centurian jitm

ସମାଜସେବୀ ଲଳିତ ନାୟକଙ୍କୁ ଅସ୍ଥିମଜ୍ଜା କ୍ୟାନସର୍‌ : ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି : ଖୁବ୍‌ଶୀଘ୍ର ଆରୋଗ୍ୟ ନେଇ ଡାକ୍ତରଙ୍କ ଦୃଢେ଼ାକ୍ତି

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶିଷ୍ଟ ସମାଜସେବୀ ତଥା ଶ୍ରମିକ ନେତା ଲଳିତ ନାୟକଙ୍କୁ ବଲାଙ୍ଗିର ମାଟିରେ କିଏ ବା ନ ଜାଣେ । ନିକଟରେ ତାଙ୍କ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଚିକିତ୍ସା ଦ୍ୱାରା ଠିକ୍‌ ହେବା ପରେ ବାରମ୍ବାର ହିମୋଗ୍ଲୋବିନ୍‌ କମିଯିବା କାରଣରୁ ପୁଣି ପରୀକ୍ଷା ନିରୀକ୍ଷା କରାଯାଇଥିଲା । ତେବେ ଏହି ସମୟରେ ସେ ଅସ୍ଥିମଜ୍ଜା କ୍ୟାନ୍‌ସର ଦ୍ୱାରା ପୀଡ଼ିତ ଥିବା ଜଣାପଡ଼ିଛି । ଏ ଖବର ପ୍ରକାଶ ପାଇବା ପରେ ତାଙ୍କ ପ୍ରଶଂସକଙ୍କ ମହଲରେ ତଥା ବଲାଙ୍ଗିର ଜିଲ୍ଲାରେ ଉଦାସୀନତା ଛାଇ ଯାଇଛି । ସୂଚନା ଅନୁସାରେ ସେ ଏବେ କଟକର ଏକ ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସିତ ହେଉଛନ୍ତି । ଏସ୍‌ସିବି ମେଡ଼ିକାଲ କଲେଜ୍‌ ହେମାଟୋଲୋଜି ବିଭାଗ ମୁଖ୍ୟ ଡାକ୍ତର ଆର୍‌.କେ.ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କେମୋ ଚିକିତ୍ସା ଚାଲିଛି । ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସୁଥିବା ବେଳେ ଖୁବ୍‌ଶୀଘ୍ର ସେ ଆରୋଗ୍ୟ ହେବା ନେଇ ଡାକ୍ତର ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ, ସମାଜସେବୀ ଶ୍ରୀ ନାୟକ ଗତ ଜୁନ୍‌ ମାସ ୨୯ ତାରିଖରେ ପଡ଼ିଯିବା କାରଣରୁ ବାମ ଗୋଡ଼ର ଜଂଘରେ ଆଘାତ ଲାଗି ଭାଂଗି ଯାଇଥିଲା । ଜୁନ୍‌ ୩୦ ତାରିଖ ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଅସ୍ତ୍ରୋପଚାର କରାଯାଇଥିଲା । ସେହି ସମୟରେ ୧୮ ବର୍ଷ ପୂର୍ବର ଦୁର୍ଘଟଣାର ଅସ୍ତ୍ରୋପଚାର ବେଳେ ଲାଗିଥିବା ୧୮ ଇଂଚର ଏକ ରଡ଼୍‌କୁ ବାହାର କରାଯାଇଥିଲା । ସେହି ସମୟରେ ଡାକ୍ତରଙ୍କ ସଂଦେହ ହୋଇଥିବା ବେଳେ ଶ୍ରୀ ନାୟକଙ୍କ ହିମୋଗ୍ଲୋବିନ ବୃଦ୍ଧି ହେଉ ନଥିବାରୁ କ୍ୟାନସର ହୋଇ ଥାଇପାରେ ବୋଲି ଅନୁମାନ କରିଥିଲେ । ପରୀକ୍ଷା ପରେ କ୍ୟାନସର ପଜିଟିଭ୍‌ ଆସିଥିଲା । ସଠିକ୍‌ ସମୟରେ କ୍ୟାନସର ଜଣାପଡ଼ିବାରୁ ଏହା ଶତ ପ୍ରତିଶତ ସଫଳ ଚିକିତ୍ସା ହୋଇ ପାରିବ ବୋଲି ଡାକ୍ତର କହିଥିଲେ ।

ତେବେ ଏସ୍‌ସିବି ମେଡ଼ିକାଲ ମେଡ଼ିକାଲ ବିଭାଗ ବିଶେଷଜ୍ଞ ତଥା ବିଭାଗୀୟ ମୁଖ୍ୟ ଡା. ଜୟନ୍ତ କୁମାର ପଣ୍ଡା, ବରିଷ୍ଠ ଅନକୋଲୋଜିଷ୍ଟ କ୍ୟାପିଟାଲ ଡାକ୍ତରଖାନା ଡା. ନିହାର ରଂଜନ ସାମଲଙ୍କ ପରାମର୍ଶ କ୍ରମେ ଚିକିତ୍ସା ସେବା ସଫଳତାର ସହ ଚାଲିଥିବା ସମାଜସେବୀ ଶ୍ରୀ ନାୟକଙ୍କ ପୁତୁରା ଜ୍ୟୋତିରଂଜନ ନାୟକ ଓ ବବୁଲୁ ନାୟକ କରିଛନ୍ତି । ଶ୍ରୀ ନାୟକ ଛାତ୍ର ସମୟରୁ ରାଜେନ୍ଦ୍ର କଲେଜର ଛାତ୍ର ସଂସଦ ସଭାପତି ଭାବେ ୮୦ ଦଶକରେ ବେଶ୍‌ ଚର୍ଚ୍ଚିତ ଥିଲେ । ଛାତ୍ର ଜୀବନରୁ ଜଣେ ରକ୍ତଦାତା ପ୍ରବର୍ତ୍ତକ ଭାବେ ବେଶ୍‌ ସୁନାମ ଅର୍ଜନ କରିଛନ୍ତି । ବଲାଙ୍ଗିରରେ ରକ୍ତଦାନର କଥା ଉଠିଲେ ଆପେ ଆପେ ସମାଜସେବୀ ଲଳିତ ନାୟକ ହିଁ ମନେ ପଡ଼ନ୍ତି । ୮୦ରୁ ଅଧିକ ଥର ରକ୍ତଦାନ କରି ତତ୍‌କାଳୀନ ଓଡ଼ିଶା ରାଜ୍ୟପାଳଙ୍କଠାରୁ ସେ ପୁରସ୍କୃତ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ସେ ପ୍ରାୟ ୧୫୦ ୟୁନିଟ୍‌ ରକ୍ତଦାନ କରି ସାରିଛନ୍ତି । ସାମଜର ଦଳିତ, ନିଷ୍ପେସିତ, ଗରିବ ଖଟିଖିଆମାନଙ୍କ ବିଭିନ୍ନ ସମସ୍ୟା ନେଇ ଲଢେ଼ଇ କରିବାରେ ଶ୍ରୀ ନାୟକ ଜଣେ ଆଗୁଆ ସୈନିକ ଭାବରେ ଠିଆ ହୁଅନ୍ତି ସବୁବେଳେ । ୪୦ରୁ ଅଧିକ ଶ୍ରମିକ ସଂଗଠନର ସଭାପତି ରହି ସେମାନଙ୍କ ଦୁଃଖସୁଖ ସହ ସାମିଲ୍‌ ହେବା ସହ ସେମାନଙ୍କ ହକ୍‌ ପାଇଁ ସେ ଲଢେ଼ଇ ଜାରି ରଖିଛନ୍ତି । ସେ କିଛି ମାସ ପୂର୍ବେ ରାଜ୍ୟ ସରକାରଙ୍କ ଶ୍ରମ ବିଭାଗର ଶ୍ରମିକ ମଙ୍ଗଳ ବୋଡର଼୍ର ଜଣେ ସଦସ୍ୟ ଭାବେ ମନୋନୀତ ହୋଇ ମଧ୍ୟ କାମ କରୁଛନ୍ତି । ତେବେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ବଲାଙ୍ଗିରବାସୀ ତଥା ତାଙ୍କ ଶୁଭେଚ୍ଛୁ ଓ ପ୍ରଶଂସକମାନେ ।

Leave A Reply

Your email address will not be published.