ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ ପାଠାଗାରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର କାର୍ଯ୍ୟକାରୀ ସଭାପତି ବିଭୁଦତ୍ତ ବେହେରାଙ୍କ ସଭପତିତ୍ୱ ଓ ସାଧାରଣ ସଂପାଦକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ପ୍ରଶାସକ ମହେନ୍ଦ୍ର କୁମାର ପଟ୍ଟନାୟକ ମୁଖ୍ୟ ଆଲୋଚକ ଭାବେ ଯୋଗ ଦେଇ ଆଲୋଚ୍ୟ ବିଷୟ ‘ସାମ୍ପ୍ରତିକ ପ୍ରେକ୍ଷାପଟରେ ଓଡିଆ ଭାଷା ଓ ସଂସ୍କୃତି କେତେ ସୁରକ୍ଷିତ ‘ ଉପରେ ଆଲୋଚନା କରିଥିଲେ । ଶ୍ରୀ ପଟ୍ଟନାୟକ କହିଲେ ଯେ, ଯାହା ସମାଜର ହିତ କରେ ସେ ହେଲା ସାହିତ୍ୟ । ଆଦିକବି ସାରଳା ଦାସଙ୍କଠାରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ସାହିତ୍ୟ ଉତ୍‌ଥାନ ପତନ ମଧ୍ୟରେ ଗତି କରିଛି । ଏହା ସହ ସେ ପଞ୍ଚସଖା ସାହିତ୍ୟ ଓ ଆଜିର ସାହିତ୍ୟରେ ଥିବା ପାର୍ଥକ୍ୟ ସଂପର୍କରେ ଆଲୋଚନା କରିଥିଲେ । କବିମାନେ କ୍ରାନ୍ତଦର୍ଶୀ । ପ୍ରାଚୀନ କାଳରୁ ସାମ୍ପ୍ରତିକ ସ୍ଥିତିର କବି ମାନେ ସାହିତ୍ୟକୁ ପ୍ରବାହମାନ କରି ରଖିଛନ୍ତି । ତଥାପି ଆଧୁନିକ ସାହିତ୍ୟ ଏତେ ପ୍ରାଣବନ୍ତ ହୋଇପାରିନାହିଁ । ସାହିତ୍ୟ ଓ ସଂସ୍କୃତି ଅଙ୍ଗାଅଙ୍ଗୀ ଭାବେ ଜଡିତ । ସଂସ୍କୃତି ସାହିତ୍ୟକୁ ଚଳଚଞ୍ଚଳ କରି ରଖିଥାଏ । ସଂପ୍ରତି ପାଶ୍ଚାତ୍ୟ ସାହିତ୍ୟ ଓ ସଂସ୍କୃତି ପଛରେ ଆମେ ପଡିଛୁ । କିନ୍ତୁ ଆମ ମୌଳିକ ସାହିତ୍ୟ ବେଶ ଉନ୍ନତ । ଏହା ବଂଚାଇ ରଖିବା ଆମ ପାଇଁ ଆହ୍ୱାନ ସୃଷ୍ଟି କରିଛି । ଏହି ଅବସରରେ ଗାଳ୍ପିକ ସୁନିଲ୍ ମହାନ୍ତି ଗଳ୍ପ ପାଠ କରିଥିବା ବେଳେ ଗଳ୍ପଟିକୁ ସମୀକ୍ଷା କରିଥିଲେ ସଂଜୀବ ଭୋଇ । କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ କନକଲତା ମିଶ୍ର, ବିଜୟଲକ୍ଷ୍ମୀ ପଟ୍ଟନାୟକ, ରଶ୍ମି ସାହୁ, ଭୂପେନ ମହାପାତ୍ର କବିତା ପାଠ କରିଥିଲା ବେଳେ କବିତାଗୁଡିକୁ ସମୀକ୍ଷା କରିଥିଲେ ମୀନକେତନ ପଶାୟତ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ତାରିଣୀ ଚରଣ ସାହୁ, ସନ୍ତୋଷ କୁମାର ଜେନା, ସୁଶାନ୍ତ କୁମାର ନାୟକ, ବ୍ରଜେନ୍ଦ୍ର ଦାଶ, ଡଃ ସୁବାସ ଚନ୍ଦ୍ର ଲେଙ୍କା, ସୁବାସ ମହାପାତ୍ର, କୁଞ୍ଜବିହାରୀ ରାଉତ, ତ୍ରିନାଥ ସିଂହ, ପ୍ରଣତୀ ବେହେରା, ରବିନ୍ଦ୍ର ଠାକୁର, ଶ୍ରୀକାନ୍ତ ପାଣିଗ୍ରାହୀ, କାଶୀନାଥ ନନ୍ଦୀ, ଗୌତମ ଦାସ, କିଶୋରୀ ମୋହନ କର, କୁଳମଣି ଦାସ, ସୁଭାଷିନୀ ସାହୁ, ସୁଶ୍ରୀ ସାହୁ, ପ୍ରକାଶ ଚନ୍ଦ୍ର ସେଠୀ, ବିଜୟ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଅଜୟ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.