କବାଡିବାଲା ଗୁଣ୍ଡା ଲଗାଇବା ମାହାଙ୍ଗା ପଡିଲା : ମାରଣାସ୍ତ୍ର ଧରି ଧମକଚମକ ଦେବା ସହ ଘର ଭଙ୍ଗାରୁଚା କରିବା ଘଟଣାରେ କବାଡିବାଲା ସହ ୭ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ
ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଘୁନସର ଗ୍ରାମରେ ଜଣେ କବାଡିବାଲାଙ୍କୁ ଅନ୍ୟ ଜଣେ ବ୍ୟକ୍ତି ଚୋରି ସାମଗ୍ରୀ କିଣିବାକୁ ବିରୋଧ କରିବାରୁ କବାଡିବାଲା ଜଣକ ଗୁଣ୍ଡା ଲଗାଇ ଆକ୍ରମଣ କରିବା ପାଇଁ ଯୋଜନା କରିଥିବା ମହଙ୍ଗା ପଡିଛି । ଉକ୍ତ ଘଟଣାରେ ସଇଁତଲା ପୋଲିସ ଥାନାରେ ଏକ ମାମଲା ରୁଜୁ କରିବା ପରେ ଘଟଣାର ତଦନ୍ତ କରି କବାଡିବାଲାଙ୍କ ସହ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ସଇଁତଲା କୋର୍ଟକୁ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଟିଟିଲାଗଡ଼ ଜେଲ ହାଜତକୁ ପଠାଇ ଦିଆଯାଇଛି ।
ଘଟଣାରୁ ପ୍ରକାଶ ଯେ, ଘୁନସର ଗ୍ରାମରେ ସିମାଞ୍ଚଳ ଧଳ ନାମକ ଜୈନିକ ବ୍ୟକ୍ତି ନୟାଗଡ଼ କଣ୍ଟିଲୋରୁ ଆସି ଘୁନସର ଗାଁରେ ଏକ କବାଡି ଦୋକାନ ଖୋଲି ବ୍ୟବସାୟୀ କରୁଛନ୍ତି । ସେହି ଗାଁର ଅପିନ ସାହୁ ନାମକ ଜଣେ ବ୍ୟକ୍ତି ଉକ୍ତ କବାଡିବାଲାଙ୍କୁ କାହିଁକି ଚୋରୀ ସାମଗ୍ରୀ କିଣୁଛୁ ବୋଲି କହିବାରୁ କବାଡିବାଲା ଜଣକ ରାଗି ଯାଇ ତୋର କ’ଣ ଗଲା କହି ଧମକ ଚମକ ଦେବା ସହ ଗାଳିଗୁଲଜ କରିଥିଲେ । ଏହାକୁ ନେଇ ଗାଁର ଯୁବକ ପିଲାମାନଙ୍କୁ ଗୁଣ୍ଡା ଲଗାଇ ଗତ ୨୦ ତାରିଖ ଦିନ ବିଳମ୍ବିତ ରାତିରେ ଅପିନଙ୍କ ଘରକୁ ମାରଣାସ୍ତ୍ର ଧରି ଯାଇଥିଲେ । ହେଲେ ଅପିନ ଘର କବାଟ ନ ଖୋଲିବାରୁ କବାଟକୁ ଧରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହ ବିଭିନ୍ନ ଗାଳିଗୁଲଜ କରି ଧମକଚମକ ଦେଇଥିଲେ । ଏହାର ପରଦିନ ଅର୍ଥାତ ୨୧ ତାରିଖ ଦିନ ଅପିନ ସାହୁ ସଇଁତଲା ଥାନାରେ କବାଡିବାଲା ସହ ଯୁବକମାନଙ୍କ ନାମରେ ଏତଲା ଦେଇଥିଲେ । ଏହାକୁ ଭିର୍ତ୍ତି କରି ସଇଁତଲା ଥାନା ଆଇଆଇସି ଅବନୀ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଥାନା ସେକେଣ୍ଡ ଅଫିସର ଆଲୋକ ଭୋଇ କେସ ନଂ ୧୪୨/୨୩ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଏଥିରେ ଘୁନସର ଗାଁର ବାଦଲ ଭୋଇ, ପ୍ରଶାନ୍ତ ରଣା, ସବୁଜ ଭୋଇ, ଶୁଭେନ୍ଦୁ ଭୋଇ, ସିପୁ ରଣା, ରିଲୁ ରଣା ଓ ମୁଖ୍ୟ ଅଭିଯୁକ୍ତ ସିମାଞ୍ଚଳ ଧଳଙ୍କୁ ପୋଲିସ ଗିରଫ କରିବା ସହ ଏକ ହୋଣ୍ଡା ବାଇକ ନଂ ଓଡ଼ି୦୮-ଟି ୭୧୪୦ ଓ ଅନ୍ୟ ଏକ ନମ୍ବର ବିହୀନ ବାଇକ ସହ ଟାଙ୍ଗି, ବରଚ୍ଛା, ଲୁହାରଡ଼ ଓ ତାବିଲି ଇତ୍ୟାଦି ପୋଲିସ ଜବତ କରିଛି ।