jayashree

୭ମ ଆନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଜାତୀୟ ସ୍ତରୀୟ ଏକ ଦିବସୀୟ ଆଭାସି ଯୋଗ କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ୨୧ ତାରିଖ ପୂର୍ବାହ୍ନରେ ପୁରୀ ସହରସ୍ଥିତ ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ(ଏନ୍.ସି.ସି) ଏବଂ ଆୟୁଷ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଆଞ୍ଚଳିକ ହୋମିଓପାଥି ଗବେଷଣା ପ୍ରତିଷ୍ଠାନ, ପୁରୀ ପକ୍ଷରୁ ମିଳିତ ଭାବେ ୭ମ ଆନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଜାତୀୟ ସ୍ତରୀୟ ଏକ ଦିବସୀୟ ଆଭାସି (ୱେବିନାର) ଯୋଗ କର୍ମଶାଳା ପାଳିତ ହୋଇଯାଇଛି । ଜାତୀୟ ସ୍ତରୀୟ ଏହି ଏକ ଦିବସୀୟ ଯୋଗ କର୍ମଶାଳାରେ ଏହି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ସୁଜାତା ମିଶ୍ର ଅଧ୍ୟକ୍ଷତା କରି ଯୋଗକୁ ଆଜିର ଛାତ୍ର ସମାଜ ଆଦରି ନେବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ରାଜସ୍ଥାନର ଯୋଗ-ବିଜ୍ଞାନ ବିଭାଗର ପ୍ରଫେସର ଡ଼. ସଞ୍ଜୀବ କୁମାର ପାତ୍ର ଓ ଭାରତ ସରକାରଙ୍କ ଜାତୀୟ ହୋମିଓପାଥି ପ୍ରତିଷ୍ଠାନ, କୋଲକାତାର ଯୋଗ-ବିଜ୍ଞାନ ବିଭାଗର ପ୍ରଫେସର ଡ଼. ଚିନ୍ତାମଣୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଗ ଏହି ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ, ନିଜର ଦୈନିକ ଜୀବନରେ ପ୍ରତିଦିନ ଅତି କମରେ ଅଧ ଘଣ୍ଟାଏ ପର୍ୟ୍ୟନ୍ତ ନିୟମିତ ଯୋଗାଭ୍ୟାସ ପାଇଁ ଉପସ୍ଥିତ ଥିବା ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ(ନୂଆଦିଲ୍ଲୀ)ର ଯୋଗ ପ୍ରଶିକ୍ଷକ ଶ୍ରୀଲୟ ମହାନ୍ତି ଓ ବାଙ୍ଗାଲୋରର ଯୋଗ ପ୍ରଶିକ୍ଷୀକା ଡା. ମୋଲିକା ଗାଙ୍ଗୁଲି ମୁଖ୍ୟବକ୍ତା ଭାବେ ଯୋଗଦେଇ ଯୋଗର ବିଭିନ୍ନ ଆସନ ବିଷୟରେ ଆଲୋକପାତ କରିବା ସହ ଯୋଗ କରିବା ଦ୍ୱାରା ଶରୀରରେ କିପରି ରୋଗ ପ୍ରତିଷେଧକ ଶକ୍ତି ବଢ଼ିଥାଏ ତାହା ଉପରେ ଆଲୋଚନା କରିଥିଲେ ଓ ନିୟମିତ ଯୋଗାଭ୍ୟାସ ପାଇଁ ଯୁବ ବର୍ଗଙ୍କୁ ସନ୍ଦେଶ ଦେଇଥିଲେ । ଡା. ଗାଙ୍ଗୁଲି ଅନେକ ଯୋଗାସନ ସିଧାସଳଖ ଛାତ୍ରଛାତ୍ରୀମାନଙ୍କୁ ଶିଖାଇ ଥିଲେ ଏବଂ ଛାତ୍ରଛାତ୍ରୀମାନେ ଘରେ ରହି ଏହାକୁ ଅଭ୍ୟାସ କରିଥିଲେ । ଏବେ କରୋନା ସମୟରେ ଯୋଗ କରିବା ଦ୍ୱାରା ଆମେ ନିଜେ ନିଜକୁ ସୁସ୍ଥ ରଖିବା ସହ କରୋନା ବିରୋଧରେ ଲଢ଼େଇ କରିପାରିବା । ସେଥିପାଇଁ ଆମେ ପ୍ରତ୍ୟକ ଦିନ ଯୋଗ କରି ନିଜକୁ ସୁସ୍ଥ, ସବଳ ଓ ନିରୋଗ ରହିବାକୁ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ତଥା ଯୁବବର୍ଗଙ୍କୁ ଆହ୍ଵାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅନେକ ଏନ୍‌ସିସି କ୍ୟାଡେଟ ତଥା ଅନ୍ୟାନ୍ୟ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସମେତ ରାଜ୍ୟର ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନର ଅନେକ ଛାତ୍ରଛାତ୍ରୀ ତଥା ଶିକ୍ଷକ ବହୁସଂଖ୍ୟାରେ ଯୋଗଦେଇଥିଲେ । ଏଥିରେ ଏସ୍‌ସିଏସ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଏନ୍‌ସିସି ଅଧିକାରୀ ଡ଼. ସଞ୍ଜୟ କୁମାର ସୁନ୍ଦରାୟ ଏବଂ ଆଞ୍ଚଳିକ ହୋମିଓପାଥି ଗବେଷଣା ପ୍ରତିଷ୍ଠାନର ବରିଷ୍ଠ ଗବେଷଣା ଅଧିକାରୀ ଡ଼. ଉମାକାନ୍ତ ପୃଷ୍ଟି ମିଳିତ ଭାବେ ଏହି କାର୍ଯ୍ୟକ୍ରମଟିକୁ ଦକ୍ଷତାପୂର୍ଣ୍ଣ ଭାବେ ସୁପରିଚାଳନା କରି ଭାରତରୁ ସୃଷ୍ଟି ହୋଇଥିବା ଯୋଗ କିପର ବିଶ୍ଵବାସୀଙ୍କ ଦ୍ଵାରା ଆଦୃତ ହେଉଅଛି ଏବଂ ଏହାର ଉପଯୋଗୀ ସମ୍ପର୍କରେ ଏବେଠାରୁ ଚିନ୍ତା କରିବା ସହିତ ଏହାର ପ୍ରସାର ଓ ଜନସଚେତନତା ପାଇଁ ଆଗେଇ ଆସିବାକୁ ଉପସ୍ଥିତ ଥିବା ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷାବିତ୍ ଏବଂ ବୁଦ୍ଧିଜୀବୀଙ୍କୁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.