
ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ଥାନା ହଲଦୀମୁଣ୍ଡା ଗ୍ରାମରେ ଗତ ଗୁରୁବାର ଦିନ ଜଣେ ଯୁବକଙ୍କୁ ଠେଙ୍ଗା ଓ ପଥରରେ ପିଟିପିଟି ହତ୍ୟା କରିଥିବା ନେଇ ପରିବାର ଲୋକେ ସିନାପାଲି ଥାନାରେ ଅଭିଯୋଗ କରିଥିଲେ । ମୃତ ଯୁବକ ଜଣକ ହଲଦୀମୁଣ୍ଡା ଗ୍ରାମର ଗଗନ ମାଝି ବୋଲି ଜଣାପଡିଛି । ସିନାପାଲି ଥାନାରେ ପରିବାର ବର୍ଗ ଅଭିଯୋଗ କରିବା ପରେ ମାମଲା ରୁଜୁ କରି ଆଜି ଜଣେ ଅଭିଯୁକ୍ତ ହରିଆଲୁ ବାଗକୁ ସିନାପାଲି ପୋଲିସ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଗତ ଗୁରୁବାର ଦିନ ଦ୍ୱିପହରରେ ମୃତ ଯୁବକଙ୍କ ସହ ସେହି ଗ୍ରାମର ତିନି ଭାଇ ମନଧର ବାଗ, ସହଦେବ ବାଗ ଓ ହରିଆଲୁ ବାଗ ପୂର୍ବ ଶତୃତାକୁ ନେଇ ଝଗଡା କରି ଠେଙ୍ଗା ଓ ପଥରରେ ପିଟିପିଟି ଯୁବକଙ୍କୁ ଲହୁଲୁହାଣ କରିଥିବା ବେଳେ ପରିବାର ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ଓ ଗୁରୁତର ହେବାରୁ ଜିଲ୍ଲା ହସ୍ପିଟାଲକୁ ନେଇଥିଲେ । ହେଲେ ଯୁବକ ଜଣକ ଅଧିକ ଗୁରୁତର ହୋଇଥିବାରୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ନେଉଥିବା ବେଳେ ଅଧ ରାସ୍ତାରେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ଏନେଇ ପରିବାର ଲୋକେ ସିନାପାଲି ଥାନାରେ ଅଭିଯୋଗ କଲା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଶବକୁ ବ୍ୟବଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ତେବେ ଆଜି ତିନି ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରି ସିନାପାଲି ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ଥିବା ପୋଲିସ ଥାନା ଅଧିକାରୀ ଡମ୍ବରୁ ଧର ପ୍ରଧାନ ପ୍ରକାଶ କରିଛନ୍ତି ।