jayashree

ମକର ସଂକ୍ରାନ୍ତିରେ ଚଳଚଞ୍ଚଳ ପବିତ୍ର ହରିଶଙ୍କର ପୀଠ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଆଜି ପବିତ୍ର ମକର ସଂକ୍ରାନ୍ତି ପର୍ବ । ଚଳଚଞ୍ଚଳ ଗାଁ ଠାରୁ ସହର । ରାଜ୍ୟର ବିଭିନ୍ନ ଦେବାଳୟରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଘରେ ଘରେ ମକର ଚାଉଳ କରି ନିଜ ଇଷ୍ଟ ଦେବାଦେବୀଙ୍କୁ ଭୋଗ କରିଛନ୍ତି ରାଜ୍ୟବାସୀ । ଏହି ପବିତ୍ର ଦିନରେ ପଶ୍ଚିମ ଓଡ଼ିଶାର ପବିତ୍ର ଶୈବ ପୀଠ ହରିଶଙ୍କର ମନ୍ଦିରରେ ମକର ସଂକ୍ରାନ୍ତି ପର୍ବ ବେଶ ଆଡମ୍ବର ସହ ପାଳନ କରାଯାଇଛି । ଭଗବାନ ତ୍ରିଲୋକେଶଙ୍କ ମନ୍ଦିରରେ ଭୋର ୫ଟାରୁ ଦ୍ୱାରଫିଟା ନୀତି ସମ୍ପନ୍ନ ହେବା ପରେ ମନ୍ଦିର ଶୋଧ, ସ୍ନାନ ମାର୍ଯ୍ୟନ କରାଯାଇଥିଲା । ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବା ପରେ ମନ୍ଦିର ଭିତରେ ସର୍ବସାଧାରଣ ଦର୍ଶନ କରିଥିଲେ । ମକର ସଂକ୍ରାନ୍ତି ଥିବାରୁ ଜିଲ୍ଲା ଓ ଜିଲ୍ଲା ବାହାରୁ ହରିଶଙ୍କର ପୀଠରେ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ଶ୍ରଦ୍ଧାଳୁମାନେ ବେଢାରେ ମକର ଚାଉଳ ପ୍ରସାଦ କରି ମହାଦେବଙ୍କ ନିକଟରେ ଭୋଗ ଲାଗି କରିଥିଲେ । ଅରୁଆ ଚାଉଳ, ଛେନା, ନଡିଆ, କଦଳୀ, କ୍ଷୀର, ଖୁଆରେ ପ୍ରସ୍ତୁତ ମକର ଚାଉଳକୁ ମନ୍ଦିର ପ୍ରଶାସନ ପକ୍ଷରୁ ମା’ଙ୍କ ନିକଟରେ ଭୋଗ ଲାଗି କରାଯାଇଥିଲା । ଭଗବାନଙ୍କ ନିକଟରୁ ପ୍ରସାଦ ପାଇବା ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଥିଲା । ଭକ୍ତ ମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଯାନବାହନ ନିୟନ୍ତ୍ରଣ ଓ ଭକ୍ତଙ୍କ ସୁରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ହରିଶଙ୍କର ମନ୍ଦିର ସୌନ୍ଦର୍ଯ୍ୟିକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଯାତାୟାତରେ ସମସ୍ୟା ଦେଖାଯାଇଥିଲା । ତେବେ ଏହାକୁ ଏଡ଼ାଇବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଭାରି ମାତ୍ରାରେ ଟ୍ରାଫିକ ବନ୍ଦୋବସ୍ତ କରାଯାଉଥିବା ଦେଖାଯାଇଥିଲା ।

Leave A Reply

Your email address will not be published.