କୃଷି ଯନ୍ତ୍ରପାତି ଭଡ଼ାରେ ଲଗାଇ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ବିଷ୍ଣୁମୁଣ୍ଡାର ମମତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନେ ଗୃହିଣୀ ଥିଲେ । କିନ୍ତୁ ଆଜି ନିଜ ହାତରେ ନିଜେ ଦୁଇ ପଇସା ରୋଜଗାର କରି ଜଣେ ସଫଳ ବ୍ୟବସାୟୀ ହୋଇ ଚର୍ଚ୍ଚାରେ ଅଛନ୍ତି ଜଣେ ମହିଳା । ତେବେ ସେହି ମହିଳା ଜଣକ ହେଉଛନ୍ତି ବଲାଙ୍ଗିରର ୧୭ ନମ୍ବର ୱାର୍ଡର ବିଷ୍ଣୁମୁଣ୍ଡା ଗାଆଁର ମମତା ନାଏକ । ମମତା ୭ ପ୍ରକାରର କୃଷି ଯନ୍ତ୍ରପାତି କିଣି ସେ ସବୁକୁ ଭଡ଼ାରେ ଲଗାଇ ଗୋଟିଏ ସିଜନରେ ୩ ଲକ୍ଷରୁ ଅଧିକ ରୋଜଗାର କରୁଛନ୍ତି । ମମତାଙ୍କ କହିବାନୁଯାୟୀ ତାଙ୍କ ପରିବାର କହିଲେ ସେ ତାଙ୍କ ସ୍ୱାମୀ ଓ ତାଙ୍କ ପୁଅ, ଝିଅ । ମମତାଙ୍କ ସ୍ୱାମୀ ପୂର୍ବରୁ ଜଣେ ଚାଷୀ ହୋଇଥିବା ବେଳେ ଯାହା ଆୟ ହେଉଥିଲା ସେଥିରୁ ପରିବାର ପ୍ରତିପୋଷଣ କରୁଥିଲେ । ହେଲେ ଚାଷ କାମରେ ମମତାଙ୍କ ସ୍ୱାମୀଙ୍କ ଅଧିକ ଖର୍ଚ୍ଚ ହେଉଥିଲା । କୃଷି ଯନ୍ତ୍ରପାତିକୁ ଭଡ଼ାରେ ଆଣି ଚାଷ କାମରେ ଲଗାଇବା ପରେ ମମତା ବୁଦ୍ଧି ଖଟାଇ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୩୦ ଲକ୍ଷ ଟଙ୍କାର ଋଣ ଆଣି ନିଜେ ୭ ପ୍ରକାରର କୃଷି ଯନ୍ତ୍ରପାତି କିଣିଲେ ଓ ତାଙ୍କ ଅଂଚଳର ଚାଷୀମାନଙ୍କୁ ଭଡ଼ାରେ ଯୋଗାଇ ତାଙ୍କ ବ୍ୟବସାୟ ଆରମ୍ଭ କରିଥିଲେ । ମମତା ଗତ ବର୍ଷଠୁ ଋଣ ଆଣି ଏହି ବ୍ୟବସାୟ ଆରମ୍ଭ କରିଥିବା ବେଳେ ସେ ଗୋଟିଏ ସିଜନ୍‌ରେ ୩ ଲକ୍ଷ ଟଙ୍କା ଯାଏଁ ରୋଜଗାର କରି ସାରିଲେଣି । ଅନ୍ୟପଟେ ମମତା ଖାଲି ନିଜେ ରୋଜଗାର କରୁ ନାହାନ୍ତି ବରଂ ତାଙ୍କ ଅଂଚଳର ଚାଷୀମାନଙ୍କୁ ବି ଗୋଟିଏ ପ୍ରକାର ସାହାଯ୍ୟ କରୁଛନ୍ତି । ସେଥିପାଇଁ ଅଂଚଳର ଚାଷୀମାନେ ବି ଖୁସି ଅଛନ୍ତି ।

Leave A Reply

Your email address will not be published.