
ଜୟପାଟଣା, (ଶେଷଦେବ ବେହେରା) : ପ୍ରାକୃତିକ ଜୀବନ ଶୈଳୀକୁ ଆପଣେଇ ଦୁଃଖ କଷ୍ଟ ସାଙ୍ଗରେ ନିଜକୁ ବର୍ଷ ବର୍ଷ ଧରି ପ୍ରକୃତିର ନିଭୃତ ଅଞ୍ଚଳ ମାନଙ୍କରେ ଏବେ ବି ବଞ୍ଚି ରହିଛି ଅନେକ ବସତି । ଯେଉଁ ମାନଙ୍କ ଜୀବନ ଯାପନ ଶୈଳୀ ସମ୍ପୂର୍ଣ୍ଣ ଭିନ୍ନ । ପ୍ରକୃତି କୋଳରୁ ଯାହା ଉପାର୍ଜନ ହୁଏ ସେତେକ ହିଁ ସେମାନଙ୍କ ଜୀବିକା । ସମସ୍ତ ପ୍ରତିକୂଳ ଅବସ୍ଥା ଦେଇ ଜୀବନ ବଞ୍ଚିବା ସତ୍ତ୍ୱେ କେବେହେଲେ ସରକାର, ଲୋକ ପ୍ରତିନିଧି କିମ୍ବା ପ୍ରଶାସନ ପାଖରେ ଅବଗତ କରାନ୍ତି ନାହିଁ । କାରଣ ଏମାନେ ନିଷ୍କପଟ ଆଦିବାସୀ । ଆମେ କହୁଛୁ ଜୟପାଟଣା ସଦର ମହକୁମାରୁ ୧୦ କିଲୋମିଟର ଦୂରେ ଅବସ୍ଥିତ ବଡ଼କର୍ଲାକୋଟ ପଞ୍ଚାୟତର ଜାନିପଡ଼ା ଗ୍ରାମର କଥା । ପଞ୍ଚାୟତ ମହକୁମା ଠାରୁ ଏକ ସମତଳ ଅଞ୍ଚଳରେ ଅବସ୍ଥିତ ସ୍ଵାଧୀନତା ବହୁ ପୂର୍ବର ଗାଁ । ବଡ଼ଡଙ୍ଗରର ପାଦଦେଶରେ ଚାରି ପୁରୁଷ ଧରି ଗାଁ ବସି ସାରିଥିଲେ ମଧ୍ୟ ଗାଁକୁ ଦେଖିଲେ ମନେହୁଏ ସତେକି ଏମାନେ ସ୍ଵାଧୀନତାର ମହତ୍ତ୍ଵ କିଛି ଜାଣି ନାହାନ୍ତି । ନିଘଞ୍ଚ ପାହାଡ଼ ଉପରେ ଏମାନଙ୍କ ପୂର୍ବ ପୁରୁଷମାନେ କଙ୍କଡାଜୋର୍ ଝରଣାର ଆଶ୍ରୟ ନେଇ ଅନେକ ଦିନର ଆତ୍ମଗୋପନ ଭଳି ଜୀବନ ବିତାଇବା ପରେ ଭୌଗୋଳିକ ପ୍ରତିବନ୍ଧକ ହେତୁ ତଳକୁ ଓହ୍ଲାଇ ଦେଢ଼ଶହ ବର୍ଷ ପୂର୍ବେ ଗାଁ ବସାଇଥିଲେ । ଅନେକ ଯୋଜନା ପ୍ରସ୍ତୁତ ହୋଇଥିଲେ ମଧ୍ୟ ଅଧିବାସୀମାନେ ଆଜିବି ଘର ଡିହ ଖଣ୍ଡିଏ ପାଇଁ ଗୁହାରି କରିବାକୁ ପଡୁଛି । ଗାଁର ଜନସଂଖ୍ୟା ୧୫୦ ରହିଥିବା ବେଳେ ଘର ସଂଖ୍ୟା ୩୫ରେ ପହଞ୍ଚିଛି । କିଛି ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ମିଳିଥିବା ବେଳେ ଠିକା ସଂସ୍ଥା ଦ୍ଵାରା ପରିଚାଳିତ ଏହି ସବୁ ଆବାସ ଭିତରୁ ଅନେକ ବ୍ୟବହାର ଉପଯୋଗୀ ନ ହୋଇ ପରିତ୍ୟକ୍ତ ଭାବରେ ପଡ଼ି ରହିଛି । ଦୁର୍ଭାଗ୍ୟର କଥା ଆଜି ପର୍ଯ୍ୟନ୍ତ ଗାଁକୁ ସଂଯୋଗ କରୁଥିବା ସଡ଼କ ଖଣ୍ଡିଏ ନ ଥିବା ବେଳେ ପାନୀୟ ଜଳ ମଧ୍ୟ ଲୋକଙ୍କ ପାଇଁ କଷ୍ଟ ପାଲଟିଛି । ଲୋକଙ୍କ ପାଖରେ କୌଳିକ ଧନ୍ଦା ବାଉଁଶ କାମରୁ ଯାହା ଉପାର୍ଜନ ହୁଏ ତାହା ହିଁ ସେମାନଙ୍କ ଜୀବିକା । କଷ୍ଟେ ମାଷ୍ଟେ କିଛି ଶିଶୁ ଦୁଇ କିଲୋମିଟର ଦୂରେ ଥିବା ପ୍ରାଥମିକ ବିଦ୍ୟାଳୟର ଶିକ୍ଷା ପରେ ପାଠ ପଢ଼ାରେ ଡୋରି ପଡ଼ିଯାଇଥିବା ଅଭିଭାବକ ମାନେ ପ୍ରକାଶ କରନ୍ତି । ଏବେ ଗ୍ରାମାଞ୍ଚଳର ବିକାଶ ପାଇଁ ବିକାଶର ଡ଼ଙ୍କ ବାଜୁଥିବା ବେଳେ ଜାନିପଡ଼ା ପାଇଁ ବିକାଶର ସୂର୍ଯ୍ୟୋଦୟ କେବେ ହେବ ତାହା ଦେଖବାର ବେଳ ଆସିଛି ।