csstore

ପ୍ରାୟ ଛବିଶ ଦିନ ପରେ କାମକୁ ଫେରିଲେ ସଫେଇ କର୍ମଚାରୀ

ଟିଟିଲାଗଡ, (ଗୌରବ ଦର୍ଜୀ) : ଗତ ୨୫ ଦିନ ହେଲା ଟିଟିଲାଗଡରେ ପରିମଳ ବ୍ୟବସ୍ଥା ବିପର୍ୟ୍ୟସ୍ତ ହୋଇ ପଡ଼ିଥିଲା । ସବୁଆଡେ ଖାଲି ଅଳିଆ ଆବର୍ଜ୍ଜନା ଦେଖିବାକୁ ମିଳୁଥିଲା । ପୌରପରିଷଦର ସଫେଇ କର୍ମଚାରୀମାନେ ଠିକା ବ୍ୟବସ୍ଥାରେ କାମ କରିବାକୁ ବିରୋଧ କରି କାର୍ୟ୍ୟ ବନ୍ଦ ଆନ୍ଦୋଳନ କରିଥିଲେ । ପ୍ରାୟ ୨୫ ଦିନର କାର୍ୟ୍ୟ ବନ୍ଦ ଆନ୍ଦୋଳନ ପରେ ଟିଟିଲାଗଡ ପୌର ପରିଷଦର ଅସ୍ଥାୟୀ ସଫେଇ କର୍ମଚାରୀ ସୋମବାର କାମକୁ ଫେରିଛନ୍ତି । ସଫେଇ କର୍ମଚାରୀଙ୍କ ମନ୍ତ୍ରୀ ଟୁକୁନୀ ସାହୁଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଥିବା ଜଣାଯାଇଛି । ସୂଚନାଯୋଗ୍ୟ ଯେ , ଟିଟିଲାଗଡ ପୌର ପରିଷଦ ପରିମଳ କାର୍ୟ୍ୟରେ ଆଉଟସୋର୍ସ ପ୍ରକ୍ରିୟା ଆପଣାଇବାକୁ ନିଷ୍ପତ୍ତି ହୋଇଛି । ଏହାକୁ ପୂର୍ବରୁ ସିଧାସଳଖ ପୌର ପରିଷଦ ଅଧୀନରେ ରହି କାର୍ୟ୍ୟ କରି ଆସୁଥିବା ଅସ୍ଥାୟୀ ସଫେଇ କର୍ମଚାରୀମାନେ ବିରୋଧ କରିଥିଲେ । ଟେଣ୍ଡର ପ୍ରକ୍ରିୟାରେ ସ୍ଵୀକୃତି ଲାଭ କରିଥିବା ଏଜେନ୍ସି ସେପ୍ଟେମ୍ବର ୨୩ରେ କାର୍ୟ୍ୟ କରିବାକୁ ଆସିଥିଲେ ଓ ସ୍ଥାନୀୟ ସଫେଇ କର୍ମଚାରୀମାନେ ଠିକାରେ କାମ କରିବାକୁ ବିରୋଧ କରିବାରୁ ରାଉଲକେଲାରୁ ସଫେଇ କର୍ମଚାରୀ ଡକାଇ କାମ କରିବାକୁ ଆରମ୍ଭ କରୁଥିବା ବେଳେ ସ୍ଥାନୀୟ କର୍ମଚାରୀ ତୀବ୍ର ବିରୋଧ କରିବା ସହ ପୌର କାର୍ୟ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ଧାରଣା ପ୍ରଦର୍ଶନ ଆରମ୍ଭ କରିଥିଲେ । ଫଳରେ ସେହି ଠିକା ସଂସ୍ଥା ନିଜ ଠିକାକୁ ରଦ୍ଦ କରି ପଳେଇ ଯାଇଥିବା ଆଲୋଚନା ହେଉଛି । ଏନେଇ ପୌର ନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ତଥା ରାଜ୍ୟ ନଗର ଉନ୍ନୟନ ସଂସ୍ଥାର ଉଚ୍ଚ ଅଧିକାରୀଙ୍କ ସହ, ଆନ୍ଦୋଳନରତ କର୍ମଚାରୀଙ୍କ ବାରମ୍ବାର ଆଲୋଚନା କରିଥିଲେ । ପୌରପରିଷଦ ସଫେଇ କର୍ମଚାରୀମାନଙ୍କ ସପକ୍ଷରେ ଟିଟିଲାଗଡ ଗରିବ ସେନା ସଭାପତି ବିରେନ୍ଦ୍ର ବାଗ ଓ ଭୀମ ଆର୍ମିର ସଦସ୍ୟ ବିଜୟ ମେହେର ମଧ୍ୟ ଆନ୍ଦୋଳନରେ ଯୋଗ ଦେଇ ସମସ୍ୟାକୁ ସମାଧାନ କରିବା ପାଇଁ ଚେଷ୍ଟା କରିଥିଲେ। ନୂତନ ପ୍ରକ୍ରିୟାରେ ଶ୍ରମ ବିଭାଗ ଆଇନ ମୁତାବକ କର୍ମଚାରୀଙ୍କୁ ଉପଯୁକ୍ତ ପାରିଶ୍ରମିକ, ଇପିଏଫ, ଇଏସଆଇ, ବୀମା, ସ୍ବାସ୍ଥ୍ୟ ବୀମା, ଅବସରକାଳୀନ ସହାୟତା, ପେନସନ ଆଦି ସୁବିଧା ହାସଲ କରିବେ ବୋଲି ପୌର ପରିଷଦ ପକ୍ଷରୁ କୁହାଯାଇଥିଲା । କୌଣସି କର୍ମଚାରୀଙ୍କୁ ଛଟେଇ କରାଯିବ ନାହିଁ ବୋଲି ପୌରପରିଷଦ ପ୍ରତିଶୃତି ଦେଇଥିଲା । ଇତିମଧ୍ୟରେ ସହରର କିଛି ଲୋକ ବାହାରର କିଛି ସଂସ୍ଥାଙ୍କ ନାମରେ ପରିମଳ ଠିକା ଆବେଦନ କରି ବିଫଳ ହେବା ନେଇ ଆନ୍ଦୋଳନକୁ ତେଜିୟାନ କରିବାକୁ ଭିତିରିଆ ଯୋଜନା ମଧ୍ୟ କରିଥିବା ଆଲୋଚନା ହୋଇଛି । ଏପରିକି ଇପିଏଫ ସୁବିଧା ପ୍ରଦାନ ନେଇ କର୍ମଚାରୀଙ୍କ ଠାରୁ ଜଣ ପ୍ରତି ହଜାରେ ଟଙ୍କା ଲେଖାଏଁ ଅସୁଲି କରାଯାଇଥିବା କଥା ମଧ୍ୟ ସାମ୍ନାକୁ ଆସିଥିଲା । ଏହି ପରିପ୍ରେକ୍ଷୀରେ ଆନ୍ଦୋଳନ ଜାରି ରହିବାରୁ ସହରର ପରିମଳ ବ୍ୟବସ୍ଥା ବିପର୍ୟ୍ୟୟ ହୋଇପଡିଥିଲା । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ – ୧୯ ଦୃଷ୍ଟିରେ ରଖି ଏସ୍‌ମା ଆଇନ ବଳରେ ଉପଜିଲ୍ଲାପାଳ ଗତ ୯ ତାରିଖରେ ଆନ୍ଦୋଳନକୁ ବେଆଇନ ଘୋଷଣା କରିଥିଲେ । ପୌର କର୍ମଚାରୀ ଏନେଇ ଧାରଣାରୁ ଓହରିଥିଲେ ମଧ୍ୟ କାର୍ୟ୍ୟ ବନ୍ଦ ଜାରି ରଖିଥିଲେ । ଅପରପକ୍ଷରେ ଦୀର୍ଘ ଦିନ ଧରି ଅସୁସ୍ଥତା ତଥା ବିଧାନସଭା କାର୍ୟ୍ୟ ନେଇ ଅନୁପସ୍ଥିତ ମନ୍ତ୍ରୀ ଶ୍ରୀମତୀ ସାହୁ ୧୦ ତାରିଖରେ ଟିଟିଲାଗଡ ଫେରିବା ପରେ ସଫେଇ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ସରକାରଙ୍କ ଗାଇଡ ଲାଇନ ଅନୁଯାୟୀ ନୂତନ ପ୍ରକ୍ରିୟା ଆପଣା ଯାଇଛି ଓ କର୍ମଚାରୀଙ୍କ ସ୍ବାର୍ଥକୁ ଗୁରୁତ୍ବ ପ୍ରଦାନ କରିବେ ବୋଲି ମନ୍ତ୍ରୀ ଆଶ୍ୱାସନା ଦେଇଥିବା ସଫେଇ କର୍ମଚାରୀମାନେ କହିଛନ୍ତି । ଏହା ପରେ ବରଗଡର ଏକ ଠିକା ସଂସ୍ଥାର ତତ୍ତ୍ଵାବଧାନରେ ସୋମବାର ଠାରୁ କର୍ମଚାରୀ ସଫେଇ କାର୍ୟ୍ୟ ଆରମ୍ଭ କରିଛନ୍ତି । ପୌର ପରିଷଦର ତତ୍ବାବଧାନରେ ଠିକା ସଂସ୍ଥା ସହ କର୍ମଚାରୀଙ୍କ ବିଧିବଦ୍ଧ ଚୁକ୍ତି କରାଯିବ ବୋଲି ଉପଜିଲାପାଳ କହିଛନ୍ତି ।

jayashree
Leave A Reply

Your email address will not be published.