ଶ୍ରୀରାମଚନ୍ଦ୍ର ଲାଇବ୍ରେରୀ ଦ୍ୱାରା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଜୟନ୍ତୀ ଉତ୍ସବ ପାଳନ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଜି ଶ୍ରୀରାମଚନ୍ଦ୍ର ଲାଇବ୍ରେରୀ (ଜୁବିଲୀ ଲାଇବ୍ରେରୀ) ପରିସରରେ ମୟୂରଭଞ୍ଜର ପୁଣ୍ୟଶ୍ଳୋକ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଲାଇବ୍ରେରୀ ପରିସରରେ ବହୁ ଆକାଂକ୍ଷିତ ରୂପାନ୍ତରିତ ପାର୍କର ଲୋକାର୍ପଣ କ୍ୟାବିନେଟ ମନ୍ତ୍ରୀ, ଗୃହ ଓ ନଗର ଉନ୍ନୟନ ବିଭାଗ, ଓଡିଶା ସରକାର ଡ଼ଃ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ କରକମଳରେ କରାଯାଇଥିଲା । ପରବର୍ତ୍ତୀ କାର୍ଯ୍ୟକ୍ରମରେ ମହାରାଜା ରାଜର୍ଷି ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଜୟନ୍ତୀ ଉତ୍ସବ ଲାଇବ୍ରେରୀ ସଭାଗୃହରେ ଯଥାରୀତି ସମ୍ପନ୍ନ ହୋଇଥିଲା । ମହାରାଜାଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ, ପ୍ରଦୀପ ପ୍ରଜ୍ୱଳନ ସହିତ ସମୂହ ଗାନ “ବନ୍ଦେ ଉତ୍କଳ ଜନନୀ” ବୋଲା ଯାଇଥିଲା । ମହାରାଜାଙ୍କ ବିଦେଶ ଗସ୍ତ ଉପଲକ୍ଷେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ରଚିତ ଗୀତିକାକୁ ଆବୃତି କରିଥିଲେ ଦୀପକ ଭଞ୍ଜ । ସଭା ମଞ୍ଚକୁ ସମୃଦ୍ଧ କରିଥିଲେ ମୁଖ୍ୟ ଅତିଥି ମନ୍ତ୍ରୀ ଡ଼ଃ କୃଷ୍ଣଚନ୍ଦ୍ର ମହାପାତ୍ର, ସମ୍ମାନୀୟ ଅତିଥି ବିଧାୟକ ପ୍ରକାଶ ସୋରେନ, ବରିଷ୍ଠ ସିନେସମୀକ୍ଷକ ସୂର୍ଯ୍ୟ ଦେଓ ( ଜାତୀୟ ଚଳଚ୍ଚିତ୍ର ପୁରସ୍କାର -୨୦୨୦ ପ୍ରାପ୍ତ), ମୁଖ୍ୟ ବକ୍ତା ଶ୍ରୀରାମଚନ୍ଦ୍ର ଭଞ୍ଜ ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ, ସହକାରୀ ପ୍ରାଧ୍ୟାପକ ଡ଼. ଶିଶିର ବେହେରା । ଏତଦ୍‌ ବ୍ୟତୀତ ମଞ୍ଚାସୀନ ଥିଲେ ନଗରପାଳ, ବାରିପଦା ମ୍ୟୁନିସିପାଲିଟି କୃଷ୍ଣାନନ୍ଦ ମହାନ୍ତି, ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଓ ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଦେବୀ ପ୍ରମୁଖ ଲାଇବ୍ରେରୀର ସମ୍ପାଦକ ସଭାର ପରିଚାଳନା ଦାୟିତ୍ୱ ବହନ କରିଥିଲେ । ସଭିଙ୍କ ବକ୍ତବ୍ୟରେ ରହିଥିଲା ଚିର ନମସ୍ୟ ପ୍ରଜାଵତ୍ସଳ ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ସ୍ମୃତିଚାରଣ, ଅକ୍ଷୟ କିର୍ତ୍ତୀ, ମହାନୁଭଵତାର ଆଦର୍ଶକୁ ଆଗକୁ ବଢ଼ାଇବାର ଆହ୍ୱାନ । ମନ୍ତ୍ରୀ ମହାଶୟ ଲାଇବ୍ରେରୀ ନିମନ୍ତେ ସହୃଦୟ ସହଯୋଗର ପ୍ରତିଶୃତି ଓ ଦୃଢ଼ ପ୍ରତିବଦ୍ଧତା ଜ୍ଞାପନ କରିଥିଲେ । ମହାରାଜା ଓ ମୟୂରଭଞ୍ଜ ବିଷୟରେ ଯୁବପୀଢ଼ିଙ୍କୁ ଜାଗରୁକ ଓ ସଚେତନ କରାଇବା ନିମନ୍ତେ ଲାଇବ୍ରେରୀ ଆୟୋଜିତ ଓ ସ୍ଥପତି ମନୋଜ କୁଅଁରଙ୍କ ଦ୍ୱାରା ପ୍ରାୟୋଜିତ ଆନ୍ତଃ ମହାବିଦ୍ୟାଳୟ କୁଇଜ ପ୍ରତିଯୋଗିତାର କୃତ୍ତି ଛାତ୍ରମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଏହି ଉତ୍ସବ ଅବକାଶରେ ବାରିପଦା ବର୍ଷିଆନ ଶିକ୍ଷାବିତ, ପ୍ରାବନ୍ଧିକ ଏବଂ ସର୍ବୋପରି ଲାଇବ୍ରେରୀର ଶୁଭକାଂକ୍ଷି ଡ଼.ମୋହିତ ଷଡଙ୍ଗୀ ମହୋଦୟଙ୍କୁ ମାନପତ୍ର ଓ ଶାଲ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ତାଙ୍କ ଜୀବନାନୁଭୁତି ଆଧାରିତ ପୁସ୍ତକ “ସ୍ମୃତି ଅର୍ଘ୍ୟ” ମଧ୍ୟ ଉନ୍ମୋଚିତ ହୋଇଯାଇଛି । ଆଜିର ଅନ୍ୟଏକ ଆକର୍ଷଣ ଥିଲା ପ୍ରଦୀପ କୁମାର ଲେଙ୍କାଙ୍କ ପୁରାତନ ମୁଦ୍ରା ଓ ଡାକ ଟିକଟର ଏକକ ପ୍ରଦର୍ଶନୀ । ପ୍ରତିଷ୍ଠିତ ମାସିକ ପତ୍ରିକା “ସମଦୃଷ୍ଟି” ଓ “ପଞ୍ଚକୋଷ” ର ମିଳିତ ପ୍ରୟାସରେ ସମ୍ପାଦିତ ଡିସେମ୍ବରର ୨୦୨୫ ବିଶେଷ ସଂଖ୍ୟା “ସ୍ମୃତି ଓ ଅନୁଭୂତି ରେ ମୟୁରଭଞ୍ଜ ରାଇଜ” ମଧ୍ୟ ଉନ୍ମୋଚିତ ହୋଇଅଛି । ବାରିପଦାର ଶତାଧିକ ସଜ୍ଜନ ଓ ବୁଦ୍ଧିଜୀବୀଙ୍କ ଉତ୍ସାହ ପୂର୍ଣ୍ଣ ଯୋଗଦାନ, ନଗରପାଳଙ୍କ ନିରବିଛିନ୍ନ ସାହାଯ୍ୟ ଏବଂ ପରିଚାଳନା ପରିଷଦର ପ୍ରତିଟି ସଦସ୍ୟଙ୍କ ଅକ୍ଲାନ୍ତ ପରିଶ୍ରମ ଏହି ଉତ୍ସବକୁ ସଫଳ କରିଥିବାରୁ ଲାଇବ୍ରେରୀ କର୍ତ୍ତୃପକ୍ଷ ତରଫରୁ ସଭାପତି ଜୟନ୍ତ କୁମାର ପାଲ ଓ ସମ୍ପାଦକ ଅଶୋକ କୁମାର ବେହେରା ବିଶେଷ ଆଭାର ପ୍ରକଟ କରିଛନ୍ତି । ଦେବବ୍ରତ ହୋତାଙ୍କ ଧନ୍ୟବାଦ ଅର୍ପଣ ଅନ୍ତେ ସଭାକାର୍ଯ୍ୟ ସମାପ୍ତି ଘୋଷଣା କରାଗଲା ।

Leave A Reply

Your email address will not be published.