କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ମହାକୁମ୍ଭ ନଗରରେ କରିଥିବା ପ୍ରଦର୍ଶନୀରେ ସରକାରଙ୍କ ସଫଳତା, ଯୋଜନା, ନୀତି ଓ ଜନକଲ୍ୟାଣ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରୁଛନ୍ତି
ନୂଆଦିଲ୍ଲୀ, (ପିଆଇବି) : ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭର ତ୍ରିବେଣୀ ରୋଡ୍ରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ପକ୍ଷରୁ ଏକ ପ୍ରଦର୍ଶନୀ ଆୟୋଜିତ ହୋଇଛି । ଏହି ପ୍ରଦର୍ଶନୀରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏକ ଡିଜିଟାଲ ପ୍ରଦର୍ଶନୀ ମଣ୍ଡପ ସ୍ଥାପନ କରିଛି । ଭାରତ ସରକାରଙ୍କ ସଫଳତା, ଯୋଜନା, ନୀତି ଓ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ସଂପର୍କରେ ସାଧାରଣ ଲୋକଙ୍କୁ ଅବଗତ କରିବା ପାଇଁ କରାଯାଇଛି ଏହି ଡିଜିଟାଲ ପ୍ରଦର୍ଶନୀ ମଣ୍ଡପ । ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ଯୋଜନା, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏବଂ ପ୍ରକାଶନ ବିଭାଗ ପକ୍ଷରୁ ମଧ୍ୟ ମଣ୍ଡପ କରାଯାଇଛି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଡିଜିଟାଲ ପ୍ରଦର୍ଶନୀରେ ଏନାମର୍ଫିକ କାନ୍ଥ, ଏଲ୍ଇଡି ଟିଭି ସ୍କ୍ରିନ, ଏଲ୍ଇଡି କାନ୍ଥ ଓ ହୋଲୋଗ୍ରାଫିକ ସିଲିଣ୍ଡର ଜରିଆରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ପ୍ରଦର୍ଶିତ ହୋଇଛି । ଏହି ଡିଜିଟାଲ ପ୍ରଦର୍ଶନୀରେ ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ଯୋଜନା, ବିଭିନ୍ନ କମ୍ପାନୀ ଓ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ କେମିତି ଛାତ୍ରଛାତ୍ରୀମାନେ ଏହି ଇଣ୍ଟର୍ନସିପ୍ ପାଇବେ, ସେ ସଂପର୍କରେ ସାଧାରଣ ଲୋକଙ୍କୁ ସୂଚନା ପ୍ରଦାନ କରାଯାଇଛି । ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପ୍ରଦର୍ଶନୀରେ ପ୍ରଦର୍ଶିତ ହୋଇଛି ବନ୍ୟା, ଅଗ୍ନିକାଣ୍ଡ, ଭୂମିକମ୍ପ, ପ୍ରବଳ ଶୀତ, ଜଙ୍ଗଲୀ ନିଆଁ ପରି ପ୍ରାକୃତିକ ବିପର୍ଯ୍ୟୟ ଓ ମଣିଷକୃତ୍ୟ ବିପତ୍ତିକୁ ରୋକିବାକୁ କଣ ସବୁ ପଦକ୍ଷେପ ନିଆଯାଉଛି । ଡିଜିଟାଲ ମାଧ୍ୟମରେ ଏସବୁ ପ୍ରଦର୍ଶିତ ହୋଇଛି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପ୍ରକାଶନ ବିଭାଗର ଷ୍ଟଲରେ ସ୍ଥାନ ପାଇଛି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଲେଖା ଯାଇଥିବା ବହି ଓ ମହାପୁରୁଷଙ୍କ ଜୀବନୀ ଉପରେ ଲେଖା ଯାଇଥିବା ପୁସ୍ତକ । କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ଷ୍ଟଲରେ ମିଳୁଛି ବିଭିନ୍ନ ପ୍ରକାର ମାଣ୍ଡିଆ ଜାତୀୟ ଖାଦ୍ୟ ସାମଗ୍ରୀ ଓ ପନିପରିବା ବିହନ । ମହାକୁମ୍ଭକୁ ଆସୁଥିବା ହଜାର ହଜାର ଲୋକ ଏହି ସବୁ ଜିନିଷ ଓ ଅନ୍ୟ ଷ୍ଟଲ ବୁଲି ଦେଖୁଛନ୍ତି । ବିଭିନ୍ନ ପ୍ରକାର ଚିତ୍ର, ଫିଲ୍ମ ଜରିଆରେ ଲୋକଙ୍କୁ ଯେଉଁ ସୂଚନା ପ୍ରଦାନ କରାଯାଉଛି, ତାକୁ ସେମାନେ ପ୍ରଶଂସା କରୁଛନ୍ତି । ସେମାନେ କହୁଛନ୍ତି, ଏହି ଡିଜିଟାଲ ପ୍ରଦର୍ଶନୀ ବହୁତ ସୂଚନା ଦେଉଛି ଓ ଏହା ଶିକ୍ଷଣୀୟ ମଧ୍ୟ । ମହାକୁମ୍ଭ ନଗର ତ୍ରିବେଣୀ ମାର୍ଗର ପ୍ରଦର୍ଶନୀ କଂପ୍ଲେକ୍ସରେ ଆୟୋଜିତ ହୋଇଥିବା ଏହି ପ୍ରଦର୍ଶନୀ ଲୋକେ ମାଗଣାରେ ଦେଖିପାରିବେ । ଏହା ୨୬ ଫେବୃଆରି ୨୦୨୫ ଯାଏ ଖୋଲା ରହିବ ।