ଖପ୍ରାଖୋଲ ବ୍ଲକସ୍ତରୀୟ ଲୋକଉତ୍ସବ ଉଦ୍‌ଘାଟିତ : ପାରମ୍ପରିକ ବାଦ୍ୟ ଓ ନୃତ୍ୟରେ ଦୁଲୁକିଲା ମଞ୍ଚ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ସଦର ଖପ୍ରାଖୋଲ ମିନି ଷ୍ଟାଡିୟମଠାରେ ଗୁରୁବାର ଖପ୍ରାଖୋଲ ବ୍ଲକସ୍ତରୀୟ ଲୋକ ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଲୋକକଳା, ନୃତ୍ୟ ଓ ଗୀତରେ ଝୁମୁଛି ଖପ୍ରାଖୋଲ । ସ୍ଥାନୀୟ ମିନି ଷ୍ଟାଡିୟମଠାରେ ଉଦ୍‌ଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଲୋକସଭା ସାଂସଦ ସଂଗୀତା ସିଂଦେଓ ଯୋଗଦେଇଥିବା ବେଳେ ତାଙ୍କ ସହ ଉଦ୍‌ଘାଟକ ଭାବେ ବଲାଙ୍ଗିର ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗଦେଇଥିଲେ । ଗୁରୁବାର ସକାଳୁ ପ୍ରଥମେ ପ୍ରସିଦ୍ଧ ଶୈବ ପୀଠ ହରିଶଙ୍କର ଠାରୁ ଏକ ମଶାଲ ଶୋଭାଯାତ୍ରା ବାହାରି ଖପ୍ରାଖୋଲ ସ୍ଥିତ ଗ୍ରାମ ଦେବୀ ମା’ ଡୁମେରତଲିଏନ୍‌ଠାରେ ପହଞ୍ଚି ସେଇଠି ପୂଜା ଅର୍ଚ୍ଚନା କରି ସେଠାରୁ ସ୍ୱାଗତ ସମ୍ବର୍ଦ୍ଧନା ମାଧ୍ୟମରେ ଏକ ବିରାଟ ସାଂସ୍କୃତିକ ଶୋଭାଯାତ୍ରା ମାଧ୍ୟମରେ ସ୍ଥାନୀୟ ମିନିଷ୍ଟାଡିୟମ ଠାରେ ପହଞ୍ଚିଥିଲା । ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ରାଉତ ମହୋତ୍ସବ ଆୟୋଜନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଲୋକକଳା ଓ ସଂସ୍କୃତି ଉପରେ ଆଧାରିତ କଳାକାରମାନଙ୍କ ଦ୍ୱାରା ଲୋକ ବାଦ୍ୟ, ଲୋକ ସଂଗୀତ, ଲୋକ ନୃତ୍ୟ, ଲୋକ ନାଟକ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ତେବେ ଅଞ୍ଚଳର ଲୋକକଳା ବେଶ୍‌ ଆଗୁଆ ଥିବା ବେଳେ ଏହାକୁ ଏହି ମଞ୍ଚ ଲୋକଲୋଚନକୁ ଆଣିପାରିଛି ବୋଲି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ମତବ୍ୟକ୍ତ କରିଥିଲେ । ଏହି ସମାରୋହରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ମିଥିଳା ମାଝୀ, ଖପ୍ରାଖୋଲ ଜିଲ୍ଲା ପରିଷଦ ସଭ୍ୟା ସଂଯୁକ୍ତା ମେହେର, ପ୍ରମିଳା ପାଥର ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମାରୋହରେ ହରିଶଙ୍କର ମହାବିଦ୍ୟାଳୟ ଅଧ୍ୟାପକ ବଳଭଦ୍ର ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ବ୍ଲକ ଉପାଧ୍ୟକ୍ଷ ଶୁଖିରାମ ଷାଣ୍ଢ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!