ପାରାଦ୍ୱୀପ ବନ୍ଦରକୁ ବିଶ୍ୱସ୍ତରୀୟ ବନ୍ଦରରେ ପରିଣତ କରିବା ପାଇଁ କେନ୍ଦ୍ର କ୍ୟାବିନେଟର ମହତ୍ୱପୂର୍ଣ୍ଣ ନିଷ୍ପତି

ପାରାଦ୍ୱୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦ୍ୱୀପ ବନ୍ଦରରେ ଆଭ୍ୟନ୍ତରୀଣ ପୋତାଶ୍ରୟରେ କେପ୍‌ ସାଇଜ୍‌(ବୃହତ) ଜାହାଜ ଚଳାଚଳ ଲାଗି ସହଭାଗିତା ଭିତିରେ ନିର୍ମାଣ, ସଂଚାଳନ ଓ ହସ୍ତାନ୍ତର ଆଧାରରେ ୱେଷ୍ଟର୍ଣ୍ଣ ଡକ୍‌ର ବିକାଶକୁ କ୍ୟାବିନେଟ୍‌ ମଞ୍ଜୁରୀ କରିଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂପର୍କିତ ମନ୍ତ୍ରୀମଣ୍ଡଳ ସମିତି ବୈଠକରେ ପାରାଦ୍ୱୀପ ବନ୍ଦରର ଆଭ୍ୟନ୍ତରୀଣ ପୋତାଶ୍ରୟରେ କେପ୍‌ ଆକାରର ଜାହାଜ ଚଳାଚଳ ନିମନ୍ତ ସାର୍ବଜନୀନ ଓ ଘରୋଇ ସହଭାଗିତା ଭିତିରେ ନିର୍ମାଣ, ସଂଚାଳନ ଓ ହସ୍ତାନ୍ତର (ବି.ଓ.ଟି) ଆଧାରରେ ୱେଷ୍ଟର୍ଣ୍ଣ ଡକ୍‌ର ବିକାଶ ସମେତ ଆଭ୍ୟନ୍ତରୀଣ ପୋତାଶ୍ରୟର ସମସ୍ତ ସୁବିଧାକୁ ଅଧିକ ମଜବୁତ ଓ ଉନ୍ନତ କରିବା ଯୋଜାନାକୁ ମଂଜୁରୀ ପ୍ରଦାନ କରିଛି । କେନ୍ଦ୍ର ବନ୍ଦର ଜାହାଜ ଚଳାଚଳ ଓ ଜଳମାର୍ଗ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଶ୍ରୀ ମନସୁଖ ମାଣ୍ଡଭିୟା ନୂଆଦିଲ୍ଲୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ପୂର୍ବୋଦୟ ପରିକଳ୍ପନା ଅର୍ନ୍ତଗତ ଏହି ପ୍ରକଳ୍ପ ଲାଗି ଆନୁମାନିକ ୩,୦୦୪.୬୩ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି । ନୂଆ ୱେଷ୍ଟର୍ଣ୍ଣ ଡକ୍‌ର ବିକାଶ ଲାଗି (ବି.ଓ.ଟି.) ଆଧାରରେ ରିହାତି ପାଇବାକୁ ଥିବା ଚୟନ ହେଉଥିବା ସଂସ୍ଥା, ୨୦୪୦ କୋଟି ଟଙ୍କା ଏବଂ ଖନନ ଲାଗି ୩୫୨.୧୩ କୋଟି ଟଙ୍କା ପୁଞ୍ଜିନିବେଶ କରିବ । ଆନୁଷଙ୍ଗିକ ଭିତିଭୂମି ସହାୟତା ବାବଦକୁ ପାରାଦ୍ୱୀପ ବନ୍ଦର ୬୧୨.୫୦କୋଟି ଟଙ୍କା ପୁଞ୍ଜି ଖଟାଇବ । ପ୍ରସ୍ତାବିତ ପ୍ରକଳ୍ପ ଲାଗି ବି.ଓ.ଟି. ଆଧାରରେ ରିହାତି ପାଇବାକୁ ଥିବା ଚୟନ ହେଉଥବା ସଂସ୍ଥା କେପ୍‌ ଆକାରର ଜାହାଜ ଚଳାଚଳ ଲାଗି ବାର୍ଷିକ ୨୫ ମେଟ୍ରିକ ଟନ୍‌ ପଣ୍ୟ କାରବାର କ୍ଷମତା ସଂପନ୍ନ ୱେଷ୍ଟର୍ଣ୍ଣ ଡକ୍‌ର ପୋତାଶ୍ରୟ ଦୁଇଟି ପର୍ଯ୍ୟାୟରେ ବିକଶିତ କରିବ । ପ୍ରତି ପର୍ଯ୍ୟାୟରେ ୧୨.୫୦ ନିୟୁତ ମେଟ୍ରିକ୍‌ ଟନ୍‌ କ୍ଷମତାର ନିର୍ମାଣ କରାଯିବ । ୩୦ ବର୍ଷ ଯାଏଁ ସଂସ୍ଥାର ରିହାତି ଅବଧି ମିଳିବ । ପାରାଦ୍ୱୀପ ବନ୍ଦର କେପ୍‌ ଆକାର ଜାହାଜର ସୁଗମ ଚଳାଚଳ ଲାଗି ବ୍ରେକ ୱାଟର ସଂପ୍ରସାରଣ ତଥା ଅନ୍ୟାନ୍ୟ ଆନୁସଙ୍ଗିକ ଭିତ୍ତତିଭୂମି ସହାୟତା ପ୍ରଦାନ କରିବ । ଏହାଦ୍ୱାରା ପଣ୍ୟ କାରବାର ଖର୍ଚ୍ଚ ଯଥେଷ୍ଟ ହ୍ରାସ ପାଇବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ମାଣ୍ଡଭିୟା ପ୍ରକାଶ କରିଥିଲେ । ଚାଲୁ ହେବା ପରେ ଏହି ପ୍ରକଳ୍ପ କୋଇଲା ଓ ଚୂନପଥର ଆମଦାନୀରେ ବିଶେଷ ସହାୟକ ହେବ । ଏହାଛଡା ପାରାଦ୍ୱୀପ ବନ୍ଦରର ପାର୍ଶବର୍ତୀ ଅଞ୍ଚଳରେ ଗଢି ଉଠିଥିବ ବହୁ ସଂଖ୍ୟକ ଇସ୍ପାତ ପ୍ରକଳ୍ପ ପରିପ୍ରେକ୍ଷୀରେ ସ୍ଳାଗ ଓ ଇସ୍ପାତ ଉତ୍ପାଦ ରପ୍ତାନୀରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହି ପ୍ରକଳ୍ପ ଦ୍ୱାରା ସଂପ୍ରତି ବନ୍ଦରରେ ହେଉଥିବା ଜାହାଜ ଗୁଡିକର ଭିଡ ଯଥେଷ୍ଟ ହ୍ରାସ ପାଇବ, ଅଧିକିନ୍ତୁ ଜାହାଜ ମାହାସୁଲ ହ୍ରାସ ଯୋଗୁଁ କୋଇଲା ଆମଦାନୀ ଦର ଶସ୍ତା ହେବ ତଥା ବନ୍ଦର ପାଶ୍ୱାର୍ଂଞ୍ଚଳରେଔଦ୍ୟୋଗିକ ଅର୍ଥନୀତିରେ ବିକାଶ ସାଧିତ ହୋଇ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ୧୫୦୦ ଜଣଙ୍କ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି ହେବ ।

Leave A Reply

Your email address will not be published.