ମାତୃଶକ୍ତି ହିଁ ଶ୍ରେଷ୍ଠ ଶକ୍ତି

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ “ରାଉରକେଲା ସାହିତ୍ୟ ସଂସଦର ମାସିକ ସାହିତ୍ୟ ଆସର ଛେଣ୍ଡ ସ୍ଥିତ ଧାମରା ସଂଘ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆବାହକ ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ୱରେ ଆୟୋଜିତ ଏହି ସଭାରେ ମୁଖ୍ୟବକ୍ତା ଭାବେ ଧାମରା ସଂଘର ସାଧାରଣ ସଂପାଦକ ଭଗବାନ ରାଉତ ଯୋଗଦାନ କରି କହିଲେ, ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ ଓ ମା’ଙ୍କ ନବଦିନାତ୍ମକ ପୂଜା । ଧରାବତରଣ କରି ସାରିଛନ୍ତି ମା’ ଦୁର୍ଗତି ନାଶିନୀ ଦୁର୍ଗା, ମାତୃଶକ୍ତିର ପ୍ରତୀକ । ଜଗତ ଜନନୀ ମା’ ଦୁର୍ଗା ପୃଥିବୀକୁ ସତ୍ୟ ଶିବ ସୁନ୍ଦରରେ ପରିଣତ କରିଛନ୍ତି । ସେ ନବରାତ୍ରର ନଅ ଦିନରେ ପ୍ରଥମ ଦିନ ଶୈଳପୁତ୍ରୀ, ଦ୍ୱିତୀୟ ଦିନ ବ୍ରହ୍ମଚାରିଣୀ, ତୃତୀୟ ଦିନ ଚନ୍ଦ୍ରଘଣ୍ଟା, ଚତୁର୍ଥ ଦିନ କୁଷ୍ମାଣ୍ଡା, ପଞ୍ଚମ ଦିନ ସ୍କନ୍ଧମାତା, ଷଷ୍ଠ ଦିନ କାତ୍ୟାୟନୀ, ସପ୍ତମ ଦିନ କାଳରାତ୍ରୀ, ଅଷ୍ଟମ ଦିନ ମହାଗୌରୀ ଓ ନବମ ଦିନ ସିଦ୍ଧିଦାତ୍ରୀଙ୍କୁ ପୂଜା କରାଯାଇଥାଏ । ଏହି ନବରାତ୍ର ପାଳନଦ୍ୱାରା ପୃଥିବୀରୁ ଆସୁରିକ ଶକ୍ତି ଲୋପ ପାଇଥାଏ । ତେଣୁ ମା’ର ଆଶୀର୍ବାଦ ହେଉଛି ଦୁନିଆର ସର୍ବଶ୍ରଷ୍ଠ ଆଶୀର୍ବାଦ । ମୁଖ୍ୟ ଅତିଥି ଭାବେ ଦେବେନ୍ଦ୍ର ବଳ ମା’ ଦୁର୍ଗାଙ୍କର ନଅଦିନକୁ ନଅଟି ଶକ୍ତିରୂପେ ବର୍ଣ୍ଣନା କରିଥିଲେ । ପ୍ରାରମ୍ଭରେ ସଂସଦର ସଭାପତି ତାଙ୍କର ସଭାପତିତ୍ୱ ଅଭିଭାଷଣରେ ସଂସଦ ସର୍ବଦା ସାହିତ୍ୟ ଆଉ ସସ୍କୃତିକୁ ପାଥେୟ କରି ଆଗକୁ ଅଗ୍ରସର ହେବ ବୋଲି କହିଥିଲେ । ସଂସଦର କାର୍ଯ୍ୟକାରୀ ସଭାପତି ଅନିଲ କୁମାର ଦାଶ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ଉପସଭାପତି ରମେଶ ଚନ୍ଦ୍ର ବାରିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସଂସଦର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.