ଆଗଲପୁର, (କେପିଏନ୍ଏସ୍) : ଆଗଲପୁର ବ୍ଲକ୍ ଅନ୍ତର୍ଗତ ଝରଣୀପାଲି ପଞ୍ଚାୟତରେ ଏକ ଅଭିନବ ପ୍ରୟାସ କରାଯାଇଛି । ସରପଞ୍ଚ ସୁନୀତା ସାହୁ ଅନେକ ସମୟରେ ଏପରି ନିଆରା କାର୍ଯ୍ୟକ୍ରମ ମାନ କରିଥାନ୍ତି । ସ୍ମାର୍ଟ୍ ସିଟି ଭଳିଆ ସୁବିଧା ନିଜ ଗ୍ରାମ ପଞ୍ଚାୟତରେ ସେ ଆରମ୍ଭ କରିଛନ୍ତି । ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଇଣ୍ଟରନେଟ ସୁବିଧା ପାଇଁ ସମସ୍ତଙ୍କ ସକାଶେ ମାଗଣା ୱାଇଫାଇର ବ୍ୟବସ୍ଥା କରାଯାଇଛି । ଅତ୍ୟାଧୁନିକ ଯୁଗରେ ଶିକ୍ଷା, ସୋସିଆଲ ମିଡ଼ିଆ ତଥା ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଇଣ୍ଟରନେଟର ବହୁଳ ମାତ୍ରାରେ ବ୍ୟବହାର ହେଉଛି । ଝରଣୀପାଲି ଅଞ୍ଚଳରେ ସବୁ ସ୍ଥାନରେ ମୋବାଇଲ ନେଟୱାର୍କ୍ ଠିକ୍ ଭାବରେ ଆସୁ ନଥିବାରୁ ଅନେକ ଲୋକ ଇଣ୍ଟରନେଟର ବ୍ୟବହାର ସଠିକ୍ ଭାବେ କରିପାରନ୍ତି ନାହିଁ ଅଥବା ପ୍ରାୟ ସମସ୍ତେ ସୀମିତ ନେଟ୍ ବ୍ୟବହାର କରିଥାନ୍ତି । ଏଣୁ ଛାତ୍ରଛାତ୍ରୀ ଏବଂ ଯୁବବର୍ଗଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅସୀମିତ ଇଣ୍ଟରନେଟ୍ ଉପଯୋଗ କରିବା ପାଇଁ କାର୍ଯ୍ୟାଳୟ ପରିସର ଅଞ୍ଚଳକୁ ଫ୍ରି ୱାଇଫାଇ ଜୋନ୍ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହ ଯୁବବର୍ଗ ଉପସ୍ଥିତ ଥିବା ବେଳେ ସରପଞ୍ଚ ଶ୍ରୀମତୀ ସାହୁ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ପଞ୍ଚାୟତ ନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ପଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସରପଞ୍ଚଙ୍କ ଏତାଦୃଶ ଉଦ୍ୟମକୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଛି ।