ମାସିକ ସାହିତ୍ୟ ପତ୍ରିକା ‘କୁଆଁରୀ’ର ଚତୁର୍ଥ ଜନ୍ମୋତ୍ସବ ପାଳିତ : କବି ଆନଂଦଙ୍କୁ ପ୍ରଦାନ କରାଗଲା ‘କୁଆଁରୀ ସାହିତ୍ୟ ସମ୍ମାନ’

ପାଟଣାଗଡ଼, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ମେହେର ଧର୍ମଶାଳାରେ ପାଟଣାଗଡ଼ରୁ ପ୍ରକାଶ ପାଉଥିବା ମାସିକ ସାହିତ୍ୟ ପତ୍ରିକା ‘କୁଆଁରୀ’ର ଚତୁର୍ଥ ଜନ୍ମୋତ୍ସବ ପାଳିତ ହୋଇଯାଇଛି । ଏହି ଜନ୍ମୋତ୍ସବର ପ୍ରଥମ ଅଧିବେଶନରେ ପାଟଣାଗଡ଼ ଜବାହରଲାଲ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ତଥା ସାହିତ୍ୟିକ ଅରୁଣ କୁମାର ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ଟିଟିଲାଗଡ଼ର ବିଶିଷ୍ଟ ସାହିତ୍ୟିକ ଅଶ୍ୱିନୀ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ‘କୋଶଳ ପ୍ରବାହ’ର ସଂପାଦକ ତଥା କବି ଆନଂଦ ଚଂଦ୍ର ସାହୁ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ବ୍ୟଙ୍ଗ କବି ଟିକେଲାଲ ବେହେରା ଏବଂ କୁଆଁରୀର ସଂପାଦକ ଦିଲୀପ କୁମାର ମିଶ୍ର ମଧ୍ୟ ମଂଚାସୀନ ଥିବା ବେଳେ ପ୍ରଦୀପ କୁମାର ଶତପଥୀ ସଭା ସଂଚାଳନ କରିଥିଲେ । ଏହି ଅବସରରେ କବି ଆନଂଦ ଚଂଦ୍ର ସାହୁଙ୍କୁ ଅନୁଷ୍ଠାନ ପକ୍ଷରୁ ଚଳିତ ବର୍ଷର ମର୍ଯ୍ୟାଦାଜନକ ‘କୁଆଁରୀ ସାହିତ୍ୟ ସମ୍ମାନ’ ପ୍ରଦାନ କରାଯାଇଥିବା ବେଳେ ବ୍ୟଙ୍ଗ କବି ଭାବେ ଟିକେଲାଲ ବେହେରାଙ୍କୁ ସମ୍ମାନିତ କରାଯାଇଥିଲା । କୋଶଲୀ ଭାଷା ସାହିତ୍ୟ ଉପରେ ଏହି ଅଧିବେଶନରେ ଗମ୍ଭୀର ଆଲୋଚନା କରାଯାଇଥିଲା । କୁଆଁରୀର ସଂପାଦକ ଶ୍ରୀ ମିଶ୍ର ସଂପାଦକୀୟ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ କବି ଆଶିଷ ଚନ୍ଦନ ଧନ୍ୟବାଦ ଅର୍ପଣର ଦାୟିତ୍ୱ ଗ୍ରହଣ କରିଥିଲେ ।

ଦ୍ୱିତୀୟ ଅଧିବେଶନରେ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏଥିରେ ସଭାପତିତ୍ୱ କରିଥିଲେ ବୟୋଜ୍ୟେଷ୍ଠ କବି ଲିଙ୍ଗରାଜ ଚିନ୍ଦା ଏବଂ ଅତିଥି ଭାବେ ଯୋଗ ଦେଇଥିଲେ ନରୋତ୍ତମ ସାହୁ । କବିତା ସଂଯୋଜନା କରିଥିଲେ କବି ଅର୍ଜୁନ କୁମାର ସାହୁ, ରାଜେଶ ଦଣ୍ଡସେନା, ସଂଯୁକ୍ତା ପରିଚ୍ଛା ଓ ପ୍ରଦୀପ କୁମାର ଦାଶ । ୫୦ରୁ ଅଧିକ କବି ଏଠାରେ ସ୍ୱରଚିତ କୋଶଲୀ କବିତା ପାଠ କରିଥିଲେ । ସାରା ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଅଂଚଳରୁ କବି, ସାମ୍ବାଦିକ ତଥା ବହୁ ସାହିତ୍ୟପ୍ରେମୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.