
ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଗତି ଉତ୍କଳ ସଂଘ ଆୟୋଜିତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଓ ଆଲୋଚନାଚକ୍ର ଆସନ୍ତା ଏପ୍ରିଲ ୨୮ ତାରିଖ ଦିନ ସଂଘ ପରିସରରେ ଥିବା ମଧୁମଣ୍ଡପ ଠାରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଏନେଇ ସଂଘ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର କର୍ମକର୍ତ୍ତାଗଣ ସାମ୍ବାଦିକମାନଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ’ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ସେକ୍ଟର ୭ ପ୍ରଗତି ଉତ୍କଳ ସଂଘ ପରିସରରେ ଥିବା ମଧୁମଣ୍ଡପ ଠାରେ ୨୮ ତାରିଖ ଦିନ ସନ୍ଧ୍ୟା ୭ଟାରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର କୁମରବର ଦାସ, ମୁଖ୍ୟବକ୍ତା ଭାବେ ପ୍ରଫେସର ବିଜୟ କୁମାର ଶତପଥୀ ଓ ବରେଣ୍ୟ ଅତିଥି ଭାବେ ଶାନ୍ତିନିକେତନର ଭାଷାଭବନର ଅଧ୍ୟକ୍ଷ ପ୍ରଫେସର ମନୋରଞ୍ଜନ ପ୍ରଧାନ ପ୍ରମୁଖ ଯୋଗଦେଇ ଉତ୍କଳ ଗୌରବଙ୍କ ଜୀବନାଦର୍ଶ, କୃତି, ସୃଷ୍ଟି ଓ ମଧୁବାବୁଙ୍କ ଅନାଲୋଚିତ ଦିଗ ଉପରେ ଆଲୋଚନା କରିବେ । ଏହି ଅବସରରେ ଶିକ୍ଷା କ୍ଷେତ୍ରରେ ବିଶେଷ ଅବଦାନ ଯୋଗୁଁ ଡିଏଭି ପବ୍ଲିକ ସ୍କୁଲର ଅଧ୍ୟକ୍ଷ ତଥା ଆଞ୍ଚଳିକ ନିର୍ଦ୍ଦେଶକ ଲୋକନାଥ ପ୍ରଧାନଙ୍କୁ ସତ୍ୟନାରାୟଣ ସ୍ମୃତି ସମ୍ମାନ, ଚାଟାର୍ଡ ଆକାଉଣ୍ଟାଣ୍ଟ ତଥା ସମାଜସେବୀ ଭଗବାନ ଦାସ ଶିବହରେଙ୍କୁ ମଧୁ ସ୍ମୃତି ସମ୍ମାନରେ ସମ୍ମାନିତ କରାଯିବ । ସେହିପରି ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ତଥା ଆଦିବାସୀ ଜନଜାତିର ଛାତ୍ରଛାତ୍ରୀ, ଯେଉଁମାନେ ୫ମ ଓ ୭ମ ଶ୍ରେଣୀରେ ଉତ୍କର୍ଷତା ଲାଭ କରିଥିବେ ସେମାନଙ୍କୁ ନଗଦ ଅର୍ଥରାଶିରେ ପୁରସ୍କୃତ କରାଯିବ । ଏହାସହ ଅନୁଷ୍ଠାନର ବାର୍ଷିକ ବିଶେଷାଙ୍କ ସ୍ମରଣିକା ଉତ୍କଳ ଗୌରବ ୨୦୨୪କୁ ଅତିଥିଗଣ ଉନ୍ମୋଚନ କରିବେ । ଚଳିତ ବିଶେଷାଙ୍କଟି ଗୋପବନ୍ଧୁ ଦାସ ଜୀବନାଦର୍ଶ ସମ୍ପର୍କରେ ସନ୍ନିବେଶିତ ହୋଇଛି । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି । ସେହିଦିନ ସକାଳ ୮ଟାରେ ମଧୁସୂଦନ ମାର୍ଗ ସ୍ଥିତ ମଧୁସୂଦନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ ବୋଲି ସୂଚନା ଦିଆଯାଇଛି । ଏହି ସମ୍ବାଦିକ ସମ୍ମିଳନୀରେ ସଂଘର ଉପସଭାପତି ରଶ୍ମିରଞ୍ଜନ ବୋଇତାଇ, ଡ. ପ୍ରଭାତ କୁମାର ମଲ୍ଲିକ, ସାଧାରଣ ସମ୍ପାଦକ ଘନଶ୍ୟାମ ଧଳ, ସମ୍ପାଦକ ରାଧାମୋହନ ନାୟକ, ଯୁଗ୍ମ ସମ୍ପାଦକ ଲକ୍ଷ୍ମଣନାଥ ଦାସ, ଅରବିନ୍ଦ ପାତ୍ର, ଡ. ନଗେନ ଦାସ, ଇନ୍ଦ୍ରମଣି ମହାପାତ୍ର, ପ୍ରଦୀପ କୁମାର ପଟ୍ଟନାୟକ, ଅଶୋକ କୁମାର ପଟ୍ଟନାୟକ, ରଶ୍ମି ସାହୁ, ଅର୍ଜୁନ ଭୂୟାଁ ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରିଥିଲେ । ଶେଷରେ ସମ୍ପାଦକ ଶ୍ରୀ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ ।