ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ କୋଭିଡ ସଂକ୍ରମଣ କ୍ରମଶଃ ବୃଦ୍ଧି ପାଉଥିବାରୁ ଏହାର ପ୍ରତିରୋଧ କରିବା ପାଇଁ ଆଜି ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ବୈଠକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷଠାର ଆୟୋଜିତ ହୋଇଯାଇଛି । ବୈଠକରେ ଆଗାମୀ ଦିନରେ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଟିଏମସି କେନ୍ଦ୍ର ଚିହ୍ନଟ, କୋଭିଡ କେୟାର ସେଣ୍ଟର ପାଇଁ ପ୍ରସ୍ତୁତି, ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଏଁ କୋଭିଡ କେୟାର ସେଣ୍ଟର ପାଇଁ ସ୍ଥାନ ଚିହ୍ନଟ, ସ୍କୁଲ, କଲେଜ, ବଜାରଗୁଡ଼ିକରେ ସାମାଜିକ ଦୂରତା ରକ୍ଷା କରିବା, ମାକ୍ସ ବ୍ୟବହାର, ଗହଳି ନକରିବା, କୋଭିଡ ଗାଇଡ୍ ଲାଇନକୁ ସମ୍ପୁର୍ଣ୍ଣ ପାଳନ କରିବାକୁ ଜନ ସାଧାରଣଙ୍କୁ ସଚେତନ କରିବା ପାଇଁ ମାଇକ ଜରିଆରେ ପ୍ରଚାର କରିବାକୁ ଉପସ୍ଥିତ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ନିଜ ଅଞ୍ଚଳରେ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଆବଶ୍ୟକ ସ୍ଥଳେ ବିପର୍ଯ୍ୟୟ ପ୍ରଶମନର ଆଇନ୍ ଅନୁଯାୟୀ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ମୁଖ୍ୟାଳୟରେ କୋଭିଡ ହସ୍ପିଟାଲରେ ୨୦ ଶଯ୍ୟା ପ୍ରସ୍ତୁତ ରଖିବାକୁ ସିଏମଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ପ୍ରତ୍ୟେକ ପିଏଚ୍ସିରେ ମେଡିକାଲ ଅଧିକାରୀ ମାନେ କୋଭିଡ ପୃଥିକରଣ କିଟସ ସହ ପ୍ରସ୍ତୁତ ରହିବା, ଯଥା ସମୟରେ ହୋମ୍ ଆଇସୋଲେସନରେ ଥିବା ସଂକ୍ରମିତଙ୍କ ପାଖରେ ପହଞ୍ଚି ଆବଶ୍ୟକ ଚିକିତ୍ସା ଯୋଗାଇ ଦେବା ପାଇଁ ପ୍ରସ୍ତୁତ ରହିବାକୁ ଗୁରୁତ୍ୱାରୋପ କରିଥିଲେ । ବୈଠକରେ ସମସ୍ତ ବିଡିଓ, ତହସିଲଦାର, ସିଏମ୍ଓ ଏବଂ ଏମ୍ଓ ଉପସ୍ଥିତ ଥିଲେ।