ସହିଦ୍ ଯବାନଙ୍କୁ ଗାର୍ଡ ଅଫ୍‌ ଅନର୍‌ ସହ ଶବ ସତ୍କାର

ନୂଆପଡ଼ା, (ନିରାକାର ମେହେର) : ଜିଲ୍ଲା କୋମନା ଥାନା ବିରୁନ୍ ପଦର ଛକ ନିକଟରେ ଗତକାଲି ବାଇକ୍ ଦୁର୍ଘଟଣାରେ ଜଣେ କାର୍ଯ୍ୟରତ ସିଆର୍‌ପି ଏଫ୍ ଜବାନଙ୍କ ମୃତ୍ୟୁ ଘଟିଥିଲା । ମୃତ ଯବାନ ବୋଡ଼େନ୍‌ ଥାନା ଖିରମାଲ୍ ଗାଁର ଚୈତନ୍ୟ ଶବର । ସୂଚନା ଅନୁସାରେ ଚୈତନ୍ୟ ଶବର ୨୦୦୮ ମସିହାରେ ସେ ସିଆର୍‌ପି ଏଫ୍‌ରେ ଯୋଗଦାନ କରିଥଲେ । ବର୍ତ୍ତମାନ୍ ସେ ନୂଆପଡା ସିଆରପିଏଫ୍ ୨୧୬ ବାଟାଲିୟନ୍‌ ଅଧିନରେ ସୁନାବେଡ଼ା ଅଭୟାରଣ୍ୟ ଦାତୁନାମା କ୍ୟାମ୍ପରେ ନିୟୋଜିତ ଥିଲେ । ସେ କୌଣସି କାମରେ କୋମନାକୁ ବାଇକ୍ ଯୋଗେ ଆସିଥିଲେ । ଅପରାହ୍ନରେ ସେ କାର୍ଯ୍ୟ ସାରି ଫେରିବା ବେଳେ ଏନ୍ଏଚ୍ ୩୫୩ ବୀରୁନ ପଦର ଛକ ନିକଟରେ ଏକ ଟ୍ରକ୍‌ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା ଯାହା ଫଳରେ ଚୈତନ୍ୟ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣାରେ ଚୈତନ୍ୟଙ୍କ ମୁଣ୍ଡରେ ଗଭୀର କ୍ଷତ ହେବା ସହ ଗୋଡ ମଧ୍ୟ ଭାଙ୍ଗି ଯାଇଥିଲା । ଖବର ପାଇ କୋମନା ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଚୈତନ୍ୟଙ୍କୁ ଗୁରୁତର ଅବସ୍ଥାରେରେ ଉଦ୍ଧାର କରି ସ୍ଥାନୀୟ କୋମନା ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ । ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସନ୍ଧ୍ୟା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଚୈତନ୍ୟଙ୍କ ମୃତ୍ୟୁ ଘଟିଥିଲା । ସନ୍ଧ୍ୟା ହେବାରୁ ଶବ ବ୍ୟବଚ୍ଛେଦ ହୋଇପାରିଲା ନାହିଁ, ତେଣୁ ଆଜି ସକାଳେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ଏନେଇ ପୋଲିସ କୋମନା ଥାନାରେ ଏକ ମାମଲା ରୁଜୁ କରି ଦୁର୍ଘଟଣା ଘଟାଇ ଥିବା ଟ୍ରକ୍‌କୁ ଜବତ କରି ତଦନ୍ତ କରାଯାଉଛି । ମୃତ ଚୈତନ୍ୟ ଶବରଙ୍କ ମୃତ ଦେହକୁ ପ୍ରଥମେ ସଆର୍‌ପିଏଫ୍‌-୨୧୬ ବାଟାଲିୟନ ହେଡ୍ କ୍ୱାଟର ନିଆ ଯାଇଥିଲା । ସଆର୍‌ପିଏଫ୍‌-୨୧୬ ବାଟାଲିୟନ କମାଣ୍ଡାଣ୍ଟ ଇରିକ୍ ଗିଲ ବର୍ଟ ଯୋସ୍‌ଙ୍କ ଉପସ୍ଥିତିରେ ମୃତ ଚୈତନ୍ୟଙ୍କ ପରିବାରକୁ ନଗଦ ପଚାଶ ହଜାର ଟଙ୍କା ଶୁଦ୍ଧି କ୍ରିୟା କରିବା ପାଇଁ ପ୍ରଦାନ୍ କରିଥିଲେ । ଏହି ଶବ ସତ୍କାର କାର୍ଯ୍ୟକ୍ରମରେ ସଆର୍‌ପିଏଫ୍‌ – ୨୧୬ ବାଟାଲିୟନ କମଣ୍ଡାଣ୍ଟ ଇରୀକ୍ ଗିଲ ବର୍ଟ୍ ଯୋଷ,୨ଦ୍ଭୟ ଇନ କମାନଣ୍ଡାଣ୍ଟ ଏସ୍‌ଜେ ନାୟାର, ଡିଆର୍‌ ୟାଦବ, ଟି. ନିତ୍ୟାନନ୍ଦ, ରୋକାଲ୍ ସରପଞ୍ଚ ଠାକୁର ବାଗ, ହରେକୃଷ୍ଣ ବେହେରା, ଦାମୋଦର ବାଗ, ବାଳକୃଷ୍ଣ ଶବର, ଜନକ ନାୟକ, ଅନୁରାଗ ବାଗ, ରତନ ଶବର, ଦେବାର୍ଚ୍ଚନ ଶବର ବିଜୟ ବେହେରା ତଥା ସମସ୍ତ ସିଆରପିଏଫ୍ ଜବାନଙ୍କ ଉପସ୍ଥିତିରେ ସହିଦ୍ ଚୈତନ୍ୟ ଶବରଙ୍କୁ ତୋପ ସଲାମୀ ଦେବା ସହ ଶବ ସତ୍କାର କରାଯାଇଥିଲା ।

Leave A Reply

Your email address will not be published.