କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୩୦ ବର୍ଷର ଏବଂ ତାହା ଠାରୁ ଅଧିକ ବୟସର ସମସ୍ତ ବ୍ୟକ୍ତିଙ୍କର ୧୦୦% କଭରେଜ୍ ନିଶ୍ଚିତ କରିବାକୁ ସ୍ୱତନ୍ତ୍ର ଏନ୍ସିଡି ଯାଂଚ ଅଭିଯାନ ଆରମ୍ଭ କରିଛନ୍ତି
● ଅଣସଂକ୍ରାମକ ରୋଗ ଯାଂଚ ଅଭିଯାନର ମୁଖ୍ୟ ଆକର୍ଷଣଗୁଡ଼ିକ ହେଉଛି ବ୍ୟାପକ ପ୍ରସାରଣ, ମଲ୍ଟି ଏଜେନ୍ସି ସହଯୋଗ ଏବଂ ପ୍ରଭାବଶାଳୀ କାର୍ଯ୍ୟକାରିତା ପାଇଁ ବାସ୍ତବ ସମୟରେ ତଦାରଖ
ନୂଆଦିଲ୍ଲୀ, (ପିଆଇବି) : ଦେଶରେ ଅଣସଂକ୍ରାମକ ରୋଗ (ଏନ୍ସିଡି)ର ବୃଦ୍ଧି ପାଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଆଜି ଏକ ସ୍ୱତନ୍ତ୍ର ଏନସିଡି ଯାଂଚ ଅଭିଯାନ ଆରମ୍ଭ କରିଛନ୍ତି । ୨୦ ଫେବୃଆରୀରୁ ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଚାଲୁଥିବା ଏହି ମହତ୍ୱାକାଂକ୍ଷୀ ପଦକ୍ଷେପ, ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ତିନୋଟି ସାଧାରଣ କର୍କଟ – ମୁଖ, ସ୍ତନ ଏବଂ ସର୍ଭିକାଲ କର୍କଟ ସହିତ ୩୦ ବର୍ଷରୁ ଅଧିକ ବୟସର ସମସ୍ତ ବ୍ୟକ୍ତିଙ୍କର ୧୦୦% ପରୀକ୍ଷଣ ଲକ୍ଷ୍ୟ ହାସଲ କରିବାକୁ ଉଦ୍ଦେଶ୍ୟ ରଖିଛି । ଅଣସଂକ୍ରାମକ ରୋଗର ନିରାକରଣ ଏବଂ ନିୟନ୍ତ୍ରଣ ପାଇଁ ଜାତୀୟ କାର୍ଯ୍ୟକ୍ରମ (ଏନ୍ପି – ଏନ୍ସିଡି) ଅଧୀନରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (ଏଏଏମ୍) ଏବଂ ଦେଶବ୍ୟାପୀ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ଅଭିଯାନ କାର୍ଯ୍ୟକାରୀ ହେବ ।
ଅଭିଯାନର ମୁଖ୍ୟ ଆକର୍ଷଣଗୁଡ଼ିକ ହେଉଛି :
- ଦ୍ୱାରରୁ ଦ୍ୱାର ପ୍ରସାରଣ : ତାଲିମ ପ୍ରାପ୍ତ ଆଶାକର୍ମୀ, ଏଏନ୍ଏମ୍ ଏବଂ ଆଗଧାଡ଼ିର କର୍ମୀମାନେ ସର୍ବାଧିକ ସ୍କ୍ରିନିଂ କଭରେଜ୍ ନିଶ୍ଚିତ କରିବା ପାଇଁ କ୍ଷେତ୍ର ପରିଦର୍ଶନ କରିବେ, ଘରେ ଘରେ ଲୋକମାନଙ୍କ ନିକଟରେ ପହଞ୍ଚିବେ ।
- ଅତ୍ୟାବଶ୍ୟକ ଯୋଗାଣ : ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳ ସମସ୍ତ ସ୍ଵାସ୍ଥ୍ୟସେବା କେନ୍ଦ୍ରରେ ବିପି ମନିଟର, ଗ୍ଲୁକୋମିଟର ଏବଂ ଆବଶ୍ୟକ ଔଷଧ ସମେତ ଅତ୍ୟାବଶ୍ୟକ ଚିକିତ୍ସା ସାମଗ୍ରୀର ଉପଲବ୍ଧତାକୁ ନିଶ୍ଚିତ କରିବେ ।
● ବାସ୍ତବ ସମୟ ପରୀକ୍ଷଣ : ଯାଂଚ ପରୀକ୍ଷଣ, ଚିକିତ୍ସା ଏବଂ ଅନୁସରଣ ସମ୍ବନ୍ଧୀୟ ତଥ୍ୟ ପ୍ରତିଦିନ ଏନ୍ପି- ଏନ୍ସିଡି ପୋର୍ଟାଲରେ ଅପଲୋଡ୍ କରାଯିବ, ଯାହା ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱକୁ ସୁନିଶ୍ଚିତ କରିବ । - ବହୁ ସ୍ତରୀୟ ସମନ୍ୱୟ : ଅଭିଯାନର ନିରବଚ୍ଛିନ୍ନ କାର୍ଯ୍ୟକାରିତାକୁ ସୁଗମ କରିବା ପାଇଁ ବିଭିନ୍ନ କେନ୍ଦ୍ରରେ, ବ୍ଲକ, ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ନୋଡାଲ୍ ଅଧିକାରୀଙ୍କୁ ନିଯୁକ୍ତ କରାଯିବ ।
- ଦୈନିକ ପ୍ରଗତି ସମୀକ୍ଷା : ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳଗୁଡିକ ମନ୍ତ୍ରଣାଳୟକୁ ପ୍ରତିଦିନ ସନ୍ଧ୍ୟା ୬ଟା ସୁଦ୍ଧା ଅପଡେଟ୍ ପ୍ରଦାନ କରିବେ, ଯାହା ନିରନ୍ତର ତଦାରଖ ଏବଂ ବୈଷୟିକ ସହାୟତା ପାଇଁ ଅନୁମତି ଦେବ ।
ଜୋରଦାର ଯାଂଚ ଅଭିଯାନ ନିମ୍ନଲିଖିତ ଲକ୍ଷ୍ୟ ହାସଲ କରିବାକୁ ଉଦ୍ଦେଶ୍ୟ ନେଇ କାର୍ଯ୍ୟ କରୁଛି :
● ୧୦୦% ସ୍କ୍ରିନିଂ କଭରେଜ୍ : ଏନ୍ସିଡିଗୁଡିକୁ ଶୀଘ୍ର ଚିହ୍ନଟ କରିବା ଏବଂ ଠିକ୍ ସମୟରେ ହସ୍ତକ୍ଷେପ ନିଶ୍ଚିତ କରିବା ହେଉଛି ଏହି ଅଭିଯାନର ଲକ୍ଷ୍ୟ । ● ଯତ୍ନ ସହ ଉନ୍ନତ ସଂଯୋଗ : ଗଠନମୂଳକ ଚିକିତ୍ସା ଏବଂ ଅନୁସରଣ ପ୍ରୋଟୋକଲ୍ ପ୍ରତିଷ୍ଠା କରି, ଏହି ଅଭିଯାନ ଅଣସଂକ୍ରାମକ ରୋଗ ସହିତ ଜଡିତ ଜଟିଳତାକୁ କମ୍ କରିବାକୁ ଚେଷ୍ଟା କରେ ।
● ଉତ୍ତମ ସ୍ୱାସ୍ଥ୍ୟ ଫଳାଫଳ : ଏହି ପଦକ୍ଷେପ ସାରା ଦେଶରେ ସ୍ୱାସ୍ଥ୍ୟସେବା ଖର୍ଚ୍ଚ ହ୍ରାସ କରିବ ଏବଂ ସମଗ୍ର ଦେଶରେ ବ୍ୟକ୍ତିବିଶେଷଙ୍କ ଜୀବନଶୈଳୀକୁ ଉନ୍ନତ କରିବ ବୋଲି ଆଶା କରାଯାଉଛି ।
ଆୟୁଷ୍ମାନ ଭାରତ ପଦକ୍ଷେପ ଅନୁଯାୟୀ ପ୍ରତିଷେଧକ ସ୍ୱାସ୍ଥ୍ୟସେବାକୁ ମଜବୁତ କରିବା ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବାରେ ସର୍ବଭାରତୀୟ ସୁବିଧା ସୁନିଶ୍ଚିତ କରିବା ପାଇଁ ଭାରତ ସରକାର ପ୍ରତିବଦ୍ଧ ଅଟନ୍ତି । ଏହି ସ୍ୱତନ୍ତ୍ର ଅଭିଯାନ ଏକ ସ୍ଵାସ୍ଥ୍ୟକର ତଥା ଅଣସଂକ୍ରାମକ ରୋଗମୁକ୍ତ ଭାରତ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଯାହା ନାଗରିକମାନଙ୍କୁ ସେମାନଙ୍କର ସ୍ୱାସ୍ଥ୍ୟ ଏବଂ ସୁସ୍ଥତାର ଦାୟିତ୍ୱ ନେବାକୁ ସକ୍ଷମ କରିଥାଏ ।