କାମ ନ କରି ମୃତ ବ୍ୟକ୍ତିଙ୍କ ନାଁରେ ମନରେଗା ଯୋଜନାରେ ଉଠିଛି ଟଙ୍କା : ବ୍ୟାପକ ଦୁର୍ନୀତି, ତଦନ୍ତ ପାଇଁ ବିଡ଼ିଓଙ୍କୁ ଅଭିଯୋଗ
ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ଦିନକୁ ଦିନ ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ଘଟଣା ଅନେକ ଥର ଦେଖିବାକୁ ମିଳିଥାଏ । ହେଲେ ଏହି ବ୍ଳକରେ ତଦନ୍ତ ବଦଳରେ ରାଜନୈତିକ ଦଳର ଚାପରେ ଚାପି ହୋଇ କାର୍ଯ୍ୟାନୁଷ୍ଠାନ ହେଉନଥିବା ନଜରକୁ ଆସିଛି । ତେବେ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଥିବା ଶ୍ରମିକମାନଙ୍କୁ ରୋଜଗାରର ସୁଯୋଗ ଦେବା ସହ ଦାଦନ ସମସ୍ୟାକୁ ରୋକିବା ପାଇଁ ମନରେଗା ଯୋଜନା ମାଧ୍ୟମରେ ବର୍ଷକୁ ୧୦୦ ଦିନର କାମ ଯୋଗାଇ ଦେବାକୁ ନିୟମ ପ୍ରଣୟନ କରିଛନ୍ତି । ଏହି ନିୟମ ଅନୁସାରେ ପ୍ରତ୍ୟେକ ଗ୍ରାମ ପଂଚାୟତରେ ବ୍ୟକ୍ତିଗତ ପ୍ରକଳ୍ପ ସହିତ ଗୋଷ୍ଠୀ ପ୍ରକଳ୍ପଗୁଡ଼ିକ ପଞ୍ଚାୟତ ମାଧ୍ୟମରେ କାର୍ଯ୍ୟକାରୀ କରାଯାଇ ଶ୍ରମିକ ମାନଙ୍କୁ କାମ ଯୋଗେଇ ଦିଆଯାଉଥିବା ସହ ରାସ୍ତା ଘାଟ, ଆଡିବନ୍ଧ ନିର୍ମାଣ, ପୋଖରୀ ଖନନ ଭଳି ଅନେକ ସାମୁହିକ ଉନ୍ନୟନ ମୂଳକ ପ୍ରକଳ୍ପ କରାଯାଇଥାଏ । କିନ୍ତୁ ମୃତ୍ୟୁ ବରଣ କରିଥିବା ସହ କାମ ନ କରି ଶ୍ରମିକ ମାନଙ୍କ ଖାତାରେ ଟଙ୍କା ଜମା ହୋଇଥିବା ଭଳି ଏକ ସାଙ୍ଘାତିକ ଅଭିଯୋଗ ହୋଇଛି ସଇଁନ୍ତଲା ବ୍ଲକ କେରମେଲି ପଞ୍ଚାୟତରେ । ସୂଚନା ମତେ, ଗତ ୧୧/୦୬/୨୦୧୬ରେ ଲାଚୁଟ ଠାରୁ ସ୍ଥାନୀୟ ନଦୀ ପର୍ଯ୍ୟନ୍ତ ବ୍ରିଜ ନିର୍ମାଣ ଏବଂ ଆଡିବନ୍ଧ କାର୍ଯ୍ୟ ପାଇଁ ୧୦ ଲକ୍ଷ ଟଙ୍କାର ଅଟକଳ ପରିମାଣ ଥିବା ବେଳେ ୬ଲକ୍ଷ ୩୨୮ ଟଙ୍କା ଉଠିସାରିଛି । ପ୍ରକାଶ ଥାଉ କି ଯେ, ଉକ୍ତ ପଞ୍ଚାୟତର ଜିଆର୍ଏସ୍ ମନୋଜ ଦାସ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ନାଁରେ ଖାତାରେ ଟଙ୍କା ଜମା କରିଥିବା ବେଳେ କାମ ନ କରିଥିବା ଶତାଧିକ ଲୋକଙ୍କ ନାଁରେ ଟଙ୍କା ମଧ୍ୟ ପକାଇଛନ୍ତି । ଏଥିରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ଯେ, ବିନା କାମରେ କେମିତି ଭାବରେ ଲୋକଙ୍କ ଖାତାରେ ଟଙ୍କା ଜମା ହେଲା, ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିଜ ପକେଟ ପାଇଁ କାରସାଦି କରିଛନ୍ତି କି ଜିଆରଏସ ବାବୁ ଜଣକ ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି । ନିମ୍ନ ମାନର କାମ ଯୋଗୁଁ ନିର୍ମାଣ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । ଅନ୍ୟପଟେ କାମ ଆରମ୍ଭ ହେବା ପରେ ସୂଚନା ଫଳକ ରହିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ଥିବା ବେଳେ ଜିଆର୍ଏସ୍ ଜାଣିଶୁଣି ସୂଚନା ଫଳକ ମଧ୍ୟ ଲଗାଇ ନାହାନ୍ତି । ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବାର ଅନେକ ଥର ଅଭିଯୋଗ ମଧ୍ୟ ହୋଇସାରିଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆଯାଇ ନାହିଁ । ଯାହା ଫଳରେ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପଟେ ବନାରସ ଗ୍ରାମର ରାଜେଶ ସାହୁ ଏନେଇ ବିଡ଼ିଓ ଦେବାଶିଷ ସାମଲଙ୍କୁ ଲିଖିତ ଭାବେ ଅଭିଯୋଗ କରଛନ୍ତି ଯେ, ଏହି ପଞ୍ଚାୟତର ଲାଚୁଟ ଗ୍ରାମରୁ ନଦୀ କୂଳ ପର୍ଯ୍ୟନ୍ତ ୨୦୨୦-୨୧ ମସିହାରେ ମନରେଗା ଯୋଜନାରେ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ବ୍ୟାପକ ଦୁର୍ନୀତି ହୋଇଛି । ତେବେ ତଦନ୍ତ କରିବା ପାଇଁ ଲିଖିତ ଅଭିଯୋଗ କରିଥିବା ବେଳେ ଯଦି ୭ ଦିନ ଭିତରେ ତଦନ୍ତ ନ କଲେ ଗ୍ରାମବାସୀ ମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି । ଏଭଳି ଘଟଣା ଗୋଟିଏ କି ଦୁଇଟି ନୁହେଁ ଅନେକ କାମରେ ଲକ୍ଷ ଲକ୍ଷ ଟଙ୍କାର ଏହି ପଞ୍ଚାୟତରେ ଦୁର୍ନୀତି ହୋଇଥିବା ଆଲୋଚନା ହେଉଛି । ତେବେ ଭିଜିଲାନ୍ସ ତଦନ୍ତ ଆବଶ୍ୟକ ରହିଛି ବୋଲି ମଧ୍ୟ ଅଞ୍ଚଳବାସୀ ଦାବୀ କରିଛନ୍ତି । ଏନେଇ ସଇଁନ୍ତଲା ବିଡ଼ିଓ ଦେବାଶିଷ ସାମଲଙ୍କୁ ପଚାରିବାରୁ ଯେଉଁ ମାନେ ଏଠାରେ ସମ୍ପୃକ୍ତ ରହିଁଛନ୍ତି ତଦନ୍ତ ହେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ଏନେଇ ଜିଆର୍ଏସ୍ ମନୋଜ ଦାସଙ୍କୁ ପଚାରିବାରୁ ଯଦି କୌଣସି ବ୍ୟକ୍ତିଙ୍କର କାମ ୧୦୦ ଦିନରୁ ଅଧିକ କାମ ଥିବ, ତେବେ କଣ କରାଯାଇପାରିବ, ସେଥିପାଇଁ କାମ ନ କରିଥିବା ଲୋକଙ୍କ ଖାତାରେ ଟଙ୍କା ଜମା କରାଯାଉଛି ବୋଲି ମଧ୍ୟ ସେ ଫୋନ ମାଧ୍ୟମରେ ପ୍ରକାଶ କରିଛନ୍ତି, ଯାହାର ପ୍ରମାଣ ମଧ୍ୟ ରହିଛି । ବ୍ଲକ ପ୍ରଶାସନ ତଦନ୍ତ କରୁଛି ନା ଘଟଣାକୁ ଚପାଇ ଦେବ, ତାହା ଦେଖିବାକୁ ବାକି ରହିଲା । ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବୀ ହେଉଛି ।