om academy

ଛତ୍ରପୁର ବ୍ଳକ୍‌ରେ ଜଳମଗ୍ନ ହୋଇ ସବୁଜ ଫସଲ ଓ ଧାନ କ୍ଷେତ ସମ୍ପୂର୍ଣ୍ଣ ନଷ୍ଟ : ଛତ୍ରପୁର ବିଧାୟକଙ୍କ ପରିଦର୍ଶନ

jsm
  • ଗଞ୍ଜାମ ଜିଲ୍ଲାରେ ହଜାର ହଜାର ହେକ୍ଟର ଚାଷଜମିରେ ଧାନ ଫସଲ ସମ୍ପୂର୍ଣ୍ଣ କ୍ଷତି : କ୍ଷତିପୂରଣ ପାଇଁ ଚାଷୀଙ୍କ ଦାବୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଲଗାଣ ବର୍ଷା ଜିନିତ ଗଞ୍ଜାମ ଜିଲ୍ଲାରେ କୃଷି ଓ ଉଦ୍ୟାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଜିଲ୍ଲାର ହଜାର ହଜାର ହେକ୍ଟର ଧାନ ଫସଲରେ ଧାନ ପୋଚି ସମ୍ପୂର୍ଣ୍ଣନଷ୍ଟ ହୋଇଗଲା । ଲୋକଙ୍କ ଉପରେ ଏବେ ଭାଲେଣି ପଡିଲା । ଦୁଇ ମାସହେଲା ପନିପରିବା ଦର ଆକାଶ ଛୁଆଁ ହୋଇ ଉଠିଥିବା ବେଳେ ପନିପରିବା ଲାଗିଥିବା ବାଡ଼ିବଗିଚାର ଉଦ୍ୟାନ କ୍ଷେତ ବି ନଷ୍ଟ ହୋଇଗଲା । ଫଳରେ କୃଷି ଓ ଉଦ୍ୟାନ ଚାଷୀଙ୍କ କ୍ଷୋଭ ବଢ଼ିବାରେ ଲାଗିଛି । ପ୍ରତିଟି ଚାଷୀ ପରିବାର ତରଫରୁ ୪୦ହଜାର ଟଙ୍କାରୁ ଲକ୍ଷାଧିକ ଟଙ୍କାର ବିହନ, ସାର ସହ ଶ୍ରମ ଦେଇ ଚାଷୀ ପରିବାର ଉନ୍ନତଫସଲ ପାଇବା ଆଶାରେ ଥିଲେ । ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାରେ ବିଳମ୍ବରେ ମୌଷମୀ ଆସିଥିବା ବେଳେ ବିଳମ୍ବରେ ଧାନତଳି ପକାଇଥିଲେ, ଆଉ କେତେକ କେନାଳ, ଝରଣା ଓ ନଦୀ କୂଳର ଚାଷୀମାନେ ପୂର୍ବରୁ ଧାନତଳି ପକାଇ ସାଇତି ରଖିଥିଲେ, ବର୍ଷାଦିନ ଆସିବାପରେ ଧାନ ବିଳମ୍ବରେ ବି ଧନରୁଆ ହୋଇଥିଲା । ଧାନକେଣ୍ଡା ବାହାରିଥିବା ସମୟ ବେଳକୁ ଅଦିନିଆ ଲଗାଣବର୍ଷା ଲାଗି ଜିଲ୍ଲାର ସବୁତକ ଧାନ ଫସଲ ଉଜୁଡି ଗଲା । ଠିକ୍‌ ସେହିପରି ଉଦ୍ୟାନ ଫସଲ ଯଥା ଫୁଲକୋବି, ବନ୍ଧାକୋବି, ମୂଳା, ଟମାଟୋ, ଶାଗ, ବୋଇତି-କଖାରୁ, ଅଦା, ଲଙ୍କାଚାଷ ଜମିରେ ଆଣ୍ଠୁଏ ଲେଖାଏଁ ପାଣି ଜମି ସବୁଜ ପନିପରିବା ନଷ୍ଟ ହୋଇଯାଇଛି । ଏଣେ ଲୋକେ ପରିବା ଖାଇବାରୁ ମଧ୍ୟ ବଞ୍ଚିତ ହେବେ । ପନି-ପରିବା ବି ଆହୁରି ମହଙ୍ଗା ହେବା କୁହାଯାଏ । ଗଞ୍ଜାମ ଜିଲ୍ଲାର ଅନେକ ଧାନଚାଷୀ ଉଦ୍‌ବେଗ ପ୍ରକାଶ କରି କ୍ଷତିପୂରଣ ଦାବୀ କରିଛନ୍ତି । କ୍ଷତିପୂରଣ ନ ମିଳିଲେ ଚାଷ କାମ ଛାଡ଼ି ଦେବେ ବୋଲି ଚେତାବନୀ ଦେଇଛନ୍ତି । ଚାଷୀଙ୍କୁ କ୍ଷତିପୂରଣ ନଦେଲେ ଚାଷୀକୂଳ ହତାଶ ହୋଇପଡିବେ ଏବଂ ଚାଷୀର ମେରୁଦଣ୍ଡ ଭାଙ୍ଗିଗଲେ, ଲୋକେ ଖାଇବାକୁ ପାଇବେ ନାହିଁ । ପଶ୍ଚାତରେ ଭୟଙ୍କର ଖାଦ୍ୟ ଦୁର୍ଭିକ୍ଷ ପଡିବ । ତେଣୁ ଖୁବଶୀଘ୍ର କେନ୍ଦ୍ର ଓ ରାଜ୍ୟ ସରକାର ଏହି ପ୍ରାକୃତିକ ଦୁର୍ବିପାକ ଜନିତ କ୍ଷତିଭରଣା କରିବା ଜରୁରୀ ବୋଲି ବିଭିନ୍ନ ମହଲରେ ଆଲୋଚନା କରାଯାଇଛି । ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ତତ୍ପର ନଥିବା ହେତୁ ଚାଷ ଜମିରେ ଜଳବନ୍ଦି ହୋଇରହି ବ୍ୟାପକ ନଷ୍ଟ ହେଲା ବୋଲି କେତେକ ମହଲରେ ଉଦବେଗ ପ୍ରକାଶ ପାଇଛି । ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି କ୍ଷୁଦ୍ର ଓ ମଧ୍ୟମ ଜଳସେଚନ ବିଭାଗ ଇରିଗେସନ ପକ୍ଷରୁ ଜଳ ନିଷ୍କାସନ କରିବା ବ୍ୟବସ୍ଥା ଏବଂ ବନ୍ଧ ଓ ଡେମ, ବୃହତ ଜଳଭଣ୍ଡାର ନଦୀବନ୍ଧକୁ ନିଷ୍କାସନ କରିବା ପଦ୍ଧତି ଯନ୍ତ୍ରୀ ପ୍ରଶାସନ ତରଫରୁ ବ୍ୟବସ୍ଥାପନାର ମାଷ୍ଟରପ୍ଲାନ କରିନଥିବା ହେତୁ ବାରମ୍ବାର ଫସଲ ହାନି ଘଟୁଛି ବୋଲି ଦୃଢ଼ ଅଭିଯୋଗ ହୋଇଛି । ସେହିପରି ଛତ୍ରପୁର ବ୍ଳକ୍‌ରେ ଧାନ ଓ ସବୁଜ ପନିପରିବା ଚାଷୀ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛନ୍ତି, ବୋଲି ଜିଲ୍ଲା ପ୍ରଶାସନଠାରେ ଅଭିଯୋଗ ହୋଇଛି । ଜଳବନ୍ଦୀରେ ଥିବା କ୍ଷେତଜମି, ବାଡ଼ିବଗିଚା, ଗ୍ରାମାଞ୍ଚଳର ତଳି ଅଞ୍ଚଳରେ ଥିବା କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କ ଅବସ୍ଥା ବୁଝିବାକୁ ଯାଇ କ୍ଷେତ୍ର-ପରିଦର୍ଶନରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଗତକାଲି ଛତ୍ରପୁର ବ୍ଳକ୍ ବୁଲି ଦେଖିଥିଲେ । ବିଶେଷ କରି ଛତ୍ରପୁର ବ୍ଳକ୍‌ର ବିପୁଲିଙ୍ଗୀ ଗ୍ରାମ ପଞ୍ଚାୟତରେ ବ୍ୟାପକ କୃଷି ଓ ଉଦ୍ୟାନ ଫସଲ ନଷ୍ଟ ହୋଇଥିବା ନେଇ ବିଧାୟକଙ୍କୁ ସରପଞ୍ଚ ନରସିଂହ ରେଡ୍ଡୀ, ସମିତିସଭ୍ୟ ଜୟଦେବ ଲେଙ୍କା କରାତଳି ଓ ତୁଡ଼କପଲ୍ଲୀ ଗ୍ରାମକୁ ଡାକି ବ୍ୟାପକ ଫସଲ କ୍ଷତି ସମ୍ପର୍କରେ ଦୃଷ୍ଟିକୁ ଆଣି ଦର୍ଶାଇଥିଲେ ବୋଲି କୁହାଯାଇଛି । ଲଗାଣ ବର୍ଷା ଜନିତ କ୍ଷତିପୂରଣ ପାଇଁ ରାଜରାସ୍ତାକୁ ଚାଷୀସମାଜ ଓହ୍ଲାଇବ ବୋଲି ବିଭିନ୍ନ ମହଲରେ କୁହାଯାଇଛି ।

Leave A Reply

Your email address will not be published.