର ୨ ଦିନ ମଧ୍ୟରେ ସମାଧାନ ହୋଇଥିଲା । ଛାତ୍ର, ଛାତ୍ରୀ ଭଲ ପାଣି ପିଇବାକୁ ପାଇଲେ । ଲୋକଙ୍କ ମନରେ ହାଇସ୍କୁଲକୁ ନେଇ ନୂତନ ଆଶା ଦେଖାଯାଇଛି । ହେଲେ ଛାତ୍ର, ଛାତ୍ରୀଙ୍କୁ ପଡ଼ାଇବା ପାଇଁ ଶିକ୍ଷକ ସଂଖ୍ୟାକୁ ନେଇ ଅସନ୍ତୋଷ ବଢ଼ିବା ସହ ସରକାରଙ୍କ ମେଡ଼େଲ ସ୍କୁଲ ଏକ ପ୍ରହସନ ବୋଲି ଆଲୋଚନା ହେଉଛି ।

ଦେଓଗାଁ ହାଇସ୍କୁଲର ଶିକ୍ଷକ ସଂଖ୍ୟାଙ୍କୁ ନେଇ ତଦନ୍ତ କରାଯିବାରୁ ଜଣାପଡ଼ିଛି ଯେ, ସ୍ୱୀକୃତି ପ୍ରାପ୍ତ ଶିକ୍ଷକ ସଂଖ୍ୟା ଜଣେ ପ୍ରଧାନ ଶିକ୍ଷକ ସହ ୮ଜଣ ଶିକ୍ଷକ । ଜଣେ ପ୍ରଧାନ ଶିକ୍ଷକ, ୨ଜଣ ବିଏ ବିଇଡି, ଜଣେ ଲେଖାଏଁ ପିସିଏମ, ସିବିଜେଡ, ହିନ୍ଦି, ସଂସ୍କୃତ ଓ ଖେଳ ଶିକ୍ଷକ । ହେଲେ ଗତ ୨୦୨୦ ଫେବୃୟାରୀ ମାସରେ ବରିଷ୍ଠ ଶିକ୍ଷକ କୁମାର ଷାଣ୍ଢ ଓ ଖେଳ ଶିକ୍ଷକ ମଥାମଣୀ ପଣ୍ଡା ଉଭୟ ଅବସର ନେଲେ, ସେହିପରି ଗତ ଅକ୍ଟୋବର ମାସରେ ବିଜ୍ଞାନ ଶିକ୍ଷକ ସୁନିଲ ହରପାଲ ଅବସର ନେଲେ ଓ ଗତ ୪ ତାରିଖ ଦିନ ଯେଉଁ ଦିନ ୫ଟି ସଚିବ ସ୍କୁଲ ପରିଦର୍ଶନ କରିବାକୁ ଆସିଥିଲେ ତା’ର ମାତ୍ର ଘଣ୍ଟେ ପରେ ପୂର୍ବରୁ ପଦୋନ୍ନତି ନିର୍ଦ୍ଦେଶ ଥିବାରୁ ରିଲିଫ ହୋଇ ବଲାଙ୍ଗିର ଡିଇଓ କାର୍ଯ୍ୟାୟରେ ଯୋଗ ଦେଇଥିଲେ ବରିଷ୍ଟ ଶିକ୍ଷକ ବିଭୂତୀ ଭୂଷଣ ବେହେରା । ବର୍ତ୍ତମାନ ଦେଓଗାଁ ହାଇସ୍କୁଲର ଶିକ୍ଷକ ସଂଖ୍ୟା ୮ଟି ସ୍ଥାନରେ ୪ରେ ପହଞ୍ଚିଛି । ଆଗକୁ ଦେଓଗାଁ ହାଇସ୍କୁଲର ବିକାଶ ନେଇ ବାଟ ଫିଟିଛି ବୋଲି ଡିମଡିମି ପିଟୁଥିବା ବେଳେ କେବଳ ସୌନ୍ଦର୍ଯ୍ୟକରଣ କଲେ କଣ ଶିକ୍ଷାର ବିକାଶ ହେବ ବୋଲି ଶିକ୍ଷାପ୍ରେମୀ ମହଲରେ ଆଲୋଚନା ଆରମ୍ଭ ହୋଇଛି ।

Leave A Reply

Your email address will not be published.

11 + three =