
ମାଲକାନଗିରି : ମାଲକାନଗିରି ବ୍ଲକ ଅନ୍ତର୍ଗତ ତଣ୍ଡକି ଗ୍ରାମ ପଞ୍ଚାୟତର ଗୁଟୁମଗୁଡାର ଗ୍ରାମରେ ଗ୍ରାମବାସୀ ଓ ବନବିଭାଗ ମିଳିତ ଭାବେ ଚଢାଉ କରି ସାଇଜ କାଠପଟା ଜବତ କରିବା ସହ ଜଣକୁ ଅଟକ ରଖିଥିବା ଜଣାପଡିଛି । ସୂଚନା ଅନୁସାରେ ମାଲକାନଗିରି ବ୍ଲକ ଅନ୍ତର୍ଗତ ତଣ୍ଡକି ଗ୍ରାମ ପଞ୍ଚାୟତର ଗୁଟୁମ ଗୁଡାର ଗ୍ରାମର କିଛି ବ୍ୟକ୍ତି ବେଆଇନ ଭାବେ ଜଙ୍ଗଲରୁ ମୂଲ୍ୟବାନ ଗଛ କାଟି ଖଟ ପଲଙ୍କ ନିର୍ମାଣ କରି ବିକ୍ରି କରୁଥିଲେ । ଗ୍ରାମବାସୀଙ୍କ ସହ ତଣ୍ଡକି ପଞ୍ଚୟାତର ସରପଞ୍ଚ ବାବୁଲା ପଡିଆମୀ ଏ ସମ୍ପର୍କରେ ବନ ବିଭାଗକୁ ଜଣାଇଥିଲେ । ମାଲକାନଗିରି ରେଞ୍ଜର ଜଗନ୍ନାଥ ପ୍ରସାଦ ବିଶୋଇଙ୍କ ନିର୍ଦେଶ କ୍ରମେ ଦେବାଶିଷ ପ୍ରଧାନ ଫରେଷ୍ଟର, ରବିନାରାୟଣ ଖଣ୍ଡୁଆଳ (ବିଟ ଗାର୍ଡ) ପ୍ରମୁଖ ପେଲମାଲ ତଣ୍ଡକି ପଞ୍ଚାୟତର ଗୁଟୁମଗୁଡା ଗ୍ରାମରେ ଚଢାଉ କରିଥିଲେ । ପରେ ଗୁଟୁମଗୁଡା ଗ୍ରାମ ଏବଂ ଆଖପାଖ ଅଞ୍ଚଳ ସମସ୍ତ ଗ୍ରାମବାସୀ ମିଶି ଜଙ୍ଗଲରୁ ବେଆଇନ ଭାବେ ଗଛ କାଟି ଚୋରା ଚାଲାଣ କାରବାର କରୁଥିବା ଲୋକଙ୍କ ଘରେ ପହଞ୍ଚିଥିଲେ । ଉକ୍ତ ଗ୍ରାମର ଇର୍ମା ପଡିଆମିଙ୍କ ଘର ସମ୍ମୁଖରେ ଏକ ଘଣ୍ଟାରୁ ଅଧିକ ସମୟ ଧରି ଜଗି ରହିଥିଲେ ମଧ୍ୟ ଘର ଲୋକେ ଚାବି ଖୋଲି ନଥିଲେ । ବନବିଭାଗ କର୍ମଚାରୀ କହିବା ପରେ ମଧ୍ୟ ଘର ସଦସ୍ୟ ତାଲା ଖୋଲିନ ଥିଲେ । ବାଧ୍ୟ ହୋଇ ଗ୍ରାମବାସୀ, ସରପଞ୍ଚ ସେହି ଘର ସଦସ୍ୟଙ୍କ ଉପସ୍ଥିତରେ ଉକ୍ତ ଘର ତାଲାକୁ ଭାଙ୍ଗି ୨୦ ଖଣ୍ଡ ମୂଲ୍ୟବାନ କାଠ ଜବତ କରିଥିଲେ । ଏହି ଖବର ପାଇବା ମାତ୍ରେ ଉକ୍ତ ଚୋରା କାଠ ବେପାରୀମାନେ ନିଜ ଗ୍ରାମରୁ ଲୁଚି ପଳାଇ ଯାଇଥିଲେ । ବନବିଭାଗ, ଗ୍ରାମବାସୀ ଏବଂ ତଣ୍ଡକି ପଞ୍ଚାୟତର ସରପଞ୍ଚଙ୍କ ସହ ମିଶି କସା ମୁଚକିଙ୍କ ଘର ଯାଞ୍ଚ କରି ୩ ଟି ପଟା ଦେଖିବାକୁ ପାଇଥିଲେ । ଉକ୍ତ ଗ୍ରାମରୁ ଜଣେ ବ୍ୟକ୍ତିଙ୍କୁ ଚୋରା କାଠ ଚାଲାଣ ସନ୍ଦେହରେ ବନବିଭାଗ ଅଟକ ରଖି ପଚରା ଉଚରା କରୁଛି ।