୨୧ତମ ଉପଖଣ୍ଡସ୍ତରୀୟ ବଲାଙ୍ଗିର ଲୋକଉତ୍ସବ ୨୦୨୩

  • ଡାଳଖାଇ ଓ ହଲିଆ ଗୀତରେ ଦୁଲୁକିଲା ଟାଉନ ହଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟାଉନ ହଲଠାରେ ୨୧ତମ ଉପଖଣ୍ଡସ୍ତରୀୟ ବଲାଙ୍ଗିର ଲୋକଉତ୍ସବ ଉପଜିଲ୍ଲାପାଳ କୁମାର ନାଗଭୂଷଣଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବରେ ମୁଖ୍ୟ ଅତିଥି ତଥା ଉଦ୍‌ଘାଟକ ଭାବେ ଜିଲ୍ଲାପାଳ ଚଞ୍ଚଳ ରାଣା, ଆରକ୍ଷୀ ଅଧିକ୍ଷକ ନିତୀନ କୁଶଲକର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମଞ୍ଚରେ ଅତିଥି କଳାକାର ଭାବେ ଡା. ରୁଦ୍ର ପ୍ରସାଦ ପଟେଲ ଓ ଅଶୋକ କୁମାର ଥନାପତି ମଞ୍ଚାସୀନ ଥିଲେ । ଆକାଶବାଣୀର ବରିଷ୍ଠ ଉଦ୍‌ଘୋଷକ ମଧୁସୂଦନ ନାୟକ ସଭା ପରିଚାଳନା କରିଥିଲେ । ମା’ ସମଲେଶ୍ଵରୀ, ମା’ ପାଟଣେଶ୍ଵରୀଙ୍କ ପ୍ରତିକୃତିରେ ମାଲ୍ୟାର୍ପଣ, ପ୍ରଦୀପ ପ୍ରଜ୍ଵଳନ ପରେ କାର୍ଯ୍ୟକ୍ରମର ଊଦ୍‌ଘାଟନୀ ଉତ୍ସବରେ କଦମପଡା ସରସ୍ଵତୀ ଶିଶୁ ମନ୍ଦିରର ଛାତ୍ର ଛାତ୍ରୀମାନେ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ । ସାମ୍ବାଦିକ ପ୍ରଶାନ୍ତ ମହାକୁର ସ୍ଵାଗତ ଭାଷଣ ଦେଇଥିଲେ । ଏହି ଅବସରରେ କୁତୁର୍ଲାର କୃଷ୍ଣଚନ୍ଦ୍ର ଚାନ୍ଦ ଓ ବିଲେଇକାନିର ଜୟଦେବ ପଟେଲଙ୍କୁ କଳାପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା । ନବୀବ କୁଅଁର ଓ ଅଜୟ ଅମର ସିଂହଦେଓଙ୍କୁ ସମର୍ଦ୍ଧନା ଦିଆଯାଇଥିଲା । ବଲାଙ୍ଗିର ଉପଖଣ୍ଡର ବିଭିନ୍ନ ବ୍ଲକମାନଙ୍କରୁ ଆସିଥିବା କଳାକାରମାନେ ମଞ୍ଚରେ କଳା ପରିବେଷଣ କରିଥିଲେ । ଲୋକ ନାଟକରେ ୫ ଟି ଦଳ, ଲୋକ ନୃତ୍ୟରେ ୫ ଟି ଦଳ, ଲୋକ ଗୀତ (ଏକକ)ରେ ୬ ଟି ଦଳ, ଲୋକ ଗୀତ (ଦଳୀୟ)ରେ ୬ ଟି ଦଳ, ଲୋକ ବାଦ୍ୟ (ଏକକ)ରେ ୬ ଟି ଦଳ ଓ ଲୋକ ବାଦ୍ୟ (ଦଳୀୟ)ରେ ୭ ଟି ଦଳ ଭାଗ ନେଇଥିଲେ । ଡାଳଖାଇ, ରାସରକେଲି, କୃଷ୍ଣଗୁରୁ, ସଙ୍କୀର୍ତ୍ତନ, ଦୁଲଦୁଳି, କରମା, ରାମଳୀଳା ଓ ହଲିଆଗୀତର ତାଳେ ତାଳେ ଦର୍ଶକ ଝୁମୀ ଥିଲେ । ଉଦ୍‌ଯାପିତ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧାରୁଆ, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ସନାତନ ଠାକୁର, ବ୍ରହ୍ମାନନ୍ଦ ବନଛୋର, ବାଲମକୁନ୍ଦ ବେହେରା, ପଙ୍କଜ ଜାଲ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ମୁରଲୀଧାରୀ ପତି, ଉଦ୍‌ଘୋଷକ ବିଭୁ କଲ୍ୟାଣ ଗଡତ୍ୟା, ଅର୍ଜୁନ ସାହୁ ଓ ଉଦ୍‌ଘୋଷିକା ମାନସୀ ସାହୁ, ରିଙ୍କି ତ୍ରିପାଠୀ ଉଦ୍‌ଘୋଷଣା କରିଥିଲେ । ଶେଷରେ ଗୋପାଳ ପଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.